ହାଇଦ୍ରାବାଦ: ଖାଦ୍ୟ ଓ ଶସ୍ୟ ସଂଗଠନ(FAO) ପକ୍ଷରୁ ପ୍ରତିବର୍ଷ ଡିସେମ୍ବର 5କୁ ବିଶ୍ବ ମୃତ୍ତିକା ଦିବସ ରୂପେ ପାଳନ କରାଯାଇଥାଏ । ମନୁଷ୍ୟ ବ୍ୟବହାର ପାଇଁ, ଖାଦ୍ୟ ସୁରକ୍ଷା, ଇକୋସିଷ୍ଟମ ଆଦି ପାଇଁ ମୃତ୍ତିକା ଦିବସ ପାଳନ କରାଯାଇଥାଏ । ସଂଯୁକ୍ତ ରାଷ୍ଟ୍ରର FAO କାର୍ଯ୍ୟାଳୟ ଓ ବିଭିନ୍ନ ସଂଗଠନ ପକ୍ଷରୁ ଏହି ଦିବସକୁ ପାଳନ କରାଯାଇଥାଏ । ଚଳିତ ବର୍ଷର ମୃତ୍ତିକା ଦିବସର ଥିମ୍ ହେଉଛି, ‘ମୃତ୍ତିକା ଅବକ୍ଷୟକୁ ରୋକିବା ଓ ଭବିଷ୍ୟତକୁ ରକ୍ଷା କରିବା’ । ଉଦ୍ଦେଶ୍ୟ ହେଲା ସମାଜ ମଧ୍ୟରେ ମୃତ୍ତିକା ଅବକ୍ଷୟକୁ ନେଇ ସଚେତନତା ସୃଷ୍ଟି କରିବା ଓ ପୋଷଣୀୟ ଶକ୍ତିର ସୁରକ୍ଷା କରିବା ।
ଇତିହାସ:
2002 ମସିହାରେ ଇଣ୍ଟରନ୍ୟାସନାଲ୍ ୟୁନିଅନ ଅଫ୍ ସଏଲ୍ ସାଇନ୍ସ(IUSS)ପକ୍ଷରୁ ଏହି ଦିବସ ପାଳନ କରାଗଲା । ଥାଇଲାଣ୍ଡର ଅଧ୍ୟକ୍ଷତାରେ ଏହି ଦିବସକୁ ପାଳନ କରାଗଲା । ଏହାପରେ ଜୁନ 2013ରେ ସଂଯୁକ୍ତ ରାଷ୍ଟ୍ରର 68ତମ ସାଧାରଣ ଅଧିବେଶନରେ ଏହାକୁ ବିଶ୍ବ ସ୍ତରୀୟ ମାନ୍ୟତା ଦେବା ପାଇଁ ଅପିଲ୍ କରାଗଲା । କିନ୍ତୁ ଏହି ଅଧିବେଶନରେ ଡିସେମ୍ବର 5କୁ ମୃତ୍ତିକା ଦିବସ ରୂପେ ଚୟନ କରାଗଲା । କାରଣ ଡିସେମ୍ବର 5, ଥାଇଲାଣ୍ଡର ରାଜା ଏଚ ଏମ୍ କିଙ୍ଗ ଭୁମିବୋଲ ଅଦୁଲ୍ୟଦେଜଙ୍କ ଜନ୍ମଦିନ । ତାଙ୍କର ଜନ୍ମଦିବସକୁ ମୃତ୍ତିକା ଦିବସ ରୂପେ ପାଳନ କରାଯାଏ ।
ଭାରତରେ ମୃତ୍ତିକା ଅବକ୍ଷୟ:
2018ରେ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ନିର୍ମାଣ ହୋଇଥିବା ନ୍ୟାସନାଲ୍ ସେଣ୍ଟର ଫର୍ କୋଷ୍ଟାଲ ରିସର୍ଚ୍ଚ ସଂସ୍ଥା, ଏକ ରିସର୍ଚ୍ଚ କରିଥିଲା । ରିସର୍ଚ୍ଚ ମୁତାବିକ୍ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ପୂର୍ଣ୍ଣ ମୃତ୍ତିକା ଅବକ୍ଷୟ ହୋଇସାରିଛି । ଗତ 26 ବର୍ଷ ମଧ୍ୟରେ 33 ପ୍ରତିଶତ ମୃତ୍ତିକା ଅବକ୍ଷୟ ହୋଇସାରିଛି । ଭାରତର ମୋଟ 7 ହଜାର 517 ବର୍ଗ କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟରୁ 6 ହଜାର 31 କିଲୋମିଟରକୁ ରିସର୍ଚ୍ଚ ଅନ୍ତର୍ଭୁକ୍ତ କରାଯାଇଥିଲା । ରିସର୍ଚ୍ଚରେ ପଶ୍ଚିମବଙ୍ଗରେ ସର୍ବାଧିକ 99 ବର୍ଗ କିଲୋମିଟର ମୃତ୍ତିକା ଅବକ୍ଷୟ ହୋଇଛି ।
ଅନ୍ୟପକ୍ଷେ ଓଡିଶାରେ ମଧ୍ୟ 51 ପ୍ରତିଶତ ମୃତ୍ତିକା ଅବକ୍ଷୟ ହୋଇସାରିଛି । କେତେକ ଅଧ୍ୟୟନ ଅନୁସାରେ, ଭାରତର ଅଧା ଜମି ଅବକ୍ଷୟ ହୋଇସାରିଲାଣି । ମୃତ୍ତିକା ମୁଖ୍ୟତଃ ଅବକ୍ଷୟ ହୋଇ ନଦୀ ଓ ସମୁଦ୍ରରେ ମିଶିଥାଏ । 61 ପ୍ରତିଶତ ମୃତ୍ତିକା ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥାଏ।
ମୃତ୍ତିକା ଅବକ୍ଷୟର କାରଣ:
1. ଦେଶର ପ୍ରାୟ 8ଟି ରାଜ୍ୟରେ ଜଙ୍ଗଲ ଅବକ୍ଷୟ ଓ ପଶୁ ଚାରଣ 20 ପ୍ରତିଶତ ହୋଇଥାଏ । ପଶୁ ଚାରଣ ଫଳରେ ପ୍ରାୟ 5-41 ପ୍ରତିଶତ ମୃତ୍ତିକା ଅବକ୍ଷୟ ହୋଇଥାଏ ।
2. ଉଦ୍ୟୋଗୀକରଣ, ସହରୀକରଣ, ଖନନ ପ୍ରକ୍ରିୟା ଆଦି ମୃତ୍ତିକା ଅବକ୍ଷୟର ଏକ କାରଣ । ଖାସ୍ କରି ବେଆଇନ ଖଣି ଖନନ ସବୁଠାରୁ ଅଧିକ ଜଟିଳ ସମସ୍ୟା ।
3. ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଏହାର ଏକ କାରଣ ହୋଇପାରେ । ଭୂମିକମ୍ପ, ବାତ୍ୟା, ସୁନାମୀ, ମରୁଡି, ଭୂ-ସ୍ଖଳନ ଆଦି ସମସ୍ୟା ହେବା ଦ୍ବାରା ମଧ୍ୟ ମୃତ୍ତିକା ଅବକ୍ଷୟ ହୋଇଥାଏ ।
4. ଜନସଂଖ୍ୟାରେ ବୃଦ୍ଧି ଫଳରେ ଜମି ସଂକୀର୍ଣ୍ଣତା, ଗଛ କଟା ଆଦି ଭୂମିକୁ ଧିରେ ଧିରେ ଦୁର୍ବଳ କରୁଛି ଫଳରେ ଅଳ୍ପ ଝଡତୋଫାନ ହେଲେ ବି ମୃତ୍ତିକା ଅବକ୍ଷୟ ହେଉଛି ।
5. ଅନ୍ୟପକ୍ଷେ କୃଷି ମଧ୍ୟ କେତେକାଂଶରେ ଦାୟୀ । ଲଗାତାର ଜମି ଉପରେ ମେସିନ୍ ପ୍ରୟୋଗ କରିବା, ଖରାପ କୀଟନାଶକ ବ୍ୟବହାର କରିବା ଆଦି ମୃତ୍ତିକାକୁ ବିଶାକ୍ତ କରିଥାଏ ।
ନିରାକରଣ:
1. ଅଧିକରୁ ଅଧିକ ବୃକ୍ଷରୋପଣ କରିବା ।
2. ରସାୟନିକ କୀଟନାଶକ ବଦଳରେ ପ୍ରାକୃତିକ ଫଟିଲାଇଜର୍ ବ୍ୟବହାର କରିବା ।
3. ଅଧିକ ଭୂତଳ ଜଳ ବ୍ୟବହାର ନକରି ବର୍ଷାପାଣି ସଂରକ୍ଷଣ କରିବା ।
4. କେବଳ କୀଟପତଙ୍ଗକୁ ମାରୁଥିବା କୀଟନାଶକ ବ୍ୟବହାର କରିବା । ଯେପରିକି ଏହା ମୃତ୍ତିକାକୁ କୌଣସି କ୍ଷତି ନପହଞ୍ଚାଏ ।
5. ଅଳିଆ ଆବର୍ଜନାକୁ ଠିକ୍ ଭାବରେ ବ୍ୟବସ୍ଥିତ ସ୍ଥାନରେ ପକାଇବା । କେବଳ ମ୍ୟୁନସିପାଲଟି ନିର୍ଦ୍ଧାରିତ କରିଥିବା ସ୍ଥାନରେ ହିଁ ଅଳିଆ ପକାଇବା ।
6. ମୃତ୍ତିକା ଅବକ୍ଷୟ ରୋକିବା ପାଇଁ, ଗଛ ଲଗାଇବା ସହ ବନ୍ଧ ନିର୍ମାଣ କରିବା ଜରୁରୀ ।
7. ଅନ୍ୟପକ୍ଷେ ଉଦ୍ୟୋଗୀକରଣ, ସହରୀକରଣକୁ ବ୍ୟବସ୍ଥିତ କରିବା ଆବଶ୍ୟକ । କୌଣସି କ୍ଷତିକାରକ ପଦାର୍ଥ ମାଟିରେ ମିଶିବା ଅନୁଚିତ୍ ।
ସରାକାରୀ ଯୋଜନା:
ସଏଲ ହେଲଥ୍ କାର୍ଡ ସ୍କିମ୍(2015), ଫେବୃଆରୀ ମାସ 2015ରେ ଏହି ସ୍କିମକୁ କାର୍ଯ୍ୟକାରୀ କରାଗଲା । ଏହି ସ୍କିମ ମୁତାବକ, ସମସ୍ତ ଚାଷୀଙ୍କୁ ‘ସଏଲ୍ କାର୍ଡ’ ଯୋଗାଇ ଦିଆଗଲା । ଏହି କାର୍ଡ ଅନୁସାରେ, ଯିଏ ଯେଉଁ ଫସଲ କରୁଥିବ, ତାକୁ ସେହି ଫସଲ ଅନୁସାରେ ହିଁ ପରିବେଶ ହିତକାରକ କୀଟନାଶକ ଯୋଗାଇ ଦିଆଯିବ । ଏହି ସ୍କିମ ଅନୁସାରେ ପ୍ରାୟ 15କୋଟି ଚାଷୀଙ୍କୁ ‘ସଏଲ କାର୍ଡ’ ଯୋଗାଇ ଦିଆଯାଇଛି । ଏହାଫଳରେ ଜମିରେ କମ୍ ଓ ସଠିକ୍ କୀଟନାଶକ ବ୍ୟବହାର କରାଯାଇପାରିବ, ଯାହା ମୃତ୍ତିକାକୁ କ୍ଷତି ନୁହେଁ ବରଂ ଉତ୍ପାଦନ କ୍ଷମତା ବୃଦ୍ଧି କରିବ ।