ୱାଶିଂଟନ: ଦକ୍ଷିଣ କାଲିଫର୍ଣ୍ଣିଆ ମରୁଭୂମିର ‘ମୃତ୍ୟୁ ଉପତ୍ୟକା’ ଅନ୍ତର୍ଗତ ‘ଫର୍ଣ୍ଣାସ୍ କ୍ରିକ୍’ର ତାପମାତ୍ରା ୫୪. ୪ ଡିଗ୍ରି ସେଲିସିୟସ୍ ପହଞ୍ଚିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ପାଣିପାଗ ସେବା କହିଛି। ୧୦୦ ବର୍ଷ ମଧ୍ୟରେ ବିଶ୍ବର ଯେକୌଣସି ତାପମାତ୍ରା ଠାରୁ ଏହା ସର୍ବୋଚ୍ଚ ବୋଲି ଆମେରିକୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଲାସ୍ ଭେଗାସ୍ ସ୍ଥିତ ଜାତୀୟ ପାଣିପାଗ ସେବା (ଏନ୍ଡବ୍ଲୁଏସ୍), ରବିବାର ଅପରାହ୍ଣରେ ଏହି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ଯେ, ଯଦି ଯାଞ୍ଚ କରାଯାଏ, ତେବେ ସରକାରୀ ଭାବେ ଜୁଲାଇ ୧୯୧୩ରେ ଯାଞ୍ଚ କରାଯାଇଥିବା ତାପମାତ୍ରା ଠାରୁ ଆଜିର ତାପମାତ୍ରା ସର୍ବୋଚ୍ଚ ହେବ। ୧୯୧୩ ମସିହା ଜୁଲାଇ ୧୦ ତାରିଖ ଦିନ ମୃତ୍ୟୁ ଉପତ୍ୟକା ଅନ୍ତର୍ଗତ ଗ୍ରିନ୍ଲାଣ୍ଡ୍ ରାଞ୍ଚ୍ ଠାରେ ତାପମାତ୍ରା ୫୬. ୭ ଡିଗ୍ରି ସେଲିସିୟସ୍ରେ ପହଞ୍ଚିଥିଲା। ଏହାକୁ ଏପର୍ଯ୍ୟନ୍ତ ପୃଥିବୀ ପୃଷ୍ଠର ସର୍ବୋଚ୍ଚ ରେକର୍ଡ ତାପମାତ୍ରା ବୋଲି ‘ବିଶ୍ବ ପାଣିପାଗ ସଂସ୍ଥାନ’ ଗ୍ରହଣ କରିଛି।
କିନ୍ତୁ, ଗୁରୁତ୍ବପୂର୍ଣ୍ଣ କଥା ହୋଇଥିବାରୁ ଏହାକୁ ରେକର୍ଡ କରାଯିବା ପୂର୍ବରୁ ଆନୁଷ୍ଠାନିକ ଭାବେ ସମୀକ୍ଷା କରିବାକୁ ପଡ଼ିବ ବୋଲି ଏକ ବିବୃତିକୁ ଲିଙ୍କ୍ କରି ‘ଏନ୍ଡବ୍ଲୁଏସ୍’ କହିଛି। ଏଠାରେ କହି ରଖୁଛୁ ଯେ, ସ୍ଥାନୀୟ ସମୟ ଅପରାହ୍ନ ୩:୪୧ ରେ ସେଠାକାର ତାପମାତ୍ରା ସର୍ବୋଚ୍ଚ ହୋଇଥିଲା।