ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ପାରିତ ହୋଇଛି ବେଆଇନ କାର୍ଯ୍ୟକଳାପ (ନିରୋଧ) ସଂଶୋଧନ ବିଲ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଗୃହରେ ପାରିତ ହୋଇଛି ଏହି ବିଲ । ପ୍ରଥମେ ଗୃହମନ୍ତ୍ରଣାଳୟ ପକ୍ଷରୁ ଏହି ବିଲ ଉପରେ ଆଲୋଚନା କରାଯାଇଥିଲା । ଆଲୋଚନା ସମୟରେ ବିଲକୁ ବିରୋଧି ଦଳଗୁଡ଼ିକ ବିରୋଧ କରିବା ସହ ଏହା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାର ଦୃଢ ଜବାବ ଦେବା ସହ ବିପକ୍ଷ ଦଳ ଉପରେ କରିଛନ୍ତି ଜୋରଦାର ଆକ୍ରମଣ ।
ବର୍ତ୍ତମାନ ସମୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କଠୋର ଆଇନ ପ୍ରସ୍ତୁତ କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ଅମିତ ଶାହ । ସେ ଆହୁରି ମଧ୍ୟ କହିଛନ୍ତି ସହରୀ ଆତଙ୍କବାଦୀଙ୍କ ଉପରେ କୌଣସି ପ୍ରକାର ଦୟା ଭାବ ପୋଷଣ କରାଯିବ ନାହିଁ ।
ସେ କହିଛନ୍ତି, ‘ଏହି ଆଇନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ଆଣିଥିଲେ । ଆମେତ ମାତ୍ର ଛୋଟିଆ ସଂଶୋଧନ କରିଛୁ । କିନ୍ତୁ ବିଲକୁ ବିରୋଧ କରୁଥିବା ବିରୋଧିଦଳ ନେତାଙ୍କୁ ମନେରଖିବା ଉଚିତ, ସେତେବେଳେ ବେଆଇନ୍ କାର୍ଯ୍ୟକଳାପ ନିରୋଧି ବିଲ ସଂଶୋଧନ ହୋଇଥିଲା ତାହା ବି ସଠିକ୍ ଥିଲା । ଆଉ ଆଜି ଆମ ସରକାର ସଂଶୋଧନ କରିଛି ତାହା ବି ଠିକ୍ ଅଛି ।’ ଏକ ପ୍ରଶ୍ନର ଉତ୍ତର ଦେଇ ଶାହା କହିଛନ୍ତି ବନ୍ଧୁକ ଧରିଲେ କାହାକୁ ଆତଙ୍କବାଦୀ ଘୋଷଣା କରାଯିବ ନାହିଁ । କିନ୍ତୁ ଦେଶବିରୋଧୀ ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କୁ ଆତଙ୍କୀ ଘୋଷଣା କରାଯିବାରେ କୌଣସି ଅସୁବିଧା ନାହିଁ ।