ବାରଣାସୀ: କୋଭିଡ ଭ୍ୟାକ୍ସିନକୁ ନେଇ ବଡ ଦାବି କରିଛନ୍ତି ବନାରସ ହିନ୍ଦୁ ୟୁନିଭର୍ସିଟିର ବୈଜ୍ଞାନିକ । ବିଏଚୟୁ ବୈଜ୍ଞାନିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି କରିଛନ୍ତି କୋରୋନା ଭାଇରସ ସଂକ୍ରମଣରୁ ମୁକ୍ତ ହୋଇସାରିଥିବା ବ୍ୟକ୍ତିଙ୍କୁ ଏହି ରୋଗରୁ ବଞ୍ଚିବା ପାଇଁ ଟୀକାର ମାତ୍ର ଗୋଟିଏ ଡୋଜ ପର୍ଯ୍ୟାପ୍ତ ।
ସମ୍ପ୍ରତି ଦେଶରେ ଦୁଇଟି ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନକୁ ଅନୁମୋଦନ ମିଳିଛି । କୋଭିଡ ସଂକ୍ରମଣ ଏଡାଇବା ପାଇଁ ଉଭୟ ଟିକାର ଦୁଇଟି ଡୋଜ ନେବା ଆବଶ୍ୟକ ।
ଅଧ୍ୟୟନ ଆଧାରରେ ବିଏଚୟୁ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ଦୀନେଶ୍ୱର ଚୌବେଙ୍କ ଟିମ୍ ଏବଂ ସ୍ନାୟୁବିଜ୍ଞାନ ବିଭାଗର ପ୍ରଫେସର ବିଜୟ ନାଥ ମିଶ୍ର ଦାବି କରିଛନ୍ତି ଯେ କୋରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଟିକା ନେବାର 10 ଦିନ ପରେ ପର୍ଯ୍ୟାପ୍ତ ଆଣ୍ଟିବଡି ସୃଷ୍ଟି ହୋଇଯାଏ । ଏଭଳି ସ୍ଥିତିରେ ଟିକାର ଗୋଟିଏ ଡୋଜ ଯଥେଷ୍ଟ ।
ପ୍ରଫେସର ଚୌବେ କହିଛନ୍ତି ଯେ 20 ଜଣଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରେ ଏହା ଜଣାପଡିଛି କି ଯେଉଁମାନେ ସଂକ୍ରମଣରୁ ମୁକ୍ତି ପାଇଛନ୍ତି ସେମାନଙ୍କ ଶରୀରରେ ଆଣ୍ଟିବଡି ଶୀଘ୍ର ସୃଷ୍ଟି ହୋଇଛି । ହେଲେ ସୁସ୍ଥଙ୍କ ଠାରେ ଆଣ୍ଟିବଡି ବିକଶିତ ହେବାକୁ 3 ରୁ 4 ସପ୍ତାହ ସମୟ ଲାଗିଥାଏ।