ନୂଆଦିଲ୍ଲୀ:କୋରୋନା ବିଶ୍ବର 188 ଦେଶକୁ ନିଜ କବଳରେ ରଖିଛି । ବିଶ୍ବର ପାଖାପାଖି 16 କୋଟି ଲୋକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଦେଶରେ 14 ଲକ୍ଷ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟାରେ ଦେଶରେ ସର୍ବାଧିକ 49931 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 14 ଲକ୍ଷ 35 ହଜାର 453ରେ ପହଞ୍ଚିଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 9 ଲକ୍ଷ 17 ହଜାର 568 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 4 ଲକ୍ଷ 35 ହଜାର 114 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ଏହି ମାରାତ୍ମକ ଭାଇରସ କାରଣରୁ ଏବେସୁଦ୍ଧା 32771 ଆକ୍ରାନ୍ତ ପ୍ରାଣ ହରାଇଥିବା ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।
କୋରୋନାରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏବେ କେବଳ ମହାରାଷ୍ଟ୍ରରେ 3ଲକ୍ଷ 75 ହଜାର 799 କୋରୋନା ଆକ୍ରାନ୍ତ ରହିଛନ୍ତି । ଦ୍ବିତୀୟ ପ୍ରଭାବିତ ରାଜ୍ୟରେ ତାମିଲନାଡୁ ରହିଛି । ଯେଉଁଠାରେ ବର୍ତ୍ତମାନ 2 ଲକ୍ଷ 13 ହଜାର 723 କୋରୋନା ମାମଲା ରହିଛି । ତୃତୀୟରେ ରହିଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ବର୍ତ୍ତମାନ 1 ଲକ୍ଷ 30 ହଜାର 606 କୋରୋନା ଆକ୍ରାନ୍ତ ରହିଛନ୍ତି।