ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସର୍ବୋଦୟ ବିଦ୍ୟାଳୟ ଗସ୍ତକୁ ଅବିସ୍ମରଣୀୟ ବୋଲି କହିଛନ୍ତି ଆମେରାକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ । ଏହା ସହିତ ସ୍କୁଲରେ ତାଙ୍କର ସ୍ବାଗତ କରିଥିବାରୁ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ ।
ଗୁରୁବାର ସ୍କୁଲ ଗସ୍ତ ସମୟର ଏକ ଭିଡିଓ ଟ୍ବିଟରରେ ସେୟାର କରି ମେଲାନିଆ ଲେଖିଛନ୍ତି, ' ନୂଆଦିଲ୍ଲୀର ସର୍ବୋଦୟ ବିଦ୍ୟାଳୟରେ ଅବିସ୍ମରଣୀୟ ଅପରାହ୍ନ! ଅସାଧାରଣ ଛାତ୍ର ଏବଂ ଅଧ୍ୟାପକଙ୍କ ଗହଣରେ ରହିବା ଗର୍ବର ବିଷୟ। ମୋର ସ୍ବାଗତ ପାଇଁ ଧନ୍ୟବାଦ!'
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତ ଗସ୍ତରେ ଆସିଥିଲେ ମେଲାନିଆ ଟ୍ରମ୍ପ । ଏହି ସମୟରେ ସେ ଦିଲ୍ଲୀର ସରକାରୀ ସ୍କୁଲ ପରିଦର୍ଶନ କରିଥିଲେ । ଦକ୍ଷିଣ ଦିଲ୍ଲୀର ସର୍ବୋଦୟ ସିନିୟର ସେକେଣ୍ଡାରୀ ସ୍କୁଲ ପହଞ୍ଚି ସେଠାର ହାପିନେସ କ୍ଲାସରେ ସମୟ ଅତିବାହିତ କରିଥିଲେ ସେ । ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ଧ୍ୟାନ, ପିଲାମାନଙ୍କ ମଧ୍ୟରେ ଚିନ୍ତା ଏବଂ ଚାପ ହ୍ରାସ କରିବା ପାଇଁ ବିଭିନ୍ନ ଶିକ୍ଷା ଦିଆଯାଇଥାଏ |
ତେବେ ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀ ହାତରେ ପ୍ଲାକାଡ ଧରି ତାଙ୍କୁ ସ୍ବାଗତ ଜଣାଇଥିଲେ। ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ସ୍କୁଲକୁ ନିଆଯାଇଥିଲା।
ଜଣେ ଯୁବତୀ ଛାତ୍ର ଆମେରିକାର ପ୍ରଥମ ଲେଡିଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ କପାଳରେ ତିଲକ ଲଗାଇ ତାଙ୍କୁ 'ଆରତୀ ଥାଲି' ସହିତ ସ୍ବାଗତ କରିଥିଲେ। ନିଜର ଆନନ୍ଦ ବ୍ୟକ୍ତ କରି ମେଲାନିଆ ବିଦ୍ୟାଳୟର ଛାତ୍ରମାନଙ୍କୁ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ ସହିତ ସ୍ବାଗତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।
@ANI