ନୂଆଦିଲ୍ଲୀ: ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏନେଇ ନଡ୍ଡା ନିଜେ ଟ୍ବିଟ କରି ଦେଇଛନ୍ତି ସୂଚନା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ପ୍ରାଥମିକ ଲକ୍ଷଣ ଦେଖାଯିବା ପରେ କୋଭିଡ ପରୀକ୍ଷା କରିଥିଲେ । ତେବେ ପରେ ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି ।
ଜେପି ନଡ୍ଡା ଟ୍ବିଟ କରି କହିଛନ୍ତି, ମୋର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନର ସମସ୍ତ ଗାଇଡଲାଇନ ପାଳନ କରୁଛି । ତେବେ ଗତ କିଛି ଦିନ ପୂର୍ବରୁ ଯେଉଁମାନେ ତାଙ୍କ ସଂସ୍ପର୍ଷରେ ଆସିଥିଲେ ସେମାନଙ୍କୁ ଆଇସୋଲେସନରେ ରହିବାକୁ ଅନୁରୋଧ କରିଛନ୍ତି ନଡ୍ଡା ।
ନିକଟରେ ପଶ୍ଚିମବଙ୍ଗ ଗସ୍ତରେ ଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତେବେ ଏହି ସମୟରେ ସାମାଜିକ ଦୂରତ୍ବର ନିୟମ ଅନୁପାଳନ ସହ ସର୍ବଦା ମାସ୍କ ପରିଧାନ କରିଥିବା ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗ ଗସ୍ତ ସମୟରେ ନଡ୍ଡା ଅନେକ ଜନସଭାକୁ ସମ୍ବୋଧନ କରିଥିଲେ ।
ସେପଟେ ନଡ୍ଡାଙ୍କୁ କୋରୋନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ଟ୍ୱିଟ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜେପି ନଡ୍ଡା । ମମତା ଟ୍ୱିଟ କରି କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କୋରୋନା ହୋଇଥିବା ନେଇ ଜାଣିବାକୁ ପାଇଲି । ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଶିଘ୍ର ସୁସ୍ଥତା ନେଇ କାମନା କରୁଛି ବୋଲି କହିଛନ୍ତି ମମତା ।