ଲକ୍ଷ୍ନୌ: ସୋନଭଦ୍ରା ଗୁଳିକାଣ୍ଡ ଘଟଣାରେ ପୀଡିତଙ୍କ ପରିବାରକୁ ଭେଟିବାକୁ ଦାବି କରି ଅଟକ ହେବାପରେ ଧାରଣାରେ ବସିରହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସେ ଗତକାଲି ସାରା ରାତି ଧାରଣାରେ ବସି ରହିଥିବାବେଳେ ଆଜି ସକାଳେ ମଧ୍ୟ ସେ ନିଜ ଧାରଣା ଜାରି ରଖିଛନ୍ତି । ଏହାସହ ଦଳୀୟ ନେତାମାନେ ମଧ୍ୟ ତାଙ୍କ ସହ ଧାରଣାରେ ଯୋଗ ଦେଇଛନ୍ତି । ସେ ପୀଡିତଙ୍କ ପରିବାରକୁ ନ ଭେଟିବା ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ପ୍ରିୟଙ୍କା ସ୍ପଷ୍ଟ କରିଛନ୍ତି ।
ଗତକାଲି ପ୍ରିୟଙ୍କାଙ୍କୁ ପୋଲିସ ଅଟକ ରଖିବା ପରେ ମିର୍ଜାପୁରର ଚୁନାର ଗେଷ୍ଟ ହାଉସରେ ରଖିଥିଲା । ସେଠାରେ ସେ ଧାରଣାରେ ବସିଥିଲେ । ଉଚ୍ଚ ପୋଲିସ ଅଧିକାରୀମାନେ ତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେ ନିଜ ଜିଦରେ ଅଟଳ ରହି ରାତି ତମାମ ଧାରଣାରେ ବସି ରହିଥିଲେ । ସକାଳୁ ମଧ୍ୟ ଦଳୀୟ କର୍ମୀଙ୍କ ସହ ଧାରଣା ଜାରି ରଖିଛନ୍ତି ।
ଗତକାଲି ଡାକ୍ତରଖାନାରେ ଆହତଙ୍କୁ ଭେଟିବା ପରେ ପ୍ରିୟଙ୍କା ଗାନ୍ଧୀ ଘଟଣାସ୍ଥଳକୁ ପରିଦର୍ଶନରେ ଯାଉଥିଲାବେଳେ ପୋଲିସ ତାଙ୍କୁ ଅଟକାଇବା ସହ ହେପାଜତକୁ ନେଇଥିଲା । ଗୁଳିକାଣ୍ଡ ସ୍ଥଳରେ 144 ଧାରା ବଳବତ୍ତର ରହିଥିବାରୁ ପୋଲିସ ତାଙ୍କୁ ଅଟକାଇଥିଲା ।