ନୂଆଦିଲ୍ଲୀ: ଶେଷ ହେଲା ନିର୍ବାଚନ । ସରିଲା ମନ୍ତ୍ରିମଣ୍ଡଳ ଗଠନ । ଆରମ୍ଭ ହେଲା 17ତମ ଲୋକସଭାର ପ୍ରଥମ ଅଧିବେଶନ । ଆଉ ପ୍ରଥମ ଦିନରେ ସାଂସଦ ଭାବେ ଶପଥ ନେଲେ ନିର୍ବାଚିତ ପ୍ରତିନିଧି । କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ଉପସ୍ଥିତିରେ ସାଂସଦ ରୂପେ ଶପଥ ପାଠ କରିଛନ୍ତି ଏମାନେ ।
ତେବେ ପ୍ରାୟ ସମସ୍ତେ ହିନ୍ଦୀରେ ଶପଥ ନେଇଥିବାବେଳେ ସଂସ୍କୃତରେ ଶପଥ ନେଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ସଂସ୍କୃତରେ ଶପଥ ନେଇଛନ୍ତି । ଓଡିଶାର ମୋଦି କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କର ଏପରି ଶପଥ ନେବା ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ମଧ୍ୟ ଏକ ଗଣମାଧ୍ୟମକୁ ସଂସ୍କୃତରେ ସାକ୍ଷାତକାର ଦେଇ ଚର୍ଚ୍ଚାରେ ଥିଲେ ପ୍ରତାପ ।
ସୂଚନା ଥାଉକି, 17ତମ ଲୋକସଭାର ପ୍ରଥମ ଅଧିବେଶନର ଆଜି(ସୋମବାର) ପ୍ରଥମ ଦିନରେ ସାଂସଦମାନେ ଶପଥ ପାଠ କରିଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପରେ ଅନ୍ୟ ସାଂସଦ ମାନେ ଶପଥ ନେଇଥିଲେ ।