ୱାଶିଂଟନ: ମୁମ୍ବାଇ ଆତଙ୍କବାଦ ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ପାକିସ୍ତାନୀ ବଂଶୋଦ୍ଭବ କାନାଡା ବ୍ୟବସାୟୀ ତହବୁର ରାଣାର ଜାମିନ ଆବେଦନ ଖାରଜ କରିଛନ୍ତି ଆମେରିକାର କୋର୍ଟ । 15 ଲକ୍ଷ ଡଲାରର ମୁଚଲିକାରେ ତାକୁ ଜାମିନ ଦେବାକୁ କୋର୍ଟରେ ଆବେଦନ ହୋଇଥିଲା ।
ସେ ଭାରତରେ ପଳାତକ ଘୋଷିତ ହୋଇଛି । ତେବେ ଲସ ଏଞ୍ଜେଲ୍ସର ଆମେରିକୀୟ ଜିଲ୍ଲା କୋର୍ଟର ଜଜ୍ ଜ୍ୟାକଲିନ୍ ଚୋଲଜିଆନ୍ ରାଣାର ଜାମିନ ନାମଞ୍ଜୁର କରିଦେଇଛନ୍ତି । ଏହା ବିପଦପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୋର୍ଟ କହିଛନ୍ତି ।
ରାଣାକୁ ବିମାନ ଉଡ଼ାଣର ବିପଦ ବୋଲି ବର୍ଣ୍ଣନା କରି ଆମେରିକା ସରକାର ଜାମିନ ପାଇଁ ବିରୋଧ କରି ଯୁକ୍ତି ଦର୍ଶାଇଥିଲେ ଯେ, ଯଦି ସେ କାନାଡାକୁ ପଳାୟନ କରେ, ତେବେ ସେ ଭାରତରେ ମୃତ୍ୟୁଦଣ୍ଡର ସମ୍ଭାବନାରୁ ବଞ୍ଚିଯିବ । ଏହା ବ୍ୟତୀତ ରାଣାକୁ ଜାମିନ ମିଳିଲେ ସେ ଅଦାଲତରେ ହାଜର ହେବ କି ନାହିଁ ସେ ନେଇ ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ । ତାର ଜାମିନ ମଞ୍ଜୁର ହେଲେ ବୈଦେଶିକ ମାମଲା ସମ୍ବନ୍ଧରେ ଆମେରିକାକୁ ଲଜ୍ଜିତ ହେବାକୁ ପଡିପାରେ । ଏହାଦ୍ବାରା ଭାରତ ସହ ଆମେରିକାର ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ବୋଲି ଆମେରିକା ସରକାରଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ।
ଅନ୍ୟପକ୍ଷରେ ରାଣାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ 26/11 ମାମଲାର ଅଭିଯୁକ୍ତ ପାଇଁ ବିମାନ ଉଡ଼ାଣ ବିପଦ ନୁହେଁ । ଆମେରିକାର ସହ-ଷଡ଼ଯନ୍ତ୍ରକାରୀ ହେଡଲିଙ୍କୁ ଭାରତ ପ୍ରତ୍ୟର୍ପଣ ନକରିବାର ନିଷ୍ପତ୍ତି ଅସଙ୍ଗତ ଦର୍ଶାଇ ରାଣାର ପ୍ରତ୍ୟର୍ପଣକୁ ବିରୋଧ କରିଥିଲେ ସେ ।
ସୂଚନାଯୋଗ୍ୟ ଯେ, ମୁମ୍ବାଇରେ 2008ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଲିପ୍ତ ଥିବା ରାଣାକୁ ପ୍ରତ୍ୟର୍ପଣ ଲାଗି ଭାରତର ଅନୁରୋଧ ପରେ ଆମେରିକା ତାକୁ ପୁଣି ଥରେ ଗିରଫ କରିଛି । ୫୯ ବର୍ଷ ବୟସ୍କ ତହବୁର ରାଣା ଗିରଫ ହୋଇ ଆମେରିକୀୟ ଜେଲରେ ବନ୍ଦୀ ଥିଲା। ତେବେ କରୋନା ଭାଇରସ ସଂକ୍ରମିତ ହେବା ଯୋଗୁ ତାକୁ ନିକଟରେ ଜେଲରୁ ମୁକ୍ତ କରିଦିଆଯାଇଥିଲା। ଭାରତର ଅନୁରୋଧ ପରେ ଜୁନ 10 ତାରିଖରେ ଆମେରିକା ତାକୁ ପୁଣିଥରେ ଗିରଫ କରିଛି । ଭାରତରେ ରାଣାକୁ ପଳାତକ ଘୋଷଣା କରାଯାଇଛି । ମୁମ୍ବାଇରେ ହୋଇଥିବା ଏହି ଆକ୍ରମଣରେ 166 ଜଣ ପ୍ରାଣ ହରାଇଥିଲେ ।
ତେବେ କାଲିଫର୍ଣ୍ଣିଆର ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟର ଆମେରିକା ଡିଷ୍ଟ୍ରିକ୍ଟ କୋର୍ଟର ନ୍ୟାୟାଧୀଶ ଜୈକ୍ଲିନ ଚୁଲଜିଆନ ଏହି ମାମଲାର ଶୁଣାଣି ପାଇଁ ଜୁନ 30 ତାରିଖ ନିର୍ଦ୍ଧାରିତ କରିଛନ୍ତି । ରାଣା ବିରୋଧରେ ଭାରତରେ 2018 ମସିହା ଅଗଷ୍ଟ 28 ତାରିଖରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିଲା ।