ଭୋପାଲ: ମଧ୍ୟ ପ୍ରଦେଶରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଲୋକଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ଅନ୍ୟପକ୍ଷରେ ପ୍ରାୟ 15 କୋରୋନା ସଂକ୍ରମିତ ରୋଗୀଙ୍କୁ ଭେଟିବା ପରେ ମଧ୍ୟ ରାଜ୍ୟର ନଗର ଉନ୍ନୟନମନ୍ତ୍ରୀ ଭୁପେନ୍ଦ୍ର ସିଂ ଏବେ ସୁଦ୍ଧା କୋରୋନାରେ ସଂକ୍ରମିତ ହୋଇନଥିବା ଦାବି କରିଛନ୍ତି । ଏପରିକି ସେ କୋରୋନା ରୋଗୀଙ୍କ ସହ ଘଣ୍ଟା ଘଣ୍ଟା ଧରି କଥା ମଧ୍ୟ ହୋଇଛନ୍ତି । ତଥାପି ତାଙ୍କୁ କୋରୋନା ଛୁଇଁ ପାରିନଥିବା ସେ କହିଛନ୍ତି ।
ତେବେ ଏହାର କାରଣ ହେଉଛି, ସେ କେବେବି ନିଜ ମୁହଁରୁ ମାସ୍କ ଏବଂ ହାତରୁ ଗ୍ଲୋବ୍ସ ବାହାର କରନ୍ତି ନାହିଁ । ଏହା ବ୍ୟତୀତ ସେ ସମୟ ସମୟରେ ସ୍ବଚ୍ଛତା ଜାରି ରଖିବା ସହ ସାମାଜିକ ଦୂରତ୍ବ ଯଥାସମ୍ଭବ ଅବଲମ୍ବନ କରନ୍ତି । ଏନେଇ ସେ କହିଛନ୍ତି, ଅନେକ ଲୋକ କଥାବାର୍ତ୍ତା କରିବା ସମୟରେ ମାସ୍କ ବାହାର କରିଦିଅନ୍ତି । ଯାହା ସଂକ୍ରମଣର ଆଶଙ୍କା ବଢାଇଥାଏ । କିନ୍ତୁ ସେ କଥାବାର୍ତ୍ତା କରିବା ସମୟରେ ମଧ୍ୟ ମାସ୍କ ବାହାର କରନ୍ତି ନାହିଁ । ଯାହାଫଳରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷିତ ରହିଛନ୍ତି ।
ସମଗ୍ର ଦେଶରେ କୋରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କୋରୋନା ସଂକ୍ରମଣ ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ସାଧାରଣ ଲୋକଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ କୋରୋନା ସଂକ୍ରମଣର ଶିକାର ହେଉଛନ୍ତି । ମଧ୍ୟପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ସମେତ 6ରୁ ଅଧିକ କ୍ୟାବିନେଟ ମନ୍ତ୍ରୀ ଏବଂ କେତେଜଣ ବରିଷ୍ଠ ନେତା ଏହି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟର 27ଟି ଆସନ ପାଇଁ ଉପନିର୍ବାଚନ ହେବାର ଅଛି । ଯାହାକୁ ନେଇ ନେତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡୁଛି । ଏପରି ପରିସ୍ଥିତିରେ କୋରୋନା ଭାଇରସରୁ ରକ୍ଷା ପାଇବା ନେତାଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠାରୁ କମ ନୁହେଁ। କାର୍ଯ୍ୟକ୍ରମରେ ଭିଡ଼ ଜମିବା ଦ୍ବାରା ଏହି ସଂକ୍ରମଣ ଆହୁରି ବ୍ୟାପିବାର ଆଶଙ୍କା ରହିଛି । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ନଗର ଉନ୍ନୟନମନ୍ତ୍ରୀ ଭୁପେନ୍ଦ୍ର ସିଂ ଦାବି କରିଛନ୍ତି ଯେ, ସେ ମାସ୍କ ଏବଂ ସାନିଟାଇଜର ସାହାଯ୍ୟରେ ଏପର୍ଯ୍ୟନ୍ତ ସଂକ୍ରମଣରୁ ବଞ୍ଚିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ