ନୂଆଦିଲ୍ଲୀ: ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ମିଳିଲା ଆଉ ଏକ ପଦବୀ । ଜୁନ ୩୦ରେ କାର୍ଯ୍ୟାଳୟ ଶେଷ ହେଉଥିବାବେଳେ କେନ୍ଦ୍ର ସରକାରଙ୍କ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ୫ଜଣ ଅତିରିକ୍ତ ସଲିସିଟର ଜେନେରାଲଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବୃଦ୍ଧି କରାଯାଇଛି। ପୁଣି ଥରେ ତାଙ୍କୁ ତିନି ବର୍ଷ ପାଇଁ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ନୂତନ ବିଜ୍ଞପ୍ତିରେ 6 ଟି ଅତିରିକ୍ତ ସଲିସିଟର ଜେନେରାଲ୍ ସୃଷ୍ଟି କରାଯାଇଛି | ଜୁଲାଇ ପହିଲାରୁ ଏମାନଙ୍କ ନୂଆ କାର୍ଯ୍ୟକାଳ ଆରମ୍ଭ ହେବ ।
କାର୍ଯ୍ୟକାଳ ବୃଦ୍ଧି ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲମାନେ ହେଲେ ବିକ୍ରମଜିତ୍ ବାନାର୍ଜୀ, ଅମନ ଲେଖି, ମାଧବୀ ଦିବାନ, କେ ଏମ ନଟରାଜ ଏବଂ ସଂଜୟ ଜୈନ। ପିଙ୍କି ଆନନ୍ଦ ଏବଂ ଏସ୍ ନାଡକର୍ନି ଆଉ ଅତିରିକ୍ତ ସଲିସିଟର ଜେନେରାଲ୍ ASG ହେବେ ନାହିଁ । ନୂତନ ASG ତାଲିକାରେ ସିନିୟର ଆଡଭୋକେଟ୍ ବଲବୀର ସିଂ, ସୂର୍ଯ୍ୟପ୍ରକାଶ ଭି ରାଜୁ, ରୁପିନ୍ଦର ସିଂ ସୁରୀ, ଏନ ଭେଙ୍କଟାରମନ୍, ଜୟନ୍ତ ସୁଦ ଏବଂ ଐଶ୍ୱର୍ଯ୍ୟା ଭାଟି ଅନ୍ତର୍ଭୁକ୍ତ ।
ଏପଟେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳଙ୍କ କାର୍ଯ୍ୟକାଳକୁ ବର୍ଷେ ବୃଦ୍ଧି କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପୁନଃନିଯୁକ୍ତିକୁ ମଞ୍ଜୁରି ଦେବା ପରେ ଆଇନ ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ୮୯ ବର୍ଷୀୟ ବେଣୁଗୋପାଳଙ୍କର ୩ ବର୍ଷିଆ କାର୍ଯ୍ୟାଳୟ ଜୁନ ୩୦ରେ ଶେଷ ହେଉଥିବାବେଳେ ନୂଆ କାର୍ଯ୍ୟକାଳ ଜୁଲାଇ ୧ରୁ ଆରମ୍ଭ ହେବ।