ହାଇଦ୍ରାବାଦ: ଆଜି ହେଉଛି 'ଜାତୀୟ କ୍ରୀଡ଼ା ଦିବସ' । ଏହି ପବିତ୍ର ଦିନରେ ୧୯୦୫ ମସିହାରେ ହକିର ଯାଦୁଗର ତଥା କୋଟି ଖେଳାଳୀଙ୍କ ପ୍ରେରଣାର ଉତ୍ସ ମେଜର ଧ୍ୟାନଚାନ୍ଦ ଉତ୍ତରପ୍ରଦେଶର ଅଲ୍ଲାହାବାଦର ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏହି ଦିନ କ୍ରୀଡ଼ାରେ ଉତ୍ତମ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଖେଳରତ୍ନ ସହିତ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆଯାଏ । ଏହି ମହାନ ଆତ୍ମାଙ୍କୁ ସମ୍ମାନ ଜଣାଇ ଦେଶର ସର୍ବୋତ୍ତମ କ୍ରୀଡ଼ା ପୁରସ୍କାର ଖେଳରତ୍ନକୁ ରାଜୀବ ଗାନ୍ଧୀ ଖେଳରତ୍ନରୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଭାବେ ନାମକରମ କରାଯାଇଛି । ହକିକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇ ଦେଶ ପାଇଁ ଗୌରବ ଆଣିଥିଲେ ଏହି ବିରାଟ ଖେଳାଳୀ ।
ତେବେ ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ଧ୍ୟାନଚାନ୍ଦଙ୍କ ବିଷୟରେ ରୋଚକ ତଥ୍ୟ...
OLYMPICSରେ ୩ଥର ଭାରତକୁ ଦେଇଥିଲେ ସ୍ବର୍ଣ୍ଣ:-
ମେଜର ଧ୍ୟାନଚାନ୍ଦ ଫୁଟବଲରେ ପେଲେ ଏବଂ କ୍ରିକେଟରେ ଡନ୍ ବ୍ରୈଡମ୍ୟାନଙ୍କ ସହ ସମାନ ବୋଲି ବିବେଚନା କରାଯାଏ | ଧ୍ୟାନଚାନ୍ଦ ତିନିଥର ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ସେ ୩ ଥର ହକିରେ ଭାରତକୁ ସ୍ବର୍ଣ୍ଣ ପଦକ ଜିତାଇଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପୂର୍ବରୁ ଧ୍ୟାନଚାନ୍ଦ କ୍ରମାଗତ ୩ଟି ଅଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ଆଣିଥିଲେ। ଏହି ଅଲିମ୍ପିକ୍ସ 1928 ମସିହାରେ ଏମ୍ସଟର୍ଡମ, 1932 ଲସ୍ ଆଞ୍ଜେଲସରେ ଏବଂ 1936 ବର୍ଲିନରେ ଖେଳାଯାଇଥିଲା । ମେଜର ଧ୍ୟାନଚାନ୍ଦଙ୍କୁ 1965 ମସିହାରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା ।
ବର୍ଲିନ ଅଲମ୍ପିକରେ ହିଟଲର ଥିଲା ଉପସ୍ଥିତ:-
୧୯୩୬ ମସହିା ଜର୍ମାନୀର ବର୍ଲିନ ଅଲମ୍ପିକରେ ହକିର ଫାଇନାଲ ଭାରତ ଓ ଜର୍ମାନୀ ମଧ୍ୟରେ ଥିଲା । ଏହି ମ୍ୟାଚ ୧୪ ଅଗଷ୍ଟରେ ଖେଳାଯିବାକୁ ଥିଲା । ସେହି ଦିନ ଲଗାତାର ବର୍ଷା ହେବା ଯୋଗୁଁ ମ୍ୟାଚ ୧୫ ତାରିଖରେ ଖେଳାଯାଇଥିଲା । ଏହି ଦିନ ହକିର ଯାଦୁଗରଙ୍କ ରୋମାଞ୍ଚକର ଖେଳ ଦେଖିବା ପାଇଁ ଷ୍ଟା଼ଡିୟମରେ ଥିଲେ ୪୦ ହଜାର ଦର୍ଶକ । ଏମାନଙ୍କ ମଧ୍ୟରେ ଦ୍ବିତୀୟ ବିଶ୍ବଯୁଦ୍ଧର ଯୋଗସୂତ୍ର ହିଟଲର ମଧ୍ୟ ମହଜୁଦ ଥିଲା ।
ଜର୍ମାନୀ ଅଲମ୍ପିକରେ ଖାଲି ପାଦରେ ଖେଳିଥିଲେ ହକି: -
ଜର୍ମାନୀ ଅଲମ୍ପିକ ମ୍ୟାଚରେ ଭାରତ ଓ ଜର୍ମାନୀ ମଧ୍ୟରେ କଡା ମୁକାବିଲା ହୋଇଥିଲା । ହାଫ ଟାଇମ ପର୍ଯ୍ୟନ୍ତ ଭାରତ ଗୋଟିଏ ଗୋଲ୍ରେ ଆଗୁଆ ଥିଲା । ଏହାପରେ ଧ୍ୟାନଚାନ୍ଦ ନିଜ ସ୍ପାଇକ ଜୋତାକୁ ଖୋଲି ଖାଲି ପାଦରେ ଖେଳିଥିଲେ । ଖାଲିପାଦରେ ସେ ରୋମାଞ୍ଚକର ଖେଳ ଖେଳି ଦର୍ଶକଙ୍କୁ ମତୁଆଲା କରିଥିଲେ । ଏହାପରେ ଭାରତ ଗୋଟିଏ ପରେ ଗୋଟିଏ ଗୋଲ୍ କରିଥିଲା ।
ଜର୍ମାନୀ ଟିମକୁ ଅଡୁଆରେ ପକାଇଥିଲେ:-
ପ୍ରାରମ୍ଭିକ ଚିକିତ୍ସା ପରେ ଗ୍ରାଉଣ୍ଡକୁ ଫେରିବା ପରେ ଧ୍ୟାନଚାନ୍ଦ ଖେଳାଳୀମାନଙ୍କୁ କୌଣସି ଗୋଲ୍ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହକି ବଲ ଉପରେ କିପରି ନିୟନ୍ତ୍ରଣ ରଖାଯାଏ, ଏହା ଜର୍ମାନୀ ଖେଳାଳୀଙ୍କୁ ଶିଖାଇବା ପାଇଁ ସେ ଏପରି କରିଥିଲେ । ଭାରତ ଗୋଲ ନ କରିବାରୁ ଜର୍ମାନୀ ଖେଳାଳୀମାନେ ଦ୍ବନ୍ଦ୍ବରେ ପଡିଯାଇଥିଲେ । ଭାରତ ଖେଳାଳୀମାନେ କ'ଣ କରୁଛନ୍ତି ସେମାନେ ବୁଝିପାରିନଥିଲେ । ଜର୍ମାନୀ ଖେଳାଳୀଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ପାଇଁ ଏହି ଗେମ ଖେଳିଥିଲେ ଯାଦୁଗର ।
'ହାର'ର ଖୁବଶୀଘ୍ର ଦେଇଥିଲେ ଜବାବ:-
ଏହି ମ୍ୟାଚରେ ଭାରତ ଜର୍ମାନୀକୁ ୮-୧ରେ ହରାଇଥିଲା । ଏହି ମ୍ୟାଚରେ ୩ଟି ଗୋଲ କରିଥିଲେ ଧ୍ୟାନଚାନ୍ଦ । ଏହା ପୂର୍ବରୁ ଭାରତ ଓ ଜର୍ମାନୀ ମଧ୍ୟରେ ହୋଇଥିବା ଅଭ୍ୟାସ ମ୍ୟାଚରେ ଜର୍ମାନୀ ଭାରତକୁ ୪-୧ରେ ହରାଇଥିଲା । ଏହି ହାର ଭାରତୀୟଙ୍କୁ ବହୁତ ଆଘାତ ଦେଇଥିଲା । ଧ୍ୟାନଚାନ୍ଦ ନିଜ ଆତ୍ମକଥା 'ଗୋଲ'ରେ ଲେଖିଥିଲେ ଯେ, "ମୁଁ ଜୀବିତ ରହିବା ପର୍ଯ୍ୟନ୍ତ ଏହି ହାରକୁ ଭୁଲିବି ନାହିଁ । ଏହି ହାର ତାଙ୍କୁ ବହୁତ ଆଘାତ ଦେଇଥିଲା । ସେ ପୁରା ରାତି ଶୋଇ ପାରିନଥିଲେ ବୋଲି କହିଥିଲେ । "
ହିଟଲରଙ୍କୁ କହିଥିଲେ-ଭାରତରେ ଖୁସି ଅଛି
ଧ୍ୟାନଚାନ୍ଦଙ୍କ ଏହି ମ୍ୟାଚ ପରେ ଜର୍ମାନୀର ରାଜନେତା ହିଟଲର ଅତ୍ୟନ୍ତ ଖୁସି ହୋଇଥିଲା । ସେ ଧ୍ୟାନଚାନ୍ଦଙ୍କୁ ପ୍ରଶଂସାରେ ପୋତି ପକାଇଥିଲା । ଏହାସହିତ ଧ୍ୟାନଚାନ୍ଦଙ୍କୁ ଏକ ରାତ୍ରି ଭୋଜନରେ ଡାକି ଜର୍ମାନୀ ପକ୍ଷରୁ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲା । ଏହାସହିତ ଜର୍ମାନୀ ସେନା ପକ୍ଷରୁ ତାଙ୍କୁ 'କର୍ଣ୍ଣେଲ ପଦ' ଦିଆଯିବ ବୋଲି ପ୍ରଲୋଭନ ମଧ୍ୟ ଦେଖାଇଥିଲା । ମାତ୍ର ଏହାର କଡା ଜବାବ ଦେଇଥିଲେ ଧ୍ୟାନଚାନ୍ଦ । 'ହିନ୍ଦୁସ୍ତାନ ମୋର ମାତୃଭୂମି ଏବଂ ମୁଁ ଏଠାରେ ବହୁତ ଖୁସି ଅଛି' ବୋଲି କହିଥିଲେ ସେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ