ହାଇଦ୍ରାବାଦ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ହାଇଦ୍ରାବାଦସ୍ଥିତ ବାସ ଭବନରେ ନାଇଡୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ତାଙ୍କ ଆତ୍ମାର ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଜୟପାଲଙ୍କ ନିଧନରେ ପ୍ରାୟ ସବୁ ମହଲରୁ ଶୋକ ପ୍ରକାଶ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବରିଷ୍ଠ ନେତା ଶୋକ ବ୍ୟକ୍ତ କରିଛନ୍ତି । ମୋଦି ଟ୍ବିଟ କରି କହିଛନ୍ତି, 'ସେ ଜଣେ ପ୍ରଭାବଶାଳୀ ନେତା ଥିଲେ ତାଙ୍କ ଆତ୍ମାର ଶାନ୍ତି ପାଇଁ ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ।'
ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଜୟପାଲଙ୍କ ନିଧନରେ ଶୋକ ପ୍ରକାଶ କରି କହିଛନ୍ତି, 'ମୁଁ ତାଙ୍କ ଆତ୍ମାର ଶାନ୍ତି ପାଇଁ ଈଶ୍ବରଙ୍କୁ ପ୍ରାର୍ଥନା କରୁଛି ।' ସେପଟେ କଂଗ୍ରେସ ନେତା ଶଶି ଥରୁର, ପି ଚିଦାମ୍ବରମ୍ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜୟପାଲଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଜୟପାଲ ରେଡ୍ଡୀଙ୍କର ରବିବାର ପରଲୋକ ହୋଇଛି । ୭୭ ବର୍ଷ ବୟସରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ନିଧନ ହୋଇଛି । ନିମୋନିଆରେ ପୀଡିତ ଥିବା ରେଡ୍ଡୀଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।