ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ ଆଗତ କରିଛନ୍ତି ସରକାର । ପୂର୍ବରୁ ଲୋକସଭାରେ ପାସ କରିସାରିଥିବା ଏହି ବିଲକୁ ରାଜ୍ୟସଭା ମୋହର ବଜାଇବାକୁ ସରକାର ଆଶା ରଖିଛନ୍ତି । ଏନେଇ ଗୃହରେ ବିଲ ଉପରେ ଚାଲିଛି ଆଲୋଚନା ।
ତେବେ ଗୋଟିଏ ପଟେ ବିଲକୁ ବିରୋଧୀ ଦଳ ବିରୋଧ କରିପାରନ୍ତି । ଅନ୍ୟପଟେ ସରକାରଙ୍କ ଅନେକ ସହଯୋଗୀ ଦଳ ସମର୍ଥନ ଦେବେ । ଏହାକୁ ନେଇ ଗୃହରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଏହା ପୂର୍ବରୁ ସମସ୍ତ ସଦସ୍ୟଙ୍କୁ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ସଂଯମତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।
ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ କହିଛନ୍ତି ଯେ ସାରା ଦେଶ ଆମକୁ ଦେଖୁଛି । ସେମାନେ ଆମଠାରୁ ଅନେକ କିଛି ଆଶା କରିଛନ୍ତି । ସଦସ୍ୟଙ୍କ ଖରାପ ବ୍ୟବହାର କେବେ ବି ସେମାନେ ପସନ୍ଦ କରିବେନି । ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ତେଣୁ ସମସ୍ତେ ଗୃହର ମର୍ଯ୍ୟାଦା ଓ ସମ୍ମାନକୁ ଦୃଷ୍ଟିରେ ରଖି ଆଲୋଚନା କରନ୍ତୁ ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଲ ବିପକ୍ଷରେ ଓ ସପକ୍ଷରେ କହିବାକୁ ସମସ୍ତଙ୍କୁ ସୁଯୋଗ ମିଳିବ । ସମସ୍ତଙ୍କର ଅଧିକାର ରହିଛି ଏହି ପ୍ରସଙ୍ଗରେ ଭୋଟ ଦେବାକୁ । ଶେଷରେ ଗୃହରେ ସର୍ବସମ୍ମତି କ୍ରମେ ଏକ ଉପଯୁକ୍ତ ନିଷ୍ପତ୍ତି ନିଆଯିବ । କିନ୍ତୁ ଏହା ଆଗରୁ କିଛି ପ୍ରସଙ୍ଗ ବନାନ୍ତୁ ନାହିଁ । କୌଣସି ପ୍ରକାର ଖରାପ ମନ୍ତବ୍ୟ କିମ୍ବା ହଟ୍ଟଗୋଳ କରନ୍ତୁ ନାହିଁ ବୋଲି ସେ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି ।