ବେଙ୍ଗାଲୁରୁ: ଆଜି ବି ବଞ୍ଚିଛି ମାନବିକତା । ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରି ମାନବିକତା ଦେଖାଇଛନ୍ତି କର୍ଣ୍ଣାଟକର ଦୁଇ ପୋଲିସ ଅଧିକାରୀ । ପୋଲିସଙ୍କର ଏହି କାମକୁ ବେଶ୍ ପ୍ରଶଂସା କରାଯାଇଛି ।
ସୂଚନାଅନୁସାରେ, କର୍ଣ୍ଣାଟକର ମାରଥାହାଲି ଅଞ୍ଚଳରେ ସଂଜୟ ନାମକ ଜଣେ ବ୍ୟକ୍ତି ଯାଉଥିବା ସମୟରେ ଗୋଟେ ବାଇକ ତାଙ୍କୁ ଜୋରରେ ଧକ୍କା ଦେଇଥିଲା । ଫଳରେ ସଂଜୟ ସେଠି ହିଁ ଟଳି ପଡିଥିଲେ । ସେଠାରେ ଥିବା ହାଲ ଏୟାରପୋର୍ଟ ଟ୍ରାଫିକ ପୋଲିସ ଷ୍ଚେସନର ଦୁଇ ପୋଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦିନକୁ ଦିନ ସଂଜୟଙ୍କ ଅବସ୍ଥା ଗୁରୁତର ହେଉଥିବାରୁ ଡାକ୍ତର ତାଙ୍କୁ ନିମାହଂସ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାର୍ମଶ ଦେଇଥିଲେ । ଡାକ୍ତରଙ୍କ ପରାର୍ମଶ ଅନୁସାରେ ଦୁଇ ପୋଲିସ କନଷ୍ଟେବଳ କଶାପ୍ପା ଓ ଚିର଼ଞ୍ଚିବ ସଂଜୟଙ୍କୁ ନିମାହଂସ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଥିବା ସମୟରେ ପୋଲିସ ସଂଜୟଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିବାବେଳେ ଜାଣିବାକୁ ପାଇଥିଲା ସେ ଅନାଥ ।
ତେବେ ଦୁର୍ଘଟଣାର 15ଦିନ ପରେ ସଂଜୟ ସୁସ୍ଥ ହୋଇଥିଲେ । ତାଙ୍କୁ ସାହାଯ୍ୟ କରି ତାଙ୍କ ଜୀବନ ବଞ୍ଚେଇଥିବାରୁ ସଂଜୟ ଦୁଇ ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଦୁୁଇ ପୋଲିସ କନଷ୍ଟେବଳଙ୍କର ଏପରି ମହାନ କାମକୁ ବରିଷ୍ଠ ପୋଲିସ ଅଧିକାରୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶଂସା କରାଯାଇଛି ।
ଅନ୍ୟପଟେ ସଂଜୟଙ୍କୁ ଧକ୍କା ଦେଇଥିବା ବାଇକ ଚାଳକଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ବେଙ୍ଗାଲୁରୁ ପୋଲିସ ।
ବ୍ୟୁରେ ରିପୋର୍ଟ, ଇଟିଭି ଭାରତ