ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ତୃଣମୂଳ କଂଗ୍ରେସର ଏକ ସଂସଦୀୟ ପ୍ରତିନିଧୀମଣ୍ଡଳୀ । ଏହି ପ୍ରତିନିଧିମଣ୍ଡଳୀ ବରିଷ୍ଠ ଟିଏମସି ନେତା ତଥା ଉତ୍ତର କୋଲକାତାରୁ ସାସଂଦ ଥିବା ସୁଦୀପ ବନ୍ଦୋପାଧ୍ୟାୟଙ୍କ ନେତୃତ୍ବରେ ଗୃହମନ୍ତ୍ରୀଙ୍କୁୁ ଭେଟି ଆଲୋଚନା କରିଛି ।
ହିଂସାକାଣ୍ଡ ସମ୍ପର୍କରେ ତଥା ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ରାଜ୍ୟପାଳ ଜଗଦ୍ବୀପ ଧନଖରଙ୍କ ଭୂମିକାକୁ ନେଇ ଅସନ୍ତୋଷ ବ୍ଯକ୍ତି କରିଛି ପ୍ରତିନିଧି ଟିମ । ତୁରନ୍ତ ଧନଖରଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ପଦରୁ ହଟାଇବା ପାଇଁ ମଧ୍ୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଦାବି କରିଥିବା ସୂଚନା ମିିଳିଛି ।
ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କ ଭୂମିକା ଓ କାର୍ଯ୍ୟଶୈଳୀକୁ ପ୍ରଶ୍ନ ଉଠାଇବା ସହ ରାଜ୍ୟପାଳ ସାମ୍ବିଧାନିକ ବ୍ୟବସ୍ଥା ବିରୋଧୀ ଆଚରଣ ଜାରି ରଖିଛନ୍ତି ଓ ଏପରି ଧାରା ସଂସଦୀୟ ଗଣତନ୍ତ୍ର ପାଇଁ ବିପଦ ବୋଲି କହିଛି । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇ ବରିଷ୍ଠ ଟିଏମସି ନେତା ସୁଦୀପ କହିଛନ୍ତି, ମମତା ସରକାର ଘଟଣାକୁ ଅତି ଗମ୍ଭୀରତା ସହ ନେଇଛନ୍ତି, ଏବଂ ଏପର୍ଯ୍ୟନ୍ତ ୨୧ ଅଭିଯୁକ୍ତ ଗିରଫ ହୋଇସାରିଲେଣି ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଥିବା ଏକ ଚିଠି ମଧ୍ୟ ପ୍ରଦାନ କରିଥିଲେ ଏହି ପ୍ରତିନିଧି ମଣ୍ଡଳୀ । ବୀରଭୂମ ଗଣହତ୍ୟା ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ବଙ୍ଗବାସୀ କ୍ଷମା ଦେବେ ନାହିଁ ବୋଲି କହିଥିଲେ । ଅନ୍ୟପଟେ କଂଗ୍ରେସ ମଧ୍ୟ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନଥିବା ଦର୍ଶାଇ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ