ନୂଆଦିଲ୍ଲୀ: ଲକଡାଉନ ଛଡେଇନେଲା ସବୁ କିଛି । ଚାକିରୀ ଯିବା ପରେ ଅଧିକାଂଶ ଲୋକ ଘରେ ହାତବାନ୍ଧି ବସିଛନ୍ତି। ସମସ୍ତଙ୍କ ପାଇଁ ଏକ କଠୋର, କଠିନ ଓ କଷ୍ଟକର ସମୟକୁ ଆଣିଦେଇଛି କୋରୋନା। ତେବେ ଏଭଳି ସମୟ ପରେ ପୁଣି ଥରେ ସକ୍ରିୟ ହୋଇପଡିଛନ୍ତି ଦେହ ବ୍ୟବସାୟୀ ।
ଦେହ ବ୍ୟବସାୟ ଚଳାଉଥିବା ଏକ ରାକେଟର ପର୍ଦ୍ଧାଫାଶ କରିଛି ନାଗପୁର ପୋଲିସ। ଯେଉଁଠି ବ୍ୟକ୍ତି ଜଣକ ନିଜ ଘରଠାରୁ କିଛି ଦୂରରେ ଏକ ଅର୍ଦ୍ଧ ନିର୍ମିତ ଘରେ ଏହି କାରବାର ଚଳାଇଛନ୍ତି। ହେଲେ ଏହି କାର୍ଯ୍ୟରେ ଲକଡାଉନ ସମୟରେ ଚାକିରୀ ହରାଇଥିବା ଦୁଇ ଜଣ ଯୁବତୀ ମଧ୍ୟ ଲିପ୍ତ ଥିବା ପୋଲିସ ରେଡ୍ ପରେ ସାମ୍ନାକୁ ଆସିଛି।
ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରଶେଖର ମୁଦାଲିଆର ଏହି ବ୍ୟବସାୟରେ ଖୋଦ୍ ଜଡିତ ରହିଥିବା ବେଳେ ବିଜୟାନନ୍ଦ କଲୋନୀରେ କାରବାର ଚଳାଇଥିଲା। ତେବେ ପୋଲିସ କିଛି ନକଲି ଗ୍ରାହକଙ୍କ ମାଧ୍ୟମରେ ଦଲାଲଙ୍କ ସହ ଯୋଗାଯୋଗ କରିଥିଲା। ଏହା ପରେ ଘଟଣାସ୍ଥଳରେ ପହଁଞ୍ଚି ଚଢାଉ କରିଥିଲା।
ସୂଚନା ଥାଉକି, ବ୍ୟକ୍ତି ଜଣକ ଜୋର ଜବରଦସ୍ତ 2 ଯୁବତୀଙ୍କୁ ବ୍ୟବସାୟରେ ନିୟୋଜିତ କରିଥିବା ଜଣାପଡିଛି। ପୋଲିସ ତୁରନ୍ତ ଚନ୍ଦ୍ରଶେଖର ମୁଦାଲିଆରଙ୍କୁ ଗିରଫ କରି ପଚରାଉଚରା ପାଇଁ ଦୁଇ ମହିଳାଙ୍କୁ ପୋଲିସ ଷ୍ଟେସନକୁ ଆଣିଛି।
ଲକଡାଉନ ପୂର୍ବରୁ ଏହି ଦୁଇ ଯୁବତୀ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିଲେ। ସେଥିମଧ୍ୟରୁ ଜଣେ ନାଗପୁରରେ ଡ୍ରେସ ଡିଜାଇନର ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିଲେ। ତେବେ ମାର୍ଚ୍ଚ ମାସରେ ଉଭୟ ଚାକିରୀ ହରାଇବା ପରେ ବେକାର ହୋଇଯାଇଥିବା ବେଳେ ପରିବାର ଚଳାଇବା ଚିନ୍ତାରେ ବିଭିନ୍ନ ସ୍ଥାନରେ ଚାକିରୀ ଅନୁସନ୍ଧାନରେ ଲାଗିଥିଲା। ଏହି ସମୟରେ ଉଭୟ ଯୁବତୀ ଏହି ଦେହ ବ୍ୟବସାୟୀ କରୁଥିବା ଦଲାଲ ହାବୁଡରେ ପଡିବା ସହ ପୁଳାପୁଳା ଟଙ୍କାର ପ୍ରଲୋଭନ ପାଇଁ ଏପରି ଘୃଣ୍ୟ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ହେଲେ ଗ୍ରାହକଙ୍କ ଠାରୁ ମୋଟ ଅଙ୍କର ଟଙ୍କା ପାଉଥିବା ଚନ୍ଦ୍ରଶେଖର ମୁଦାଲିଆ ଦୁଇ ଯୁବତୀଙ୍କୁ ହଇରାଣ କରିବା ସହ ଖୁବ୍ କମ ଟଙ୍କା ଦେଉଥିବା ସେମାନେ କହିଛନ୍ତି।