ଛଅ ବର୍ଷ ତଳେ, ସୁପ୍ରିମକୋର୍ଟ ମତ ଦେଇଥିଲେ ଯେ, ସୁଶାସନର ଅର୍ଥ ହେଉଛି, ଅପରାଧୀଙ୍କ ବିରୋଧରେ ତ୍ବରିତ ଦଣ୍ଡବିଧାନକୁ ସୁନିଶ୍ଚିତ କରିବା । ହେଲେ ଆପରାଧିକ ପୃଷ୍ଠଭୂମି ରହିଥିବା ନେତାମାନଙ୍କର ପ୍ରଚଣ୍ଡ ଆତ୍ମବିଶ୍ବାସ ରହିଆସିଛି ଯେ, ସେମାନେ ନିଜେ ହିଁ ଲୋକଙ୍କ ପ୍ରତିନିଧି ଭାବରେ ରାଜୁତି କରୁଥିବା ବେଳେ ଦଣ୍ଡବିଧାନର ଅବସର ହିଁ ନାହିଁ !
ପୂର୍ବତନ ରାଷ୍ଟ୍ରପତି ନାରାୟଣନ କହିଥିଲେ ଯେ, ରାଜନୈତିକ ଦଳମାନେ ଆପରାଧିକ ପୃଷ୍ଠଭୂମି ରହିଥିବା ନେତାମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ନ ଦେବାକୁ ନିଷ୍ପତ୍ତି ନେଲେ ସହଜରେ ସମସ୍ୟାର ସମାଧାନ ହୋଇଯିବ ଏବଂ ସେ ସେମାନଙ୍କୁ ପ୍ରଶ୍ନ ବି କରିଥିଲେ: ‘ଦଳମାନେ କ’ଣ ଏତିକି କରିପାରିବେ ନାହିଁ’ ? ହେଲେ, ଏ ସମସ୍ତ ସୁଚିନ୍ତିତ ପରାମର୍ଶକୁ ଏଡ଼ାଇ ଦେଇ ଅପରାଧୀମାନଙ୍କୁ ନିଜ ନିଜର ଦଳରେ ସାମିଲ କରିବାକୁ ଏକ ପ୍ରକାର ପ୍ରତିଯୋଗିତାରେ ମାତି ଯାଇଥିବା ରାଜନୈତିକ ଦଳମାନଙ୍କ ସୌଜନ୍ୟରୁ ହିଁ ବର୍ତ୍ତମାନ ଲୋକସଭାକୁ ନିର୍ବାଚିତ 43 ପ୍ରତିଶତ ଲୋକ ପ୍ରତିନିଧିଙ୍କର ଆପରାଧିକ ପୃଷ୍ଠଭୂମି ରହିଛି !
ଦୁର୍ନୀତି ଓ ଆପରାଧିକ ରାଜନୀତି କବଳରୁ ଗଣତନ୍ତ୍ରର ପବିତ୍ରତାକୁ ସରୁକ୍ଷିତ ରଖିବା ଲକ୍ଷ୍ୟ ନେଇ ସୁପ୍ରିମ କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଅନୁସରଣରେ ତେଲଙ୍ଗାନା ହାଇକୋର୍ଟ ପନ୍ଦର ଦିନ ତଳେ ଏକ ଅଭିଯାନର ସୂତ୍ରପାତ କରିଛନ୍ତି । ରାଜ୍ୟର 118ଟି ସ୍ବତନ୍ତ୍ର କୋର୍ଟ, ସିବିଆଇ ଓ ଏସିବି କୋର୍ଟରେ ଲୋକ ପ୍ରତନିଧିମାନଙ୍କ ବିରୋଧରେ ରହିଥିବା ମାମଲାଗୁଡ଼ିକର ଦୈନିକ ଶୁଣାଣି ବ୍ୟବସ୍ଥା ନିମନ୍ତେ ହାଇକୋର୍ଟ ଉପକ୍ରମ କରିଛନ୍ତି । ସାଂସଦମାନଙ୍କ ବିରୋଧରେ ସମନ ଜାରି କରା ଯାଉନଥିବା ଘଟଣାରେ ବିରକ୍ତି ପ୍ରକାଶ କରି ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ପ୍ରସଙ୍ଗରେ କୋର୍ଟଙ୍କ ସହାୟତା କରୁଥିବା ଆମିକସ୍ କ୍ୟୁରି ବିଜୟ ହଂସାରିଆ ସୁପ୍ରିମକୋର୍ଟରେ କହିଛନ୍ତି ଯେ, ପୂର୍ବତନ ଏବଂ ବର୍ତ୍ତମାନର ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ସାରା ଦେଶରେ 4,442ଟି ବିଚାରାଧୀନ ମାମଲା ରହିଛି ଏବଂ ସେଥିରୁ 2,556ଟି ମାମଲା ରହିଛି ବର୍ତ୍ତମାନର ସାଂସଦ ଓ ବିଧାୟକମାନଙ୍କ ବିରୋଧରେ । ଯେଉଁ 413ଟି ମାମଲାରେ ଆଜୀବନ କାରାଦଣ୍ଡାଦେଶ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି, ସେଥିରୁ 174ଟି ବର୍ତ୍ତମାନର ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ରହିଛି ।
ଏଥିପାଇଁ ଯଦିଓ ଗତ ଦୁଇ ବର୍ଷରେ କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ତାମିଲନାଡୁ ଏବଂ ପଶ୍ଚିମ ବଙ୍ଗ ସହିତ ଦୁଇଟି ଯାକ ତେଲୁଗୁ ରାଜ୍ୟରେ ସ୍ବତନ୍ତ୍ର କୋର୍ଟ ସ୍ଥାପନ କରାଯାଇଛି, ତଥାପି ଏହି ମାମଲାଗୁଡ଼ିକ ବିଚାରାଧୀନ ଅବସ୍ଥାରେ ରହିଛି । ଏବେ ତେଲଙ୍ଗାନା ହାଇକୋର୍ଟଙ୍କ ଏହି ଅଭିଯାନ ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ଜାଗ୍ରତ କରିବ ! ନାଗରିକମାନଙ୍କର ସୂଚନା ଅଧିକାରକୁ ଏକ ଅସ୍ତ୍ର ଭାବରେ ରୂପାନ୍ତରିତ କରି ନିର୍ବାଚନ ଲଢ଼ିବାକୁ ଯାଉଥିବା ସବୁ ପ୍ରାର୍ଥୀଙ୍କର ଆପରାଧିକ ପୃଷ୍ଠଭୂମି ସମେତ ବ୍ୟକ୍ତିଗତ ତଥ୍ୟାବଳୀକୁ ଖବରକାଗଜ ଏବଂ ଅନ୍ୟ ଉପଲବ୍ଧ ଗଣମାଧ୍ୟମ ଜରିଆରେ ସର୍ବସାଧାରଣରେ ପ୍ରକାଶ କରିବା ଲାଗି 2018ରେ ସୁପ୍ରିମ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ...
ବାସ୍ତବ କ୍ଷେତ୍ରରେ ତାହା ଯଥାର୍ଥରେ ପାଳନ କରାଯାଉନାହିଁ । ଯେହେତୁ ନିର୍ବାଚନ କମିସନ ନିର୍ଦ୍ଦିଷ୍ଟ ଭାବେ ପ୍ରମୁଖ ଚ୍ୟାନେଲ ଓ ଖବରକାଗଜର ତାଲିକା ପ୍ରକାଶ କରିନାହାନ୍ତି, ତେଣୁ, ପ୍ରାର୍ଥୀମାନେ କମ୍ ସଂଖ୍ୟାରେ ପ୍ରସାରିତ ଖବରକାଗଜରେ ଏବଂ ଅସମୟରେ, ଗଣମାଧ୍ୟମରେ ସେମାନଙ୍କ ବିରୋଧରେ ଥିବା ମାମଲାର ତାଲିକା ପ୍ରକାଶ କରି ଆଇନର ଆବଶ୍ୟକତା ପୂରଣ ନାଁରେ ନିସ୍ତାର ପାଇଯାଉଛନ୍ତି । ରାଜନୀତିକୁ ଅପରାଧୀଙ୍କ କବଳରୁ ମୁକ୍ତ କରିବା ପାଇଁ କଠୋର ଆଇନ ପ୍ରଣୟନ ନିମନ୍ତେ ସେପ୍ଟେମ୍ବର ମାସରେ ସୁପ୍ରିମ କୋର୍ଟ ସଂସଦକୁ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ବିଧାନର ଢାଞ୍ଚା ମଧ୍ୟରେ ରହି ଚାଲିଆସିଥିବା ଦୁର୍ନୀତିପୂର୍ଣ୍ଣ ରାଜନୀତିର ଅନ୍ତ ଘଟାଇବା ନିମନ୍ତେ ବିଚାର ବିଭାଗ ଆକ୍ଷରିକ ଅର୍ଥରେ ଏକାକୀ ସଂଗ୍ରାମ କରିଚାଲିଛି । ସୁପ୍ରିମ କୋର୍ଟଙ୍କ ରାୟ ପ୍ରତି ସଂପୂର୍ଣ୍ଣ ସମ୍ମାନ ଜଣାଇ ଅତୀତର ବିଭିନ୍ନ ନିର୍ବାଚନରେ କଂଗ୍ରେସ ପକ୍ଷରୁ ଆପରାଧିକ ପୃଷ୍ଠଭୂମି ସମ୍ବଳିତ ଅଧିକ 47 ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଥିବା ବେଳେ ଚଳିତ ଲୋକସଭାରେ ବିଜେପିର 59 ଜଣ ସାଂସଦଙ୍କ ବିରୋଧରେ ଅପରାଧ ମାମଲା ରହିଛି ।
ଅପରାଧ ପୃଷ୍ଠଭୂମି ରହିଥିବା ବ୍ୟକ୍ତିଙ୍କୁ ସେମାନେ କାହିଁକି ପ୍ରାର୍ଥୀ ରୂପେ ପସନ୍ଦ କଲେ, ସେ ସଂପର୍କରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟଦାତାମାନଙ୍କୁ ସାର୍ବଜନୀନ ଢଙ୍ଗରେ ଅବଗତ କରାଇ ଦିଆଯିବ ବୋଲି ଗତ ଫେବ୍ରୁଆରୀରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବିଭିନ୍ନ ରାଜନୈତିକ ଦଳ କେତେ ପ୍ରଭାବଶାଳୀ ଢଙ୍ଗରେ ପାଳନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ! ସ୍ବଚ୍ଛ ରାଜନୀତି ଏବଂ ସୁଶାସନ ବ୍ୟବସ୍ଥାକୁ ଅଣଦେଖା କରି, କେବଳ ବିଜୟଲାଭ ରୂପରେ ନିଜର ସ୍ବାର୍ଥସାଧନ ନିମନ୍ତେ ରାଜନୈତିକ ଦଳମାନେ ଯଦି ଅର୍ଥ ଓ ବାହୁବଳ ସଂପନ୍ନ ଜଘନ୍ୟ ଅପରାଧୀମାନଙ୍କୁ ନିର୍ବାଚନ ଲଢ଼ିବା ଲାଗି ଉତ୍ସାହିତ କରନ୍ତି, ତେବେ ବିଜୟୀ ଅପରାଧୀମାନେ ହିଁ ବିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ ଅକ୍ତିଆର କରିବେ ଏବଂ ଗାଣତାନ୍ତ୍ରିକ ମୂଲ୍ୟବୋଧକୁ ହେୟ ମଣିବେ!
ଜେଲରେ ରହିବାକୁ ଉପଯୁକ୍ତ ମନେ ହେଉଥିବା ଅପରାଧୀମାନଙ୍କୁ ସଂସଦରେ ପ୍ରବେଶ ନ କରାଇ ଦେବା ଦିଗରେ କଠୋର ଆଇନ ପ୍ରଣୟନ ଲାଗି ସଂସଦ ପ୍ରସ୍ତୁତ ହୋଇନାହିଁ । ହେଲେ, ଅନ୍ୟୂନ ବିଚାର ବିଭାଗର ଏହି ନୂତନ ଅଭିଯାନ ବଳରେ ଯଦି ଦାଗୀ ନେତାମାନଙ୍କ ବିରୋଧରେ ରହିଥିବା ମାମଲାଗୁଡ଼ିକର ବିଚାରଣା ଶୀଘ୍ର ଶେଷ ହୋଇଯାଏ ଏବଂ ସେମାନଙ୍କ ପ୍ରତି ଉପଯୁକ୍ତ ଦଣ୍ଡବିଧାନ ସହିତ ନ୍ୟାୟପାଳିକା ଉପରେ ସାଧାରଣ ସାଧାରଣ ଲୋକଙ୍କ ଆସ୍ଥା ପୁନଃ ସ୍ଥାପିତ ହୋଇପାରେ, ତେବେ ହୁଏତ ଭାରତୀୟ ଗଣତନ୍ତ୍ର ସ୍ବସ୍ତିରେ ନିଃଶ୍ବାସ ମାରିବ !