ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏବେ ଅପରାଧିକ ମାମଲା ବଢିବାରେ ଲାଗିଛି । ଲକ୍ଷ୍ମୀପୁର ଖେରୀରେ ନାବାଳିକାକୁ ଦୁଷ୍କର୍ମ ମାମଲା ପରେ ଏବେ ଗୋରଖପୁରର ମଧ୍ୟ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ମଣିଷ ଏବେ ମାନବିକତାର ସମସ୍ତ ସୀମା ପାର କରିବାରେ ଲାଗିଛି । ଏଠାରେ ବରହଲଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ବେଲସଡି ଗାଁରେ ଜଣେ 17 ବର୍ଷର ଦଳିତ ଝିଅକୁ ଦୁଷ୍କର୍ମ କରାଯାଇଛି । ଏହା ସହ ନୃଶଂସ ଦୁର୍ବୃତ୍ତମାନେ ନାବାଳିକା ଦେହର ବିଭିନ୍ନ ସ୍ଥାନରେ ସିଗାରେଟ ଲଗାଇ ପୋଡି ଦେଇଛନ୍ତି। ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୀଡିତାଙ୍କ ପିତାମାତା ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । ପୀଡିତା ପିତାଙ୍କ କହିବା ମୁତାବକ, ଶନିବାର ରାତି ପ୍ରାୟ 8 ଟା ସମୟରେ ଝିଅ ଘର ବାହାରକୁ ପାଣି ଆଣିବାକୁ ଯାଇଥିବା ସମୟରେ ଅର୍ଜୁନ ନିଶାଦ ନାମକ ଜଣେ ବ୍ୟକ୍ତି ତା’ର ଅଜଣା ସାଥୀଙ୍କ ସହ ମିଶି ଝିଅକୁ ଉଠାଇ ନେଇଥିଲା । ତେବେ ବହୁତ ଖୋଜା ଖୋଜି ପରେ ମଧ୍ୟ ଝିଅର କୌଣସି ପତ୍ତା ମିଳି ନ ଥିଲା । ରବିବାର ସକାଳେ କିଛି ଲୋକ ଦେହରୀ ଭର ନିକଟରେ ଝିଅକୁ ମୂର୍ମୂଷୁ ଅବସ୍ଥାରେ ଦେଖି ତାକୁ ନିକଟସ୍ଥ ଗୋଲା ଡାକ୍ତରଖାନାକୁ ନେଇ ଯାଇଥିଲେ । ଏହା ପରେ ପୁରା ସତ୍ୟ ସାମ୍ନାକୁ ଆସିଥିଲା । ଏନେଇ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।