ବେଙ୍ଗାଲୁରୁ: ଅନଲାଇନରୁ କିଛି ଅର୍ଡର କରୁଛନ୍ତି କି ? ହୋଇଯାଆନ୍ତୁ ସତର୍କ । ଅର୍ଡର ଦେବା ନାଁରେ ଆପଣ ବି ହୋଇପାରନ୍ତି ଠକାମୀର ଶିକାର । ମାତ୍ର 800 ଚଙ୍କାର ଡ୍ରେସ ଅର୍ଡର ଦେଇ ପାଖାପାଖି 80 ହଜାର ଟଙ୍କାର ଠକାମୀର ଶିକାର ହୋଇଛନ୍ତି ଜଣେ ଯୁବତୀ । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଗୋଟିଗେର ଅଞ୍ଚଳରେ ।
ଗୋଟିଗେର ଅଞ୍ଚଳରେ ରହୁଥିବା ଶ୍ରାବଣା ନାମକ ଜଣେ ଯୁବତୀ ପ୍ଲେ ଷ୍ଟୋରରୁ ‘ଇ-କମର୍ସ’ ନାମକ ଏକ ଆପ୍ ଡାଉନଲୋଡ କରିଥିଲେ । ଏଥିରୁ ସେ 800 ଡ୍ରେସ ଅନଲାଇନ ଅର୍ଡର ଦେଇଥିଲେ । ହେଲେ ଅନଲାଇନରୁ ଡ୍ରେସ ନ ଆସିବାରୁ ସେ ଆପ୍ରେ ଦିଆଯାଇଥିବା କଷ୍ଟମର କେୟାରକୁ ଫୋନ କରିଥିଲେ । ସଙ୍ଗେ ସଙ୍ଗେ ସେପଟୁ ଉତ୍ତର ଆସିଥିଲା ଆପଣଙ୍କ ଅର୍ଡର ଯଥାଶିଘ୍ର ପାଇଯିବେ । ଏଥିସହ ତାଙ୍କୁ ଏକ ଫର୍ମ ଫିଲଅପ୍ କରିବାକୁ କହିଥିଲେ କଷ୍ଟମର କେୟାର କର୍ତ୍ତୃପକ୍ଷ । ସେଥିରେ ବ୍ୟାଙ୍କର ତଥ୍ୟ ଦେବା ପାଇଁ ମଧ୍ୟ କୁହାଯାଇଥିଲା ।
ଏଥିସହ ଫର୍ମ ଫିଲଅପ୍ ପରେ ଶ୍ରାବଣାଙ୍କ ଫୋନକୁ ଆସିଥିବା ଓଟିପି ମାଗିଥିଲେ କଷ୍ଟମର କେୟାର କର୍ତ୍ତୃପକ୍ଷ । ବାସ୍ ଏତିକିରେ ହିଁ ପର୍ଯ୍ୟାୟକ୍ରମେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟିଯାଇଥିଲା 79ହଜାର 600ଟଙ୍କା । ଠକାମୀର ଶିକାର ହୋଇଥିବା ଜାଣିପାରି ଶ୍ରାବଣା ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।