ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ଭିତରେ ପୁଣି କନ୍ଦଳ । କର୍ଣ୍ଣାଟକରେ ବର୍ତ୍ତମାନ ବିରୋଧୀ ଦଳର ଭୂମିକା ନିଭାଉଛି କଂଗ୍ରେସ। ତେବେ ଜେଡିଏସ ସହ ମେଣ୍ଟ ସରକାର ଭାଙ୍ଗିବା ପରେ କଂଗ୍ରେସର ହାଇ କମାଣ୍ଡଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା । ଗତ ଲୋକସଭା ନିର୍ବାଚନରେ ଜେଡିଏସ ସହ ହୋଇଥିବା ସମ୍ପର୍କକୁ ବିରୋଧ କରିବା ସତ୍ବେ ଦଳର ହାଇକମାଣ୍ଡ ତାଙ୍କ କଥା ଶୁଣିନଥିଲେ ବୋଲି ସିଦ୍ଧରମୈୟା କହିଛନ୍ତି ।
ବୁଧବାର ଗଣମାଧ୍ୟମକୁ ସମ୍ବୋଧିତ କରି ସିଦ୍ଧରମୈୟା କହିଛନ୍ତି, ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢିବା ଉଚିତ ବୋଲି ମୁଁ ପରାମର୍ଶ ଦେଇଥିଲି । ଏପରି କରିବା ଦ୍ବାରା ଭୋଟରେ ବିଭାଜନ ହୋଇନଥାନ୍ତା । ଜେଡିଏସ ଭୋଟ୍ ଆମ ପାଖକୁ ଆସି ନଥାନ୍ତା ଏବଂ ଆମର ଭୋଟ୍ ଜେଡିଏସକୁ ଯାଇ ନଥାନ୍ତା । କିନ୍ତୁ ମୋତେ ସମର୍ଥନ ମିଳିନଥିଲା । ମୁଁ ଏକମାତ୍ର ସଦସ୍ୟ ରୂପରେ ସ୍ୱର ଉତ୍ତୋଳନ କରିଥିଲି । କିନ୍ତୁ ପାର୍ଟି ହାଇକମାଣ୍ଡ ମୋ କଥା ଶୁଣିନଥିଲା । ଯଦି ଆମେ ଏକାକୀ ଲଢିଥାନ୍ତେ ତେବେ ଲୋକସଭା ନିର୍ବାଚନରେ ଆମେ ସାତୋଟି ସିଟ୍ ଜିତିଥାନ୍ତେ ବୋଲି ସିଦ୍ଧରମୈୟା କହିଛନ୍ତି ।
ସୂଚନାଯୋଗ୍ୟ ଯେ, 2018 ରେ ଜେଡିଏସ ସମର୍ଥନରେ କଂଗ୍ରେସ କର୍ଣ୍ଣାଟକରେ ସରକାର ଗଠନ କରିବା ପରେ 2019 ସାଧାରଣ ନିର୍ବାଚନରେ ମଧ୍ୟ ଜେଡିଏସ ସହ ମେଣ୍ଟ କରି ଲଢିଥିଲା। କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରିଥିବା 21 ଟି ଆସନ ମଧ୍ୟରୁ କେବଳ ଗୋଟିଏ ଆସନ ପାଇଥିବା ବେଳେ ଜେଡିଏସ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସାତଟି ମଧ୍ୟରୁ ଗୋଟିଏ ଆସନ ଜିତିଥିଲା ।