ହାଇଦ୍ରାବାଦ: 15 ଅକ୍ଟୋବରରେ ସାରା ବିଶ୍ବ ପାଳୁଛି ହାତ ଧୁଆ ଦିବସ । ପ୍ରାରମ୍ଭରୁ ହାତ ଧୁଆ ଦିବସ ବା Hand washing Day ଛୋଟ ପିଲା ତଥା ସ୍କୁଲରେ ପାଳନ କରାଯିବା ପାଇଁ ଆରମ୍ଭ ହୋଇଥିଲା କିନ୍ତୁ ଏହାକୁ ଯେକେହି ମଧ୍ୟ ପାଳନ କରି ପାରିବେ ସାବୁନରେ ହାତ ଧୋଇବାକୁ ପ୍ରୋତ୍ସାହନ ଦେବା ପାଇଁ । ପ୍ରତି ବର୍ଷ ସାରା ବିଶ୍ବରେ 200 ମିଲିୟନରୁ ଅଧିକ ଲୋକ 100ଟି ଦେଶରେ ଏହି ଦିନକୁ ପାଳନ କରନ୍ତି । ସାରା ବିଶ୍ବରେ ବିଭିନ୍ନ ସରକାର, ଏନଜିଓ, ଘରୋଇ କମ୍ପାନୀ, ଅନ୍ତରାଷ୍ଟ୍ରୀୟ ସଙ୍ଗଠନ, ନାଗରିକ ସମାଜ ସଙ୍ଗଠନ ଆଦି ସଂସ୍ଥା ହାତଧୁଆ ଦିବସକୁ ସମର୍ଥନ କରନ୍ତି ।
ସାବୁନରେ ହାତ ଧୋଇବାର ପ୍ରଭାବ
- ହାତ ଧୋଇବା ଦ୍ବାରା 47% ଡାଏରିଆ ଜନିତ ରୋଗ ନିରାକରଣ ହୁଏ ।
- 16% ଶ୍ବାସଜନିତ ସଂକ୍ରମଣ ରୋଗ ମଧ୍ୟ ହାତ ଧୋଇବା ଦ୍ବାରା ନିରାକରଣ ହୁଏ ।
- ସ୍ବାସ୍ଥ୍ୟଗତ ସଂକ୍ରମଣ ଗୁଡିକ ମଧ୍ୟ ହାତ ଧୋଇବା ଦ୍ବାରା 40% କମିଥାଏ
ଚଳିତ ବର୍ଷ ହ୍ୟାଣ୍ଡୱାସିଙ୍ଗ ଡେ’ ବା ହାତଧୁଆ ଦିବସର ଥିମ ରହିଛି ‘କ୍ଲିନ ହ୍ୟାଣ୍ଡ୍ସ ଫର ଅଲ’ । ଏଦି ଦିନଟିକୁ 2008 ମସିହାରେ ଗ୍ଲୋବାଲ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ଫର ହ୍ୟାଣ୍ଡୱାସିଙ୍ଗ ଆରମ୍ଭ କରିଥିଲେ । ଯାହାଦ୍ବାରା ବିଶ୍ବସ୍ଥରରେ ସାବୁନରେ ହାତ ଧୋଇବାକୁ ଅଧିକ ଗୁରୁତ୍ବ ଦିଆଯିବ । ବିଶ୍ବର ସମସ୍ତ ଦେଶରେ ହାତଧୁଆ କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବା । ଏହାସହ ସାରା ବିଶ୍ବରେ ସାବୁନରେ ହାତ ଧୋଇବାର ଲାଭ ବିଷୟରେ ସଚତନତା ସୃଷ୍ଟି କରିବା ।
ହାତଧୁଆ ସମ୍ପର୍କରେ କିଛି ସତ୍ୟ ଓ ତଥ୍ୟ
- ପ୍ରତିବର୍ଷ 1.5 ମିଲିୟନରୁ ଅଧିକ ଶିଶୁ ଡାଏରିଆ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡନ୍ତି । ବିଶ୍ବସ୍ତରରେ ଶିଶୁମୃତ୍ୟୁର ଏହା ଏକ ପ୍ରମୁଖ କାରଣ । ସେପଟେ ଭାରତରେ ପ୍ରତିବର୍ଷ ଡାଏରିଆରେ ଶିଶୁମୃ୍ତ୍ୟୁ ସଂଖ୍ୟା 1000 ରୁ ଅଧିକ ।
- ରାନ୍ଧିବା, ଖାଇବା, ଓ ଶୌଚ ହେବା ପରେ ସାବୁନରେ ହାତ ଧୋଇବା ଦ୍ବାରା 40% ପର୍ଯ୍ୟନ୍ତ ଡାଏରିଆକୁ ରୋକାଯାଇ ପାରିବ ।
- ସାବୁନରେ ହାତ ଧୋଇବା ଦ୍ବାରା 23% ପର୍ଯ୍ୟନ୍ତ ଶ୍ବାସ ଜନିତ ସଂକ୍ରମଣକୁ ମଧ୍ୟ ରୋକାଯାଇ ପାରିବ ।
- ଶ୍ବାସ ଜନିତ ସଂକ୍ରମଣର ପ୍ରକୋପ କମ କରିବା କ୍ଷେତ୍ରରେ ହାତଧୁଆ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ । ଦିନକୁ 10 ଥର ସାବୁନରେ ହାତ ଧୋଇବା ଦ୍ବାରା ଶ୍ବାସ ଜନିତ ସଂକ୍ରମଣକୁ 55% କମ କରାଯାଇ ପାରିବ ବୋଲି 2006ର ଏକ ଅନୁଧ୍ୟାନରୁ ଜଣା ପଡିଛି ।
- କମ ଖର୍ଚ୍ଚରେ ଡାଏରିଆ ନିୟନ୍ତ୍ରଣ କରିବା ପାଇଁ ସାବୁନରେ ହାତ ଧୋଇବା ସହାୟକ ହୋଇଥାଏ ।
- ପ୍ରାଥମିକ ବିଦ୍ୟାଳୟ, ଆଙ୍ଗନବାଡି କେନ୍ଦ୍ର ପରି ସଂସ୍ଥା ଗୁଡିକରେ ହାତଧୁଆ ଦ୍ବାରା ଡାଏରିଆକୁ 30 ପ୍ରତିଶତ ପର୍ଯ୍ୟନ୍ତ କମ କରାଯାଇପାରିବ ।
- ସାରା ବିଶ୍ବରେ ସାବୁନରେ ହାତ ଧୋଇବା ଲୋକଙ୍କ ସଂଖ୍ୟା ଖୁବ କମ । ଖାଇବା, ରୋଷେଇ କରିବା ଓ ଶୌଚ ହେବା ପରେ ମାତ୍ର 0-34 ପ୍ରତିଶତ ଲୋକ ସାବୁନରେ ହାତ ଧୋଇଥାନ୍ତି ।
- ଏକ ଅଧ୍ୟୟନ ଅନୁସାରେ ପ୍ରସବ ସମୟରେ ପସୂତୀ ଓ ଆଟେଣ୍ଡାଣ୍ଟଙ୍କ ହାତ ଧୁଆ ହେବା ନିହାତି ଆବଶ୍ୟକ, ଯାହାଦ୍ବାରା ନବଜାତର ସୁରକ୍ଷା 44% ବୃଦ୍ଧି ପାଇଥାଏ ।
- ହାତ ଧୋଇବା ପାଇଁ କେବଳ ପାଣି ଯଥେଷ୍ଟ ନୁହେଁ । ତଥାପି ହାତ ଧୋଇବା ପାଇଁ ସାବୁନର ବ୍ୟବହାର ଖୁବ କମ ହୋଇଥାଏ । ସାବୁନର ବ୍ୟବହାର କମ ହେବାର କାରଣ ସାବୁନର ଅଭାବ ନୁହେଁ । କାରଣ ସାରା ବିଶ୍ବର ସମସ୍ତ ଦେଶରେ ପ୍ରତ୍ୟେକ ପରିବାର ଗାଧୋଇବା, ବାସନ ଧୋଇବା, ଲୁଗା ସଫା କରିବା କାର୍ଯ୍ୟରେ ସାବୁନ ବ୍ୟବହାର କରନ୍ତି ।
15 ଅକ୍ଟୋବର 2019ରେ ହେବାକୁ ଥିବା ରେକର୍ଡ
ଆମେରିକାର ଛାତ୍ରଛାତ୍ରୀ ଚଳିତ ବର୍ଷ ହାତଧୁଆ ଦିବସରେ ଗିନିସ ବୁକରେ ବିଶ୍ବ ରେକର୍ଡ କରିବା ପାଇଁ ସର୍ବାଧିକ ସଂଖ୍ୟାରେ ଏକାସହ ଗୋଟିଏ ସମୟରେ ହାତ ଧୋଇବାକୁ ପ୍ରୟାସ କରିବେ । ଡାଏରିଆ ଓ ନିମୋନିଆ ଜନିତ ରୋଗ ଗୁଡିକୁ ପ୍ରତିରୋଧ କରିବା ପାଇଁ ଏହା ଏକ ସ୍ବଳ୍ପ ବ୍ୟୟରେ ପ୍ରଭାବଶାଳୀ ଓ ମଜାଳିଆ ପଦକ୍ଷେପ ହେବ ।
ଭାରତରେ ହାତଧୁଆ ଦିବସର ଇତିହାସ
- 2008ରେ ପ୍ରଥମ କରି ଯେତେବେଳେ ବିଶ୍ବ ହାତଧୁଆ ଦିବସ ପାଳନ କରାଗଲା, ସ୍କୁଲ ପିଲାଙ୍କୁ ଏନେଇ ଅଧକ ଗୁରୁତ୍ବ ଦିଆଯାଇଥିଲା । 70ରୁ ଅଧିକ ଦେଶରେ ଅଧିକରୁ ଅଧିକ ଶିଶୁ ସାବୁନରେ ହାତ ଧୋଇବା ନେଇ ଲକ୍ଷ୍ୟ ରଖାଯାଇଥିଲା । ପ୍ରଥମ ହାତ ଧୁଆ ଦିବସରେ କ୍ରିକେଟର ସଚିନ ତେନ୍ଦୁଲକର ଓ ତାଙ୍କ ସାଥୀ ଖେଳାଳି ମାନେ ସାରା ଦେଶର ପ୍ରାୟ 100 ମିଲିୟନ ସ୍କୁଲ ପିଲାଙ୍କୁ ଏକତ୍ର କରି ଉତ୍ତମ ସ୍ବାସ୍ଥ୍ୟ ଓ ସଫାସୁତୁରା ରହିବାର ବାର୍ତ୍ତା ଦେଇଥିଲେ ।
- 2014ରେ ଏହି ଅଭିଯାନ ଇବୋଲା ନାମକ ମରଣାନ୍ତକ ଭୂତାଣୁ ସହ ସଂଗ୍ରାମ କରିବା ପାଇଁ ବ୍ୟବହୃତ ହେଇଥିଲା ।
- 2014 ଅକ୍ଟୋବର 2 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ସ୍ବଚ୍ଛ ଭାରତ ଅଭିଯାନ ସ୍ବଚ୍ଛତା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
- 2015ରେ ହାତ ଧୋଇବାର ଏକ ବିଶାଳ କାର୍ଯ୍ୟକ୍ରମ ପାଇଁ ମଧ୍ୟ ପ୍ରଦେଶ ବିଶ୍ବ ରେକର୍ଡ କରିଥିଲା । ବିଶ୍ବ ହାତ ଧୁଆ ଦିବସରେ ମଧ୍ୟ ପ୍ରଦେଶର 51ଟି ଜିଲ୍ଲାର 13 ହଜାର 196ଟି ସ୍ଥାନରେ 12 ଲକ୍ଷ 76 ହଜାର 425 ଜଣ ଶିଶୁ ହାତ ଧୁଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ହାତ ଧୁଆ ଦିବସରେ ଟ୍ବିଟରରେ ମଧ୍ୟ କ୍ୟାମ୍ପେନ ହୋଇଥାଏ #globalhandwashingday ।
ପ୍ରଥମେ ହାତ ଓଦା କରିବା ଦେଇ ପାଣି
ତାପରେ ହାତରେ ରଖିବା ବାସ୍ନା ସାବୁନ ଆଣି
ହାତରେ ହାତ ମିଶାଇ ଦେବା ପୁଣି
ତାପରେ ବୁଲାଇ ହାତ ଆଗ ପଛକୁ ଘସିବା ଆମେ ଜାଣି
ଆଙ୍ଗୁଠିରେ ଛନ୍ଦି ଆଙ୍ଗୁଠି ଆମେ ହାତକୁ ଦେବା ଧୋଇ,
ହାତ ହୋଇଲେ ସଫା ଆମେ ରହିବା ସୁଖୀ ହୋଇ...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ