ଥିରୁଅନନ୍ତପୁରମ: ରୁପାଞ୍ଜେଲ ଭଳି ଲମ୍ବା କେଶ ରଖିବା ଥିଲା ସଉକ । ପେଶାରେ ପୋଲିସ ଅଧିକାରୀ ହେଲେ ବି ଲମ୍ବା କେଶ ରଖିବା ତାଙ୍କର ସବୁଠୁ ବଡ ହବି । କିନ୍ତୁ ଜୀବନ ସହ ସଂଘର୍ଷ କରୁଥିବା କ୍ୟାନସର ରୋଗୀଙ୍କ ମୁହଁରେ ଟିକିଏ ହସ ପାଇଁ, ସେମାନଙ୍କ ସାଥ ଦେବା ପାଇଁ ନିଜର ଲମ୍ବା କେଶ କାଟି ଏବେ ଚର୍ଚ୍ଚିତ ।
ଆମେ କହୁଛୁ କେରଳ ତ୍ରିଶୂରର ସିନିଅର ସିଭିଲ ପୋଲିସ ଅଫିସର ଅପର୍ଣ୍ଣା ଲଭକୁମାରଙ୍କ କଥା । ଲମ୍ବା କେଶ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ରୁପାଞ୍ଜେଲ ଭାବେ ଜଣାଶୁଣା ସେ । ଅପର୍ଣ୍ଣା ଆଣ୍ଠୁ ପର୍ଯ୍ୟନ୍ତ ରଖିଥିଲେ କେଶ । ପ୍ରଥମ ଥର ପାଇଁ ତିନି ବର୍ଷ ତଳେ ସେ କେଶ ଦାନ ଦେଇଥିଲେ ।
କ୍ୟାନସର ରୋଗୀଙ୍କୁ ଆର୍ଥିକ ସହାୟତା କରିବା ମୋ ପକ୍ଷେ ସମ୍ଭବ ନୁହେଁ । ଏତିକି କରି ସେମାନଙ୍କ ମୁହଁରେ ହସ ଆଣିପାରିଲି ସେତିକି ଯଥେଷ୍ଟ । ଅନେକ ସମୟରେ କୁନି କୁନି କ୍ୟାନସର ରୋଗୀ କେଶ ଝଡିବା ପରେ ସ୍କୁଲଗଲେ ସମସ୍ତଙ୍କ ହସର ପାତ୍ର ହୋଇଥାନ୍ତି । ତେଣୁ ସେମାନଙ୍କୁ ସାହସ ଦେବା ପାଇଁ ମୁଁ ଏହି ପଦକ୍ଷେପ ନେଇଛି ବୋଲି କହନ୍ତି ଅପର୍ଣ୍ଣା ।
କେବଳ ଅପର୍ଣ୍ଣା ନୁହଁନ୍ତି ତାଙ୍କ ଝିଅ ଦେବୀକା ଏବଂ ଗୌରୀ ମଧ୍ୟ 2 ବର୍ଷ ତଳେ କ୍ୟାନସର ହସ୍ପିଟାଲକୁ ତାଙ୍କର ଲମ୍ବା କେଶ ଦାନ ଦେଇଛନ୍ତି । ଅପର୍ଣ୍ଣାଙ୍କର ଏହି କାମକୁ ଛୁଟୁଛି ପ୍ରଂଶସାର ସୁଅ ।