ଇନ୍ଦୋର: କଂଗ୍ରେସ କ୍ଷମତାକୁ ଆସିଲେ ସ୍ତ୍ରୀକୁ ପଇସା ଦେବ ସ୍ବାମୀ । ଭରଣପୋଷଣ ବାବଦରେ ସ୍ତ୍ରୀକୁ ମାସିକ 4500 ଟଙ୍କା ସ୍ବାମୀ ଦେବ। ଏଭଳି ଏକ କଥା ମଧ୍ୟପ୍ରଦେଶର ଏକ କୋର୍ଟରେ ଜଣେ ସ୍ବାମୀ ଭରଣପୋଷଣ ବାବଦରେ ତା ସ୍ତ୍ରୀ କରିଥିବା ପିଟିସନ ଉପରେ କୋର୍ଟକୁ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସ୍ତ୍ରୀ ତଥା ପିଲାର ଭରଣପୋଷଣ ପାଇଁ ସ୍ବାମୀ ଜଣଙ୍କ ସ୍ତ୍ରୀକୁ ପ୍ରତି ମାସରେ 1500 ଟଙ୍କା ଦେଉଥିଲା। ଏଥିରେ ଚଳିବା ପାଇଁ କଷ୍ଟ ହେବାରୁ ଏହାକୁ ବୃଦ୍ଧି କରିବା ପାଇଁ ସ୍ତ୍ରୀ ଜଣଙ୍କ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ଏହି ମାମଲାର ଶୁଣାଣୀ କରି ଉକ୍ତ ସ୍ବାମୀକୁ ମାସକୁ 4500 ଟଙ୍କା ତା ସ୍ତ୍ରୀକୁ ଦେବା ପାଇଁ କହିଥିଲେ । ତେବେ କୋର୍ଟଙ୍କ ଏହି ରାୟ ଉପରେ ନିଜର ପ୍ରତିକ୍ରିୟା ରଖିବା ସହ ସେ ଫିଲ୍ମ ଇଣ୍ଡ୍ରଷ୍ଟିରେ କାମ କରୁଛନ୍ତି ଓ ମାସକୁ ମାତ୍ର 5ରୁ 6 ହଜାର ଟଙ୍କା ପାଉଛନ୍ତି ଯାହା ତାଙ୍କ ପିତାମାତାଙ୍କ ଖର୍ଚ୍ଚରେ ଚାଲିଯାଉଥିବା ସ୍ବାମୀ କହିଛନ୍ତି।
ଏହା ସହ ନିକଟରେ କଂଗ୍ରେସ କରିଥିବା ଘୋଷଣାକୁ ମନେପକାଇ ସ୍ବାମୀ କହିଛନ୍ତି, କଂଗ୍ରେସ ଘୋଷଣା କରିଛି କି ଯଦି କ୍ଷମତାକୁ ଆସେ ତେବେ 20 ପ୍ରତିଶତ ଗରିବ ପରିବାରକୁ ବର୍ଷକୁ 72 ହଜାର ଟଙ୍କା ଦେବ । ଏହା ଲାଗୁ ହେଲେ ମାସକୁ 6 ହଜାର ଟଙ୍କା ତାକୁ ମିଳିବ ବୋଲି କହିବା ସହ ସେହି ପଇସାରୁସ୍ତ୍ରୀକୁ ସେ 4500 ଟଙ୍କା ଦେବେ ବୋଲି କହିଛନ୍ତି।
ଏହା ସହ ଯଦି କଂଗ୍ରେସ କ୍ଷମତାକୁ ନ ଆସେ ଏ ଯୋଜନା ଲାଗୁ ନହେବା ପରି କୋର୍ଟ ଦେଇଥିବା ଏହି ଅର୍ଡରକୁ ସ୍ଥଗିତ କରିବାକୁ ସେ କୋର୍ଟକୁ କହିଛନ୍ତି । ସୂଚନା ଥାଉକି, କଂଗ୍ରେସ କ୍ଷମତାକୁ ଆସିଲେ 20 ପ୍ରତିଶତ ଗରିବ ପରିବାରକୁ ବର୍ଷକୁ 72 ହଜାର ଟଙ୍କା ଦିଆଯିବ ବୋଲି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି ।