ହାଇଦ୍ରାବାଦ: ଗତ ଦୁଇ ଦଶକ ପୂର୍ବରୁ ବାଧାବିଘ୍ନରେ ଭରପୁର ରହିଥିଲା ଭାରତ ଓ ଆମେରିକାର ସମ୍ପର୍କ । ହେଲେ କିଛି ବର୍ଷ ହେବ ଏହି ସମ୍ପର୍କ ମଜବୁତ ସ୍ଥିତିରେ ରହିଛି । ଏହି ମଧ୍ୟରେ ଆମେରିକାରେ ହୋଇଛି କ୍ଷମତାର ପରିବର୍ତ୍ତନ । ବିଶ୍ବର ଶକ୍ତିଶାଳୀ ଦେଶକୁ ମିଳିଛି ଏହାର ନୂଆ ରାଷ୍ଟ୍ରପତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଡି ଦୁଇ ଦେଶର ସମ୍ପର୍କକୁ ବେଶ ସୁଦୃଢ କରିପାରିଥିଲା । ତେବେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବିଡେନ ଏହି ସମ୍ପର୍କକୁ ଆଗକୁ ନେବାକୁ କି ଆଭିମୁଖ୍ୟ ଆପଣାଉଛନ୍ତି, ଏହା ଉପରେ ରହିଛି ସମସ୍ତଙ୍କ ନଜର ।
ଜୋ ବିଡେନ ଆମେରିକାର ନୂଆ ରାଷ୍ଟ୍ରପତି ହେବା ପରେ ଏହା ନିଶ୍ଚିତ ଯେ ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତା ଥମିବ ନାହିଁ । ଦୁଇ ଦେଶର ସମ୍ପର୍କ ଏଭଳି ଉଚ୍ଚତାକୁ ପହଞ୍ଚିସାରିଛି ଯେ ଯେଉଁଠୁ ପଛକୁ ଓହରିବା ଏକ ପ୍ରକାର ଅସମ୍ଭବ । ଏଭଳିସ୍ଥିତିରେ ଭାରତ ଓ ଆମେରିକାର ସମ୍ପର୍କରେ ବିଡେନ ଏକ ନୂଆ ଅଧ୍ୟାୟ ଲେଖିବାର ରହିଛି ସମ୍ଭାବନା ।
ବିଡେନଙ୍କ ଟ୍ରାକ ରେକର୍ଡ ଉପରେ ଯଦି ନଜର ପକାଇବା, ତାହେଲେ ଭାରତକୁ ନେଇ ତାଙ୍କର ଆଭିମୁଖ୍ୟ ବେଶ ସକାରାତ୍ମକ ରହିଛି । ଏପରି କୁହାଯାଇପାରେ ଯେ ଭାରତ ସହ ବିଡେନଙ୍କ ବନ୍ଧୁତା ଅନେକ ପୁରୁଣା । ଆମେରିକା ରାଷ୍ଟ୍ରପତି ବିଡେନ ସିନେଟରେ ଥିବା ଦିନଠାରୁ ଏବଂ ପରେ ଉପ-ରାଷ୍ଟ୍ରପତି ଭାବରେ ଭାରତ ଏବଂ ଆମେରିକା ସହଭାଗୀତାର ଦୃଢ ସମର୍ଥକ ରହିଆସିଛନ୍ତି।
ଦୁଇଟି ପରିପକ୍ବ ଏବଂ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ, ଭାରତ ଏବଂ ଆମେରିକା ପ୍ରାକୃତିକ ଅଂଶୀଦାର ଅଟନ୍ତି । ଭାରତ ଓ ଆମେରିକା ଦ୍ବିପାକ୍ଷିକ ସମ୍ପର୍କ ଏକ ଦୃଢ ମୂଳଦୁଆ ଉପରେ ନିର୍ଭର କରେ । ରଣନୈତିକ, ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ଅର୍ଥନୈତିକ, ବାଣିଜ୍ୟିକ, ଶକ୍ତି, ଶିକ୍ଷା ଓ ସ୍ବାସ୍ଥ୍ୟସେବା ଇତ୍ୟାଦି ପ୍ରତ୍ୟେକ ସମ୍ଭାବ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପରସ୍ପର ସହଯୋଗ ସାମିଲ ରହିଛି ।
ଉଭୟ ରିପବ୍ଲିକାନ ଏବଂ ଡେମୋକ୍ରାଟଙ୍କ ନେତୃତ୍ବରେ ଭାରତ-ଆମେରିକା ସହଭାଗୀତା ବୃଦ୍ଧି ପାଇଥିବାବେଳେ ବିଡେନ ଜଣେ ସିନେଟର ଏବଂ ପରେ ଉପ-ରାଷ୍ଟ୍ରପତି ଭାବରେ ଭାରତ ଓ ଆମେରିକା ସହଭାଗୀତାର ଦୃଢ ସମର୍ଥକ ରହିଆସିଛନ୍ତି ।
ଅଗଷ୍ଟ 2001ରେ ଜଣେ ସିନେଟର ଭାବରେ ବିଡେନ ବୈଦେଶିକ ବ୍ୟାପାର କମିଟିର ସଭାପତି ଥିବା ସମୟରେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶଙ୍କୁ ଏକ ଚିଠି ଲେଖି ନୂତନ ପ୍ରଶାସନକୁ ଭାରତ ବିରୁଦ୍ଧରେ ଆମେରିକାର ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।
ସିନେଟର ବୈଦେଶିକ ସମ୍ପର୍କ କମିଟିର ସଭାପତି ଭାବରେ ବିଡେନ 2008ରେ ବିଡେନ ଆମେରିକା ଓ ଭାରତ ନାଗରିକ ଆଣବିକ ଚୁକ୍ତିନାମାକୁ ଆମେରିକାର ସିନେଟର ଅନୁମୋଦନ ଦିଗରେ କାର୍ଯ୍ୟ କରିଥିଲେ । ଏହାସହ ଆତଙ୍କବାଦ ମୁକାବିଲା ପାଇଁ ଅନେକ ଆଇନର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବିଡେନ ।
ଯେତେବେଳେ ରାଷ୍ଟ୍ରପତି ବୁଶ ଏବଂ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ବରେ ଏକ ସାଧାରଣ ନାଗରିକ ପରମାଣୁ ଚୁକ୍ତି କରିବା ପାଇଁ ଭାରତ ଏବଂ ଆମେରିକା ଆଲୋଚନା ଆରମ୍ଭ କରିଥିଲେ, ସେତେବେଳେ ସିନେଟର ବିଡେନ ସିନେଟରେ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଥିଲେ। ଆମେରିକା କଂଗ୍ରେସ ଭାରତ ସହିତ ଆଣବିକ ଚୁକ୍ତି ଅନୁମୋଦନ କରିବା ପୂର୍ବରୁ ସେ 2008ରେ ତତ୍କାଳୀନ ସିନେଟର ଚକ୍ ହେଗେଲ ଏବଂ ଜନ୍ କେରିଙ୍କ ସହ ଭାରତ ଗସ୍ତ କରିଥିଲେ । ବିଡେନ ଏହି ଚୁକ୍ତିର ଏକ ନିରନ୍ତର ପ୍ରୋତ୍ସାହକ ଥିଲେ ଏବଂ ଏହାର ସଫଳତା ବେଶ ଗୁରୁତ୍ବ ଦେଇଥିଲେ ।
ବିଶ୍ବ ମଞ୍ଚରେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ବିଡେନ ଭାରତର ଆକାଂକ୍ଷାକୁ ସମର୍ଥନ କରିଥିଲେ । ଏହା ଭାରତ ସମେତ ଏସିଆର ସମସ୍ତ ପ୍ରମୁଖ ଦେଶଗୁଡିକୁ ବିଶ୍ବ ସ୍ତରରେ ଆଗକୁ ବଢିବାକୁ ସହାୟକ ହେବ । 2016 ରାଷ୍ଟ୍ରପତି ବାରାକ ଓବାମା ଏବଂ ଉପ-ରାଷ୍ଟ୍ରପତି ଜୋ ବିଡେନଙ୍କ ନେତୃତ୍ବରେ ଆମେରିକା ପ୍ରଶାସନ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏକ ଉତ୍ତମ ସମ୍ପର୍କ ଥିଲା।
2013 ଜୁଲାଇ 22ରେ ଉପରାଷ୍ଟ୍ରପତି ଭାବରେ ବିଡେନ ତାଙ୍କ ପତ୍ନୀ ଜିଲଙ୍କ ସହ ଚାରି ଦିନିଆ ଗସ୍ତରେ ଭାରତ ଆସିଥିଲେ। ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁ ଭେଟି ଦିଲ୍ଲୀର ଗାନ୍ଧୀ ସ୍ମୃତି ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସେ ଏକ ଗୋଲ ଟେବୁଲରେ ବିଜନେସ ଲିଡରଙ୍କୁ ଭେଟିବା ପାଇଁ ମୁମ୍ବାଇ ଗସ୍ତ କରିଥିଲେ ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଏକ ଭାଷଣ ମଧ୍ୟ ଦେଇଥିଲେ ।
ସେପ୍ଟେମ୍ବର 2014 ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିଥିଲେ, ବିଡେନ ତାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ। ସେ ଜୁନ 2016ରେ କଂଗ୍ରେସର ମିଳିତ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ଏହି ଅଧିବେଶନକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଚଳିତ ବର୍ଷ ଆମେରିକା ନିର୍ବଚନୀ ଘୋଷଣାପତ୍ରରେ ବିଡେନ ଆମେରିକା ଓ ଭାରତ ସହଭାଗିତା ପାଇଁ ନିଜର ଆଭିମୁଖ୍ୟକୁ ଦୋହରାଇଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ସ୍ବତନ୍ତ୍ର ବନ୍ଧୁତା ଯାହାକି ବର୍ଷ ବର୍ଷ ଧରି ଗଭୀର ହୋଇଆସୁଛି ଏହାକୁ ଉଜାଗର କରିଥିଲେ ବିଡେନ। ସୀମା ସୁରକ୍ଷା କ୍ଷେତ୍ରରେ ସେ ଭାରତ ସହ ଠିଆ ହେବା ବିଷୟରେ କହିଥିଲେ ଏବଂ ଦୁଇ ଦେଶ ଏକାଠି ହେଲେ ବିଶ୍ବ ଏକ ନିରାପଦ ସ୍ଥାନ ହେବ । ଭାରତ ସହିତ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ବ ସ୍ବାସ୍ଥ୍ୟ ସୁରକ୍ଷା ସମେତ ବୃହତ ଦ୍ବିପାକ୍ଷିକ ବାଣିଜ୍ୟକୁ ବିସ୍ତାର କରିବା ତଥା ବିଶ୍ବସ୍ତରୀୟ ଆହ୍ବାନର ମୁକାବିଲା କରିବା ପାଇଁ ଅପିଲ କରିଛନ୍ତି ବିଡେନ ।
ବର୍ତ୍ତମାନ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର ବାର୍ଷିକ 150 ବିଲିୟନ ଡଲାରରୁ ଅଧିକ ଅଛି । ହେଲେ ଯେତେବେଳେ ବିଡେନ 2013 ରେ ଉପରାଷ୍ଟ୍ରପତି ଭାବରେ ଭାରତ ଗସ୍ତ କରିଥିଲେ, ସେତେବେଳେ ସେ ଦ୍ବିପାକ୍ଷିକ ବାଣିଜ୍ୟକୁ 500 ବିଲିୟନ ଡଲାରକୁ ନେବାକୁ ଲକ୍ଷ୍ୟ ରଖିଥିଲେ। ବର୍ତ୍ତମାନ ଆଶା କରାଯାଉଛି ଯେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଜୋ ବିଡେନ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ।
ଅନ୍ୟପକ୍ଷେ କମଲା ହାରିସ ଆମେରିକାର ନୂତନ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି, ଯାହାଙ୍କ ଭାରତ ସହ ଗଭୀର ସମ୍ପର୍କ ରହିଛି। ବର୍ତ୍ତମାନ କମଲା ହାରିସଙ୍କ ମାଧ୍ୟମରେ ଉଭୟ ଦେଶ ବ୍ୟବସାୟ ସମେତ ଅନ୍ୟ କ୍ଷେତ୍ରରେ ପରସ୍ପରର ନିକଟତର ହେବେ । କେବଳ ଏତିକି ନୁହେଁ, ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ବିଷୟରେ ଏକ ମନ୍ତବ୍ୟକୁ ବିଡେନ ବିରୋଧ କରିଥିଲେ। ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଟ୍ରମ୍ପ କହିଥିଲେ ଯେ ପ୍ରଦୂଷିତ ବାୟୁ ସହ ଲଢିବାକୁ ଭାରତ ପ୍ରସ୍ତୁତ ନୁହେଁ।
ଭାରତକୁ ନିଜର ବନ୍ଧୁ ବୋଲି ସମ୍ବୋଧନ କରିବା ପରେ ମଧ୍ୟ ଟ୍ରମ୍ପ H1B, H-2B ଏବଂ ଅନ୍ୟାନ୍ୟ ବିଦେଶୀ ଭିସା ଉପରେ କଡା ନିଷ୍ପତ୍ତି ନେଇଥିଲେ। ବନ୍ଧୁତା ମଧ୍ୟରେ ଟ୍ରମ୍ପ ଭାରତକୁ ଟ୍ୟାରିଫ କିଙ୍ଗ୍ ବୋଲି କହିବା ଜାରି ରଖିଥିଲେ। ଏଥି ସହିତ ଡାଟା ସୁରକ୍ଷା, କୃଷି, ଦୁଗ୍ଧ ଭଳି ଅନେକ କ୍ଷେତ୍ରରେ ପାରସ୍ପରିକ ଆଗ୍ରହର ମତଭେଦ ହେତୁ ଆମେରିକା ଏବଂ ଭାରତ ମଧ୍ୟରେ କୌଣସି ସମ୍ପୂର୍ଣ୍ଣ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ନାହିଁ। ବର୍ତ୍ତମାନ ଏହାର ଉନ୍ନତି ହେବାର ଆଶା କରାଯାଉଛି । ଜୋ ବିଡେନ 10 ମିଲିୟନରୁ ଅଧିକ ପ୍ରବାସୀଙ୍କୁ ଆମେରିକାର ନାଗରିକତ୍ବ ଦେବାକୁ ଯାଉଛନ୍ତି। ଏଥିରେ ପ୍ରାୟ 5 ଲକ୍ଷ ଭାରତୀୟ ସାମିଲ ଅଛନ୍ତି ।
ଡେମୋକ୍ରାଟ ଜୋଏ ବିଡେନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ପରାସ୍ତ କରି ଶନିବାର ଆମେରିକାର 46 ତମ ରାଷ୍ଟ୍ରପତି ହୋଇଛନ୍ତି । ଐତିହାସିକ ମହାମାରୀ, ଆର୍ଥିକ ଓ ସାମାଜିକ ବିଷମତା ମଧ୍ୟରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ନେତୃତ୍ବ ନେବାକୁ ଯାଉଛନ୍ତି ।
3 ଦିନରୁ ଅଧିକ ସମୟ ଧରି ଅନିଶ୍ଚିନ୍ତତା ଓ ଭୋଟ ଗଣତି ପରେ ସ୍ପଷ୍ଟ ଚିତ୍ର ସ୍ପଷ୍ଟ ହୋଇଛି । ବାଲଟ ଭୋଟ ମଧ୍ୟରେ ମେଲ ଭୋଟ ନିର୍ବାଚିତ ଅଧିକାରୀଙ୍କ ପାଇଁ ଗଣତି ପ୍ରକ୍ରିୟାରେ ବିଳମ୍ବ ସୃଷ୍ଟି କରିଥିଲା । ତେବେ ଗୁରୁତ୍ବପୂର୍ଣ୍ଣ ପେନସିଲଭେନିଆ ରାଜ୍ୟ ଜିତିବା ପରେ ବହୁମତ ପାଇଁ ଆବଶ୍ୟକ 270 ଇଲେକ୍ଟୋରାଲ କଲେଜ ଭୋଟକୁ ଅତିକ୍ରମ କରିଥିଲେ ବିଡେନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ