ନୂଆଦିଲ୍ଲୀ: ବିଶ୍ବ ମହାମାରୀରେ ପରିଣତ ହୋଇଛି କୋରୋନା । ଏନେଇ ସାରା ବିଶ୍ବ ଚିନ୍ତାଗ୍ରସ୍ତ । କେମିତି ବଞ୍ଚିବ ମାନବ ସମ୍ବଳ ଓ କେମିତି ସଳଖିବ ଆର୍ଥିକ ସ୍ଥିତି ସେନେଇ ଚାଲିଛି ତର୍କ । ଗୋଟିଏ ପଟେ ମହାମାରୀ ପାଇଁ ଲକଡାଉନ ପରିସ୍ଥିତି ଚାଲିଥିବା ବେଳେ ଅନ୍ୟପଟେ ନୀରବତାର ସହ ସମସ୍ୟାର ସମାଧାନ ଦିଗରେ ଏକ ସଂକଳ୍ପର ଚିନ୍ତା କରିଛି ଯୁକ୍ତରାଷ୍ଟ୍ର ସାଧାରଣ ସଭା ।
ନୀରବତାର ସହ ସମସ୍ତ ପ୍ରକ୍ରିୟା ଦେଇ ଏହି ସାଧାରଣ ସଭାରେ ସାମିଲ ଭାରତ ସମେତ 188ଟି ଦେଶ ଆଗରେ ଏବେ ରହିଛି ଗୋଟିଏ ସମାଧାନର ପନ୍ଥା । ସେ ହେଉଛି ବିଶ୍ବରେ ଏକତା ଓ ଆପୋଷ ସହଯୋଗ ବଳରେ କୋରୋନାର ମୁକାବିଲା । ଘାନା, ଇଣ୍ଡୋନେସିଆ, ନରୱେ, ସିଙ୍ଗାପୋର ଓ ସ୍ବିଜରଲାଣ୍ଡ ମିଳିତ ଭାବେ ଏହି ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ।
ଏହି ପରାମର୍ଶ ଅନୁଯାୟୀ ବର୍ତ୍ତମାନର ସଙ୍କଟରୁ ସମସ୍ତଙ୍କୁ ବାହାରିବାକୁ ହେଲେ ଏକାଠି ହେବାକୁ ପଡିବ । ପରସ୍ପର ପ୍ରତି ସହାୟତାର ହାତ ବଢାଇବାକୁ ପଡିବ । ସେ ଆର୍ଥିକର ହେଉ କି ମାନସିକ ପ୍ରତ୍ୟେକ ସ୍ତରରେ ପରସ୍ପରକୁ ସାହାଯ୍ୟ କରିବାକୁ ହେବ । ବୈଜ୍ଞାନିକ କୌଶଳର ଆଦାନ ପ୍ରଦାନ କରିବା ଦ୍ବାରା ହୁଏତ ଅନେକ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ।
ତେବେ ବର୍ତ୍ତମାନ ଏହି ପରାମର୍ଶ ନେଇ ସମସ୍ତ ଅଂଶୀଦାର ରାଷ୍ଟ୍ରମାନଙ୍କୁ ଚିଠି ଲେଖାଯାଇଛି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ରାଷ୍ଟ୍ରମାନେ ଏହି ପରାମର୍ଶକୁ ଗ୍ରହଣ କରି ସବୁଜ ସଙ୍କେତ ଦେଖାନ୍ତି ତେବେ ସାଧାରଣ ସଭା ଦ୍ବାରା ଏହାକୁ ଅନୁମୋଦିତ କରାଯିବ ।