ହାଇଦ୍ରାବାଦ: 15 ଅକ୍ଟୋବରରେ ସାରା ବିଶ୍ବ ପାଳୁଛି ହାତ ଧୁଆ ଦିବସ । ପ୍ରାରମ୍ଭରୁ ହାତ ଧୁଆ ଦିବସ ବା Hand washing Day ଛୋଟ ପିଲା ତଥା ସ୍କୁଲରେ ପାଳନ କରାଯିବା ପାଇଁ ଆରମ୍ଭ ହୋଇଥିଲା କିନ୍ତୁ ଏହାକୁ ଯେକେହି ମଧ୍ୟ ପାଳନ କରି ପାରିବେ । ତେବେ କୋରୋନା କାଳରେ ହାତ ଧୁଆ ଦିବସର ଗୁରୁତ୍ବ ବଢି ଯାଇଛି । କୋରୋନା ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି । ତେବେ ଚଳିତ ବର୍ଷ ହ୍ୟାଣ୍ଡ ୱାସିଂ ଡେ ର ଥିମ ରହିଛି 'ହ୍ୟାଣ୍ଡ ହାଇଜିନ ଫର୍ ଅଲ' ।
ପ୍ରତି ବର୍ଷ ସାରା ବିଶ୍ବରେ 200 ମିଲିୟନରୁ ଅଧିକ ଲୋକ 100ଟି ଦେଶରେ ଏହି ଦିନକୁ ପାଳନ କରନ୍ତି । ସାରା ବିଶ୍ବରେ ବିଭିନ୍ନ ସରକାର, ଏନଜିଓ, ଘରୋଇ କମ୍ପାନୀ, ଅନ୍ତରାଷ୍ଟ୍ରୀୟ ସଙ୍ଗଠନ, ନାଗରିକ ସମାଜ ସଙ୍ଗଠନ ଆଦି ସଂସ୍ଥା ହାତଧୁଆ ଦିବସକୁ ସମର୍ଥନ କରନ୍ତି ।
ତେବେ ଜାଣନ୍ତୁ ହାତ ଧୋଇବା ଦ୍ବାରା କ'ଣ ହୋଇଥାଏ...
- ହାତ ଧୋଇବା ଦ୍ବାରା 47% ଡାଏରିଆ ଜନିତ ରୋଗ ନିରାକରଣ ହୁଏ ।
- 16% ଶ୍ବାସଜନିତ ସଂକ୍ରମଣ ରୋଗ ମଧ୍ୟ ହାତ ଧୋଇବା ଦ୍ବାରା ନିରାକରଣ ହୁଏ ।
- ସ୍ବାସ୍ଥ୍ୟଗତ ସଂକ୍ରମଣ ଗୁଡିକ ମଧ୍ୟ ହାତ ଧୋଇବା ଦ୍ବାରା 40% କମିଥାଏ
ହାତଧୁଆ ସମ୍ପର୍କରେ କିଛି ସତ୍ୟ ଓ ତଥ୍ୟ...
- ପ୍ରତିବର୍ଷ 1.5 ମିଲିୟନରୁ ଅଧିକ ଶିଶୁ ଡାଏରିଆ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡନ୍ତି । ବିଶ୍ବସ୍ତରରେ ଶିଶୁମୃତ୍ୟୁର ଏହା ଏକ ପ୍ରମୁଖ କାରଣ । ସେପଟେ ଭାରତରେ ପ୍ରତିବର୍ଷ ଡାଏରିଆରେ ଶିଶୁମୃ୍ତ୍ୟୁ ସଂଖ୍ୟା 1000 ରୁ ଅଧିକ ।
- ରାନ୍ଧିବା, ଖାଇବା, ଓ ଶୌଚ ହେବା ପରେ ସାବୁନରେ ହାତ ଧୋଇବା ଦ୍ବାରା 40% ପର୍ଯ୍ୟନ୍ତ ଡାଏରିଆକୁ ରୋକାଯାଇ ପାରିବ ।
- ସାବୁନରେ ହାତ ଧୋଇବା ଦ୍ବାରା 23% ପର୍ଯ୍ୟନ୍ତ ଶ୍ବାସ ଜନିତ ସଂକ୍ରମଣକୁ ମଧ୍ୟ ରୋକାଯାଇ ପାରିବ ।
- ଶ୍ବାସ ଜନିତ ସଂକ୍ରମଣର ପ୍ରକୋପ କମ କରିବା କ୍ଷେତ୍ରରେ ହାତଧୁଆ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ । ଦିନକୁ 10 ଥର ସାବୁନରେ ହାତ ଧୋଇବା ଦ୍ବାରା ଶ୍ବାସ ଜନିତ ସଂକ୍ରମଣକୁ 55% କମ କରାଯାଇ ପାରିବ ବୋଲି 2006ର ଏକ ଅନୁଧ୍ୟାନରୁ ଜଣା ପଡିଛି ।
- କମ ଖର୍ଚ୍ଚରେ ଡାଏରିଆ ନିୟନ୍ତ୍ରଣ କରିବା ପାଇଁ ସାବୁନରେ ହାତ ଧୋଇବା ସହାୟକ ହୋଇଥାଏ ।
- ପ୍ରାଥମିକ ବିଦ୍ୟାଳୟ, ଆଙ୍ଗନବାଡି କେନ୍ଦ୍ର ପରି ସଂସ୍ଥା ଗୁଡିକରେ ହାତଧୁଆ ଦ୍ବାରା ଡାଏରିଆକୁ 30 ପ୍ରତିଶତ ପର୍ଯ୍ୟନ୍ତ କମ କରାଯାଇପାରିବ ।
- ସାରା ବିଶ୍ବରେ ସାବୁନରେ ହାତ ଧୋଇବା ଲୋକଙ୍କ ସଂଖ୍ୟା ଖୁବ କମ । ଖାଇବା, ରୋଷେଇ କରିବା ଓ ଶୌଚ ହେବା ପରେ ମାତ୍ର 0-34 ପ୍ରତିଶତ ଲୋକ ସାବୁନରେ ହାତ ଧୋଇଥାନ୍ତି ।
- ଏକ ଅଧ୍ୟୟନ ଅନୁସାରେ ପ୍ରସବ ସମୟରେ ପସୂତୀ ଓ ଆଟେଣ୍ଡାଣ୍ଟଙ୍କ ହାତ ଧୁଆ ହେବା ନିହାତି ଆବଶ୍ୟକ, ଯାହାଦ୍ବାରା ନବଜାତର ସୁରକ୍ଷା 44% ବୃଦ୍ଧି ପାଇଥାଏ ।
- ହାତ ଧୋଇବା ପାଇଁ କେବଳ ପାଣି ଯଥେଷ୍ଟ ନୁହେଁ । ତଥାପି ହାତ ଧୋଇବା ପାଇଁ ସାବୁନର ବ୍ୟବହାର ଖୁବ କମ ହୋଇଥାଏ । ସାବୁନର ବ୍ୟବହାର କମ ହେବାର କାରଣ ସାବୁନର ଅଭାବ ନୁହେଁ । କାରଣ ସାରା ବିଶ୍ବର ସମସ୍ତ ଦେଶରେ ପ୍ରତ୍ୟେକ ପରିବାର ଗାଧୋଇବା, ବାସନ ଧୋଇବା, ଲୁଗା ସଫା କରିବା କାର୍ଯ୍ୟରେ ସାବୁନ ବ୍ୟବହାର କରନ୍ତି ।
- ତେବେ କୋରୋନା କାଳରେ ପ୍ରତ୍ୟେକ ବ୍ୟକ୍ତି ହାତ ଧୋଇବା ପ୍ରତି ଗୁରୁତ୍ବ ଦେବା ଜରୁରୀ ହୋଇ ପଡିଛି ।