ହାଇଦ୍ରାବାଦ: ମହାମାରୀ କୋରୋନା ପାଇଁ ଦେଶବାସୀ ଭୟଭୀତ ଥିବା ବେଳେ ବିଶାଖାପାଟନମ୍ ଗ୍ୟାସ ଟ୍ରାଜେଡି ପୁଣି ଥରେ ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଦୁର୍ଘଟଣା 1984ର ମଧ୍ୟପ୍ରଦେଶ ଭୋପାଳ ଗ୍ୟାସ ଦୁର୍ଘଟଣାର ସେହି କାଳରାତ୍ରିକୁ ମନେ ପକାଇଦେଇଛି । ସେଦିନ ଏମିତି ଏକ ରାତ୍ରୀ ଯାହା ଅନେକଙ୍କ ନିଶ୍ବାସ ସେମାନଙ୍କ ବିନା ଅନୁମତିରେ ଛଡାଇ ନେଇଥିଲା । ଆଉ 7 ମେ 2020ର ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଠାରୁ ପ୍ରାୟ 30 କିମି ଦୂର ଆର ଆର ଭେଙ୍କଟାପୁରମସ୍ଥିତ ଏଲଜି ପଲିମର୍ସ କାରଖାନାରେ ଯେଉଁ ବିଷାକ୍ତ ଗ୍ୟାସ ଲିକ୍ ହୋଇଛି ତାହା ପୁଣି ଥରେ 12 ଜଣଙ୍କ ପ୍ରାଣ ନେଇଛି । ଆଉ 1000ରୁ ଅଧିକ ଏହି ବିଷାକ୍ତ ଗ୍ୟାସର ପ୍ରଭାବରେ ଅସୁସ୍ଥ ହୋଇପଡିଛନ୍ତି ।
ସୂଚନାନୁସାରେ, ଏପ୍ରିଲ ଦ୍ବିତୀୟ ସପ୍ତାହରେ ଭାରତୀୟ ରାସାୟନିକ ପରିଷଦ ଶିଳ୍ପକୁ ଅତ୍ୟାବଶ୍ୟକ ଭାବରେ ଚିହ୍ନଟ କରିବାକୁ ଏବଂ ଏହାକୁ ଲକଡାଉନ ମାନଦଣ୍ଡରୁ ମୁକ୍ତ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲା । ଏହାର କାରଣ ଥିଲା ଯେ, କେତେକ ଔଷଧର ଉତ୍ପାଦନ ପାଇଁ କେତେକ ନିର୍ଦ୍ଦିଷ୍ଟ ରାସାୟନିକ ଯୋଗାଣ ଗୁରୁତ୍ବପୂର୍ଣ୍ଣ । ଏନେଇ କେନ୍ଦ୍ରର ଅନୁମତି ମିଳିବା ପରେ ପୁନଶ୍ଚ କାର୍ଯ୍ୟକ୍ଷମ ହୋଇଥିଲା ଏଲଜି ପଲିମର୍ସ ପ୍ଲାଣ୍ଟ । କାରାଖାନା ଆରମ୍ଭ ଦିନର ବିଳମ୍ବିତ ରାତିରେ ଲିକ୍ ହୋଇଥିଲା ସାଂଘାତିକ ଷ୍ଟାଇରିନ ଗ୍ୟାସ । ପ୍ରକାଶ ଥାଉକି, ଷ୍ଟାଇରିନ ଏକ ବିଷାକ୍ତ ଗ୍ୟାସ । ଏହା ଗ୍ୟାସ ପ୍ରଭାବରେ ଚର୍ମ, ଆଖି ସମସ୍ୟା ଉପୁଜିବା ସହ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେବା ସହ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ । ତେବେ ଏହି ଫାର୍ମା କମ୍ପାନୀରୁ ଲିକ ହୋଇଥିବା ଗ୍ୟାସର ପ୍ରଭାବରେ ଅନେକ ବୁଲା ପଶୁପକ୍ଷୀ ଓ ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ବୟସ୍କ ଏବଂ ଶିଶୁ ଏହି ବିଷାକ୍ତ ଗ୍ୟାସରେ ପୀଡିତ ହେବା ପରେ ଜୀବନ୍ତ ଅବସ୍ଥାରେ ସତେଯେମିତି ନର୍କକୁ ଅନୁଭବ କରିଥିଲେ ।
ଅନ୍ୟପଟେ ଲଗାତାର ରକ୍ଷଣାବେକ୍ଷଣ ଆବଶ୍ୟକ କରୁଥିବା ଏହି କାରଖାନାର ଦୁର୍ଘଟଣା ପଛରେ ଦେଶବ୍ୟାପୀ ଲକଡାଉନ ଏକ କାରଣ ବୋଲି ଏଲଜି ପଲିମର୍ସ ଦାବି କରିନଥିଲା । ଗତ ଜାନୁଆରୀରେ ଏଲଜି ପଲିମର୍ସର କର୍ପୋରେଟ୍ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ ଜଣାପଡିଛି ଯେ ରକ୍ଷଣାବେକ୍ଷଣା ଅଭାବରୁ 100 ବର୍ଷ ପୁରୁଣା ଚିନି କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ 14 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଉକ୍ତ ବିଜ୍ଞପ୍ତିରେ ପରିବେଶ ସୁରକ୍ଷା ତଥା ସାମାଜିକ ଦାୟିତ୍ବକୁ ପ୍ରୋତ୍ସାହିତ କରିବାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା । ଯଦି କମ୍ପାନୀ ବାସ୍ତବରେ ସେହି ପଦକ୍ଷେପ ଗୁଡିକୁ କାର୍ଯ୍ୟକାରୀ କରିଥାନ୍ତା, ତେବେ ଏହି ଗ୍ୟାସ୍ ଲିକକୁ ରୋକା ଯାଇପାରିଥାନ୍ତା । ସେପଟେ ଦୁର୍ଘଟଣାରେ ଆହତଙ୍କୁ କ୍ଷତିପୂରଣ ଘୋଷଣା କରି ଆନ୍ଧ୍ରପ୍ରଦେଶ ସରକାର ଅଗ୍ନିକାଣ୍ଡ ଘଟଣାର ଉଚିତ୍ ଜବାବ ଦେଇଛନ୍ତି । ଏଥିସହ ବିଗତ ଦିନରେ ଘଟିଥିବା ଭୋପାଳ ଗ୍ୟାସ ଟ୍ରାଜେଡିକୁ ଦୃଷ୍ଟିରେ ରଖି ସରକାର ଏଲଜି ଗ୍ୟାସ୍ ଲିକ୍ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ଭାରତର ଜିଡିପିରେ ରାସାୟନିକ ଶିଳ୍ପର 3 ପ୍ରତିଶତ ଅଂଶ ରହିଛି । ସେହିପରି 70,000 ରୁ ଅଧିକ ବାଣିଜ୍ୟିକ ଉତ୍ପାଦ ସହିତ ପେଟ୍ରୋକେମିକାଲ୍ସ, ସାର, ପେଣ୍ଟ, ଡିସଇନଫେକ୍ଟଟାଣ୍ଟ୍ସ ଏବଂ ଫାର୍ମାସ୍ୟୁଟିକାଲ୍ସର ବିଭିନ୍ନ ପୋର୍ଟଫୋଲିଓରେ ବୃଦ୍ଧି ପାଇଛି । ଯଦିଓ 15 ଟି ଆଇନ ଏବଂ 19ଟି ନିୟମ ଭାରତୀୟ ରାସାୟନିକ ଶିଳ୍ପକୁ ନିୟନ୍ତ୍ରିତ କରେ, କିନ୍ତୁ ଅଧିକାଂଶ ଶିଳ୍ପ ସଂସ୍ଥା ଏହି ନିୟମାବଳୀ ଉପରେ ଧ୍ୟାନ ଦେଇନଥାନ୍ତି । ଏତତବ୍ୟତୀତ 2014 ମସିହାରୁ ଭାରତର ଡ୍ରାଫ୍ଟ ନ୍ୟାସନାଲ କେମିକାଲ୍ ପଲିସି ଅନୁମୋଦନ ଶେଷ ପର୍ଯ୍ୟାୟରେ ରହିଛି । ଭୟଙ୍କର ଭୋପାଳ ଗ୍ୟାସ୍ ଟ୍ରାଜେଡିରେ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ଆଗାମୀ ପିଢି ଉପରେ ମଧ୍ୟ ପ୍ରଭାବ ପକାଇଛି । ଅନ୍ୟପଟେ ରାସାୟନିକ ଶିଳ୍ପ କ୍ଷେତ୍ର ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି କେନ୍ଦ୍ର । କିନ୍ତୁ ନିକଟ ଅତୀତରେ ଆର୍ଥିକ ସୁଧାର ଦୃଷ୍ଟିରୁ ଏହି କଠୋର ଆଭିମୁଖ୍ୟକୁ ସାମାନ୍ୟ କୋହଳ କରାଯାଇଛି ।
ଗତ 3 ବର୍ଷ ମଧ୍ୟରେ ଘରୋଇ ରାସାୟନିକ ଶିଳ୍ପରେ ହାରାହାରି 4ଟି ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରାସାୟନିକ ପଦାର୍ଥର ଉତ୍ପାଦନ ଏବଂ ବ୍ୟବହାରକୁ ନିୟନ୍ତ୍ରିତ କରୁଥିବା ବ୍ୟାପକ ନିୟମର ଅଭାବକୁ ପ୍ରତିଫଳିତ କରିଥାଏ । ଭାରତରେ ରାସାୟନିକ ଶିଳ୍ପର ବଜାର ଆକାର 178 ବିଲିୟନ ଡ଼ଲାରରେ ପହଞ୍ଚିଛି ଏବଂ 2025 ସୁଦ୍ଧା ଏହା ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ଦହେଜ (ଗୁଜୁରାଟ), ପାରାଦୀପ (ଓଡିଶା), କୁଡାଲୋର (ତାମିଲନାଡୁ) ଏବଂ ବିଶାଖାପାଟନମ୍ (ଆନ୍ଧ୍ରପ୍ରଦେଶ)କୁ ଉତ୍ପାଦନ ହବ୍ ଭାବରେ ବିକଶିତ କରାଯିବ ବୋଲି କେନ୍ଦ୍ର କହିଛି । ତେବେ ବିନାଶ ସର୍ବଦା ଅସ୍ଥାୟୀ ବିକାଶକୁ ଅନୁସରଣ କରୁଥିବା ବେଳେ ଏହି ଶିଳ୍ପଗୁଡିକରେ ପରବର୍ତ୍ତୀ ଅବହେଳା କରାଯିବା ଉଚିତ୍ ନୁହେଁ । ଏହି ରାସାୟନିକ କାରଖାନା ଗୁଡିକୁ କେବଳ ଜନବସତି ଅଞ୍ଚଳ ଠାରୁ ଦୂରରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ଆବଶ୍ୟକ । ଏଥିସହ ଶିଳ୍ପ ସଂସ୍ଥା ଗୁଡିକୁ ଉନ୍ନତ ସୁରକ୍ଷା ବ୍ୟବସ୍ଥା ସହିତ ଆବଦ୍ଧ ରଖିବା ଆବଶ୍ୟକ । ପ୍ରତିବର୍ଷ ଡିସେମ୍ବର 4 ରେ ରାସାୟନିକ ବିପର୍ଯ୍ୟୟ ନିରାକରଣ ଦିବସ ପାଳନ କରିଲେ ସବୁ ସମସ୍ୟାର ସମାଧାନ ହେବ ତାହା ନୁହେଁ , ବରଂ ସରକାର ଏବଂ ଶିଳ୍ପ ସଂସ୍ଥାଗୁଡିକ ନିରାପଦ କାର୍ଯ୍ୟ ବ୍ୟବସ୍ଥା କରିବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ଯଦ୍ବାରା ଭାରତରେ ଶିଳ୍ପକୁ ନିରାପତ୍ତା ବୋଲି ମନେକରାଯିବ ।