ଲକ୍ଷ୍ନୌ: ମାନବର ଅସ୍ଥିତ୍ବ ସହ ଜଡିତ ଅନେକ ଚମତ୍କାର ଘଟଣା। ଉତ୍ତର ପ୍ରଦେଶର ବରେଲିରେ ଦେଖିବାକୁ ମିଳିଛି ଏକ ଚମତ୍କାରୀ ଶିଶୁ । ଶ୍ମଶାନ ଘାଟରେ 48 ଘଣ୍ଟା ପର୍ଯ୍ୟନ୍ତ ମାଟି ଘଡାରେ ପୋତା ହୋଇ ରହିବା ପରେ ମଧ୍ୟ ଜୀବିତ ଉଦ୍ଧାର ହୋଇଛି ଏହି ଶିଶୁ । ସାଧାରଣ ଲୋକଙ୍କ ପାଇଁ ଏହା ଆଶ୍ଚର୍ଯ୍ୟକର ଘଟଣା ହେଲେ ବି ଡାକ୍ତରୀ ବିଜ୍ଞାନରେ ଏହା ସମ୍ଭବ ବୋଲି ପ୍ରକାଶ କରିଛନ୍ତି ଡାକ୍ତରୀ ଟିମ୍ ।
ଘଟଣାଟି ହୃଦୟ ବିଦାରକ ହେଲେ ବି ସତ । ବରେଲିର ଏକ ଦମ୍ପତ୍ତି କନ୍ୟା ସନ୍ତାନ ଜନ୍ମ ନେଇଥିବାରୁ ଶିଶୁକୁ ଏକ ମାଟି ଘଡାରେ ରଖି ଶ୍ମଶାନରେ ପୋତି ଦେଇଥିଲେ। ହେଲେ ସ୍ଥାନୀୟ ଲୋକେ ଖବର ପାଇ ଶିଶୁଟିକୁ ଉଦ୍ଧାର କରିବା ସହ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଥିଲେ। ତା’ର ଅବସ୍ଥା ସଙ୍କଟାପନ୍ନ ହେଉଥିବା ଦେଖି ଶିଶୁ କଲ୍ୟାଣ ସମିତି ଶିଶୁଟିକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ମଧ୍ୟ ଶିଶୁଟିର ଅବସ୍ଥାରେ କୌଣସି ସୁଧାର ନଆସିବାରୁ ବିଜେପି ବିଧାୟକଙ୍କ ଆର୍ଥିକ ସହାୟତାରେ ଶିଶୁଟିକୁ ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା ।
ତେବେ ଡାକ୍ତରଙ୍କ କହିବା ମୁତାବକ ଶିଶୁଟି ନିଜ ଶରୀରର ଚମଡା ବଦଳରେ ଜୀବନକୁ ରକ୍ଷା କରିପାରିଛି । ଡାକ୍ତରୀ ବିଜ୍ଞାନ ଅନୁଯାୟୀ ଅପରିପକ୍ବ ଶିଶୁଙ୍କ ଚମଡା ଦ୍ବାରା ସେମାନେ ଶରୀରର ତାପମାତ୍ରାରେ ପରିବର୍ତ୍ତନକୁ ସମ୍ଭାଳିବାର କ୍ଷମତା ଧାରଣ କରିଥାନ୍ତି। ସେମାନଙ୍କ ଶରୀରରେ ବର୍ତ୍ତମାନ କମ୍ପନ ଭଳି ଟିସୁ ତିଆରି ହୋଇ ନଥିବାରୁ ନିଜ ଚମଡା ଜାଳି ସେମାନେ ଅସହ୍ୟ ତାପମାତ୍ରାରେ ବି ଜୀବିତ ରହିପାରନ୍ତି।
ବର୍ତ୍ତମାନ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବା ସତ୍ତ୍ବେ ସେ ସମସ୍ତ ଚିକିତ୍ସା ଓ ଖାଦ୍ୟ ଗ୍ରହଣ କରୁଛି । ଯାହାକି ଶିଶୁଟିର ସୁସ୍ଥ ହେବା ଦିଗରେ ଏକ ସବୁଜ ସଙ୍କେତ ବୋଲି ପ୍ରକାଶ କରିଛନ୍ତି ଶିଶୁର ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ।