ଯୋସେଫ୍ ଆର ବିଡେନ୍ ଯୁକ୍ତରାଷ୍ଟ୍ର ଆମେରିକାର 46ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ଦେଶର ସବୁକିଛି ଓଲଟପାଲଟ କରିଦେଇଛି। ବାସ୍ତବିକ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ 59ତମ ରାଷ୍ଟ୍ରପତି ନିର୍ବାଚନରେ ଅନେକ କିଛି ସଫଳତା ଦେଖିବାକୁ ମିଳିଛି। 1992 ପରେ ଏହା ଥିଲା ପ୍ରଥମ ନିର୍ବାଚନ, ଯେଉଁ ନିର୍ବାଚନରେ କ୍ଷମତାସୀନ ରାଷ୍ଟ୍ରପତି ଦ୍ବିତୀୟ ଥର ପାଇଁ ପୁନଃନିର୍ବାଚିତ ହେବାରେ ବିଫଳ ହୋଇଛନ୍ତି। ଜୋଏ ବିଡେନଙ୍କୁ ମିଳିଛି ସାଢେ 7 କୋଟିରୁ ଅଧିକ ଭୋଟ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିଡେନ ସର୍ବାଧିକ ଭୋଟ ପାଇଛନ୍ତି। 2008ରେ 6 କୋଟି 95 ଲକ୍ଷ ଭୋଟ ପାଇଥିବା ବାରାକ୍ ଓବାମାଙ୍କ ରେକର୍ଡ ଭାଙ୍ଗିଛନ୍ତି ବିଡେନ୍। ଏଥର ନିର୍ବାଚନର ଆଉ ଏକ ସଫଳତା ହେଉଛି, କୋଭିଡ-19 ମହାମାରୀ କାରଣରୁ ଡାକ ଯୋଗେ ଭୋଟିଂ କଟକଣାକୁ ଅନେକ ରାଜ୍ୟ କୋହଳ କରିବାରୁ ରେକର୍ଡ ସଂଖ୍ୟାରେ ଆଗୁଆ ଭୋଟ୍ ପଡ଼ିବା ସହ ପୋଷ୍ଟାଲ ବ୍ୟାଲଟ୍ ସଂଖ୍ୟା ମଧ୍ୟ ବଢିଥିଲା। ଯେଉଁଥି ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ (ସୁଇଙ୍ଗ ଷ୍ଟେଟ୍)ରେ ଭୋଟ ଗଣତି ଏବଂ ରିପୋର୍ଟିଂ ବିଳମ୍ବିତ ହୋଇଥିଲା, ଯାହା ଫଳରେ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଚାରି ଦିନ ପର୍ଯ୍ୟନ୍ତ ବିଜୟୀ କିଏ ତାହା ଘୋଷଣା କରି ପାରିନଥିଲେ। ଗଣତିର ଚାରିଦିନ ପରେ 2020 ନଭେମ୍ବର 7ରେ ଫଳାଫଳ ସ୍ପଷ୍ଟ ହୋଇଥିଲା। ସବୁଠାରୁ ଉଲ୍ଲେଖଯୋଗ୍ୟ ହେଲା ଯୋସେଫ୍ ଆର ବିଡେନଙ୍କ ସହଯୋଗୀ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ପ୍ରଥମ କୃଷ୍ଣକାୟ ମହିଳା ଭାବେ ଆମେରିକାର ଉପ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।
ଏସବୁ ସଫଳତା ସତ୍ତ୍ବେ 59ତମ ରାଷ୍ଟ୍ରପତି ନିର୍ବାଚନର ଜନାଦେଶ ରାଜନୈତିକ ବିଶ୍ଲେଷକଙ୍କ ଆଶାନୁଯାୟୀ ସେପରି ନିର୍ଣ୍ଣୟାତ୍ମକ/ପ୍ରଭାବଶାଳୀ ହୋଇପାରି ନାହିଁ। ଏଠାରେ ଏହା ବି ସ୍ମରଣଯୋଗ୍ୟ ଯେ, ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ ମିଳିଛି 7 କୋଟିରୁ ଅଧିକ ଭୋଟ, ଯାହାକି ରାଷ୍ଟ୍ରପତି ବାରାକ ଓବାମା ପାଇଥିବା ପପୁଲାର ଭୋଟଠାରୁ ଅଧିକ। ବାସ୍ତବରେ ଟ୍ରମ୍ପଙ୍କ ନୀତି ପ୍ରତି ସମର୍ଥନ ବଢିଛି, ଏହା 2016ରୁ 2020 ମଧ୍ୟରେ ଭୋଟରଙ୍କ ମନୋଭାବରୁ ପ୍ରତିଫଳିତ ହୋଇଛି। 2016 ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ 6 କୋଟି 29 ଲକ୍ଷ 84 ହଜାର 828 ଭୋଟ୍ ପାଇଥିଲେ ଯାହାକି ପଡ଼ିଥିବା ମୋଟ ଭୋଟ୍ ସଂଖ୍ୟାର ପ୍ରାୟ 46 ପ୍ରତିଶତ। 2020ରେ ଟ୍ରମ୍ପଙ୍କ ସପକ୍ଷରେ ପଡ଼ିଥିବା ଭୋଟ ସଂଖ୍ୟା 7 କୋଟି 10 ଲକ୍ଷ 98 ହଜାର 559କୁ ବୃଦ୍ଧି ପାଇଛି ଯାହାକି ମୋଟ ଭୋଟ ସଂଖ୍ୟାରେ ପ୍ରାୟ 48 ପ୍ରତିଶତ। ଏହା ଲେଖା ହେବା ବେଳକୁ ପାଖାପାଖି 93 ପ୍ରତିଶତ ଭୋଟ ଗଣତି ହୋଇଥିଲା। ଏହା ବି ସ୍ପଷ୍ଟ ଯେ, 59ତନ ରାଷ୍ଟ୍ରପତି ନିର୍ବାଚନରେ ଡୋନଲଡ ଜେ ଟ୍ରମ୍ପଙ୍କ ପରାଜୟ ସତ୍ତ୍ବେ ଟ୍ରମ୍ପଙ୍କ ଲୋକପ୍ରିୟତା ପୂର୍ବ ତୁଳନାରେ ବଢିଛି। ଟ୍ରମ୍ପବାଦ ପ୍ରତି ସମର୍ଥନ ବୃଦ୍ଧି ପାଇଛି।
2020 ଆମେରିକା ସିନେଟ୍ ନିର୍ବାଚନର ସ୍ଥିତିକୁ ଦେଖିଲେ ଡେମୋକ୍ରାଟଙ୍କ ବିଜୟ କେତେ କଷ୍ଟସାଧ୍ୟ ଥିଲା ତାହା ଜାଣିହେଉଛି। ସିନେଟ ନିର୍ବାଚନରେ 18ଟି ଆସନରେ ବିଜୟୀ ରିପବ୍ଲିକାନ ପାର୍ଟିର ମୋଟ ଆସନ ସଂଖ୍ୟା 48ରେ ପହଞ୍ଚିଛି। 13ଟି ଆସନରେ ବିଜୟୀ ଡେମୋକ୍ରାଟିକ ପାର୍ଟିର ସଦସ୍ୟ ସଂଖ୍ୟା 46 ରହିଛି। ଦୁଇଟି ଆସନ ସ୍ବାଧୀନ ସଦସ୍ୟଙ୍କ ପାଖରେ ରହିଛି। ସଂଖ୍ୟାଗରିଷ୍ଠତା ହାସଲ ପାଇଁ ସିନେଟରେ କୌଣସି ଦଳକୁ 51ଟି ଆସନ ଆବଶ୍ୟକ। ଏଥିପାଇଁ ଆମେରିକା ସିନେଟର ଭାଗ୍ୟ ଜର୍ଜିଆର ଦୁଇଟି ନିର୍ଣ୍ଣାୟକ ନିର୍ବାଚନ ଉପରେ ନିର୍ଭର କରୁଥିଲା। 2020 ନଭେମ୍ବର 3 ରାଷ୍ଟ୍ରପତି ନିର୍ବାଚନ ଦିନ ଭୋଟରଙ୍କ ମଧ୍ୟରେ ଯେଉଁ ପ୍ରବଳ ଆଗ୍ରହ ଦେଖା ଦେଇଥିଲା ତାହା ଟ୍ରମ୍ପଙ୍କ ବିଶେଷ ଧରଣର ପ୍ରଚାର ପାଇଁ ସମ୍ଭବପର ହୋଇଥିବା କଥା ଗଣମାଧ୍ୟମ ବିଶେଷଜ୍ଞ ଏବଂ ରାଜନୈତିକ ସମୀକ୍ଷକ କହିଛନ୍ତି। ଆମେରିକା ଗଠନ ହେବା ପରଠାରୁ ଆମେରିକା ରାଜନୀତିରେ ଅଘୋଷିତ ଭାବେ ଜାତୀୟତାବାଦ ନୀତି ପାଇଁ ଲୋକଙ୍କ ସହିତ ଅଧିକ ଭାବେ ଯୋଡି ହେବାରେ ଟ୍ରମ୍ପ ସଫଳ ହୋଇଛନ୍ତି। ଜାତି, ଧର୍ମ, ବର୍ଣ୍ଣ, ଚିନ୍ତାଧାରା ଆଦି ଏକାଧିକ ରକ୍ଷଣଶୀଳ ମନୋଭାବର ମିଶ୍ରଣ ଟ୍ରମ୍ପଙ୍କ ପାଖରେ ଦେଖିବାକୁ ମିଳେ ତାହା ଆମେ ଜାଣୁ। ଏସବୁ କେବଳ ଟ୍ରମ୍ପଙ୍କ ସୃଷ୍ଟି ନୁହେଁ ବରଂ ଦେଶର ପ୍ରମୁଖ ରାଜନୀତିରେ ଏସବୁ ମତବାଦକୁ ଯୋଡ଼ିବାରେ ସେ ଥିଲେ ମୁଖ୍ୟ ନାୟକ। ବିଭିନ୍ନ ପ୍ରକାର କଳାକାର ସଂଗଠନ ଓ ଗୋଷ୍ଠୀକୁ ନେଇ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ନିଓ-କଂଜରଭେଟିଭ ରାଜନୀତି ଆରମ୍ଭ ହୋଇଥିଲା।
ସେମାନଙ୍କ ମଧ୍ୟରେ ନିୟମିତ ସମ୍ପର୍କ ରଖିବା କଷ୍ଟକର ଥିଲା କାରଣ ସେମାନେ ଭିନ୍ନ ଭିନ୍ନ ସାଙ୍ଗଠନିକ ନୀତି ଓ ଆଦର୍ଶ ଦ୍ବାରା ଅନୁପ୍ରାଣିତ ହୋଇ ଆସୁଥିଲେ। ହେଲେ ସମସ୍ତଙ୍କ ପାଖରେ ଗୋଟିଏ କଥା ଲୁକ୍କାୟିତ ହୋଇ ରହିଥିଲା। ହେଲେ ଗୋଟିଏ ପକ୍ଷରେ ଏମାନଙ୍କୁ ଆଗକୁ ନେବା ପାଇଁ କୌଣସି ସ୍ବୀକୃତ ନେତା, ରାଜନୈତିକ କେନ୍ଦ୍ର କିମ୍ବା ଏକ ସ୍ଥାୟୀ ସଂଗଠନ ନଥିଲା, Qanon ଥିଲା ଏଭଳି ଏକ ଗୋଷ୍ଠୀର ଉଦାହରଣ। ଅନ୍ୟପକ୍ଷରେ ଆଉ ଏକ ବିଦ୍ରୋହୀ ସଂଗଠନ ଗୁପ୍ତ ଭାବେ କିଛି ରାଇଟ୍ ୱିଙ୍ଗ ବିଦ୍ରୋହୀଙ୍କୁ ନେଇ ରହିଥିଲା। ଏହି ଅଘୋଷିତ ବା ଗୋପନ ଆଦର୍ଶ ରଖିଥିବା ଗୋଷ୍ଠୀ ରିପବ୍ଲିକାନ ପାର୍ଟି ସପକ୍ଷରେ ଭୋଟ ଦେଇଥିଲେ ହେଁ ଏମାନେ ଦଳରେ ସାମିଲ ହୋଇନାହାଁନ୍ତି କିମ୍ବା ଦଳର ନିୟନ୍ତ୍ରଣ ମଧ୍ୟରେ ରହିନାହାଁନ୍ତି। ଟ୍ରମ୍ପ ଏବଂ ତାଙ୍କର ସମର୍ଥକ ସର୍ବପୁରାତନ ଦଳ ସହିତ ଦକ୍ଷିଣପନ୍ଥୀ ଅଲଟ ରାଇଟ୍ ଗୋଷ୍ଠୀକୁ ସାଥିରେ ନେଇଥିଲେ। ଏହାଦ୍ବାରା ରିପବ୍ଲିକାନ ପାର୍ଟରେ ଟ୍ରମ୍ପଙ୍କର ଅଖଣ୍ଡ ପ୍ରଭାବ ରହିଥିଲା। ଏହା ସତ୍ତ୍ବେ ତାଙ୍କୁ ନିର୍ବାଚନ ପରାଜୟ ସାମନା କରିବାକୁ ପଡିଲା। ବିଭେଦକାରୀ ରାଜନୀତି ଯାହାକି ରାଷ୍ଟ୍ରପତି ଟ୍ରମ୍ପଙ୍କର ହଲମାର୍କ ଥିଲା ତାହା ତାଙ୍କର ନିର୍ବାଚନୀ ପରାଜୟ ପରେ ବି ଜାରି ରହିଛି।
ଆମେରିକାର ପ୍ରମୁଖ ରାଜନୈତିକ ଦଳଗୁଡିକରେ ଦେଖା ଦେଇଥିବା ପରିବର୍ତ୍ତନର ବିଚାର ବିନା ଦେଶର ରାଜନୀତିରେ ଯେଉଁ ବିଭେଦତା ବଢିଛି ତାହାର ସମୀକ୍ଷା କରିବା ଅସମ୍ପୂର୍ଣ୍ଣ। ଉଭୟ ରିପବ୍ଲିକାନ ଏବଂ ଡେମୋକ୍ରାଟିକ ପାର୍ଟି ଭିତରେ ମହତ୍ତ୍ବପୂର୍ଣ୍ଣ ଫାଟ ସୃଷ୍ଟି ହୋଇଛି। 2016ରେ 58ତମ ରାଷ୍ଟ୍ରପତି ନିର୍ବାଚନ ପରଠାରୁ ଉଭୟ ରିପବ୍ଲିକାନ ଏବଂ ଡେମୋକ୍ରାଟିକ ପାର୍ଟି ପ୍ରତି ସଂସ୍କାରବାଦୀ ୱିଙ୍ଗ ଦ୍ବାରା ବିପଦ ବଢିବାରେ ଲାଗିଛି। ସାମାଜିକ-ରାଜନୈତିକ ଏବଂ ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ମନ୍ଥରତା ନେଇ ଲେଫ୍ଟ ୱିଙ୍ଗ ମଧ୍ୟରେ ହତାଶା ବଢିବାରୁ ଡେମୋକ୍ରାଟିକ୍ ପାର୍ଟିକୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି। ବର୍ଣ୍ଣି ସ୍ୟାଣ୍ଡରସ ଏବଂ ସ୍କ୍ବାଡ୍ ଡେମୋକ୍ରାଟସ (2018 ଆମେରିକା ପ୍ରତିନିଧି ସଭା ନିର୍ବାଚନରେ ନିର୍ବାଚିତ ଚାରି ଜଣ ମହିଳା ନ୍ୟୁୟର୍କର ଆଲେକଜାଣ୍ଡ୍ରିୟା ଓକାସିଓ-କୋର୍ଟେଜ, ମିନେସୋତାର ଇଲହାନ ଓମାର, ମାସାଚୁଟେସର ଆୟାନା ପ୍ରେସଲେ ଏବଂ ମିଚିଗାଁର ରସିଦା ତ୍ଲେବଙ୍କୁ ନେଇ ଗଠିତ ଏକ ଗୋଷ୍ଠୀ) ଡେମୋକ୍ରାଟିକ୍ ପାର୍ଟିର ଲେଫ୍ଟ ୱିଙ୍ଗ ଆଶା ଓ ଆଶଙ୍କାକୁ ସ୍ପଷ୍ଟ କରି ଆସିଛନ୍ତି। ଏହି ଗୋଷ୍ଠୀ ଡେମୋକ୍ରାଟିକ୍ ପାର୍ଟିର ପ୍ରମୁଖ ସ୍ଥାନ ଦଖଲ କରିବାକୁ ପୂର୍ବରୁ ଦୁଇ ଥର ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ପୋଲିସ, ମେଡିକାଲ ଏବଂ ଶିକ୍ଷା କ୍ଷେତ୍ରରେ ସଂସ୍କାର ସମେତ ସମାନ ମଜୁରୀ ପ୍ରଦାନ ପାଇଁ ହୋଇ ଆନ୍ଦୋଳନକୁ ଏମାନେ ହିଁ ନେତୃତ୍ବ ଦେଇଥିଲେ। ଟ୍ରମ୍ପ୍ ଏବଂ ଷ୍ଟିଫେନ କେଭିନ ବ୍ୟାନନଙ୍କ ନେତୃତ୍ବରେ ଅଲଟ ରାଇଟ୍ ଚ୍ୟାଲେଞ୍ଜ ବଢିବା ଦ୍ବାରା ରିପବ୍ଲିକାନ ପାର୍ଟି ବିଜୟୀ ହୋଇଥିଲା। କିନ୍ତୁ ଉଭୟ ଡେମୋକ୍ରାଟ ଏବଂ ରିପବ୍ଲିକାନ ପାର୍ଟି ସେମାନଙ୍କ ଦଳରେ ଥିବା ଲେଫଟ୍ ୱିଙ୍ଗ ଚ୍ୟାଲେଞ୍ଜକୁ ମୁକାବିଲା କରିବାରେ ଅସମର୍ଥ ହୋଇଥିଲେ।
ଏହି କାରଣରୁ 58ତମ ରାଷ୍ଟ୍ରପତି ନିର୍ବାଚନ ବେଳେ ଦଳରେ ଥିବା ଲେଫଟ ୱିଙ୍ଗକୁ ଡେମୋକ୍ରାଟ ଠିକ୍ ଭାବେ ପରିଚାଳନା କରିନପାରିବାରୁ ଦଳକୁ ପରାଜୟ ସ୍ବୀକାର କରିବାକୁ ପଡିଥିଲା। ଆଉ ଏବେ ସେହିପରି କଂଜରଭେଟିଭ ଗୋଷ୍ଠୀର ଭୂମିକା କାରଣରୁ ସିନେଟ୍ ନିର୍ବାଚନ ହେଉ ଏବଂ ରାଷ୍ଟ୍ରପତି ନିର୍ବାଚନ ବେଳେ କେତେକ ପ୍ରମୁଖ ରାଜ୍ୟରେ ଟ୍ରମ୍ପଙ୍କ ପରାଜୟ ହେଲା। ଆରିଜୋନା ଏବଂ ମାସାଚୁସେଟସରେ ବିଡେନଙ୍କ ବିଜୟରେ ରିପବ୍ଲିକାନ ସମର୍ଥକ ସ୍ବର୍ଗତ ଜନ୍ ମେକେନ୍ ଏବଂ ମିଟ୍ ରୋମନୀଙ୍କ ସମର୍ଥକମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ବାମପନ୍ଥୀ ଗୋଷ୍ଠୀର ଏଜେଣ୍ଡାକୁ ଡେମୋକ୍ରାଟ୍ ଗୁରୁତ୍ବ ଦେଇଥିବା ବେଳେ ଆଲଟ ରାଇଟ୍ ଗୋଷ୍ଠୀ ପ୍ରଭାବରେ ରିପବ୍ଲିକାନ ରାଜନୀତି ସାଂସ୍କୃତିକ ମତବାଦକୁ ଅଧିକ ଗୁରୁତ୍ବ ଦେଇ ଆସିଛି। ବିଡେନ ରାଷ୍ଟ୍ରପତି ଭାବେ ଅବସ୍ଥାପିତ ହେବା ପରେ ବି ଆମେରିକା ରାଜନୀତିରେ ମତବାଦ ନେଇ ବଢୁଥିବା ବିବାଦ କମିବା ସହଜ ନୁହେଁ। ବାସ୍ତବିକ ମହାମାରୀ ସମୟରେ ବି ଲୋକେ ଯେପରି ବହୁସଂଖ୍ୟାରେ ଭୋଟ ଦେଲେ ତାହାକୁ ବିଡେନ ପ୍ରଶାସନ ଏଡାଇ ଦେଇ ପାରିବେ ନାହିଁ। ତେବେ ସେ ଯାହା ହେଉନା କାହିଁକି କୋଭିଡ-19 ସଂକ୍ରାନ୍ତ ସ୍ବାସ୍ଥ୍ୟସେବା, ପୋଲିସ ସଂସ୍କାର ବିଶେଷ କରି କୃଷ୍ଣକାୟ ସମ୍ପ୍ରଦାୟ ଉପରେ ବଢୁଥିବା ଆକ୍ରମଣ, ଇମିଗ୍ରେସନ ଆଇନରେ କୋହଳ ଆଦି ଅନେକ ପ୍ରସଙ୍ଗକୁ ନେଇ ଦେଶରେ ଆଗକୁ ଯେ ଅଶାନ୍ତ ଓ ଅସ୍ଥିରତା ସୃଷ୍ଟି ନହେବ ତାହାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇହେବ ନାହିଁ। ଏପଟେ ଅନ୍ତର୍ଜାତୀୟ କ୍ଷେତ୍ରରେ ଏକ ବୃହତ ଶକ୍ତି ଭାବେ ଚୀନ୍ ଉଭା ହେଉଥିବାରୁ ଆମେରିକାରେ ଅସ୍ଥିରତା ଦେଖାଦେଲେ ଏହାର ପ୍ରଭାବ ପଡିପାରେ ବୋଲି ଯେ କହି କଳ୍ପନାଜଳ୍ପନା କରିପାରିବ।
-କୁମାର ସଞ୍ଜୟ ସିଂ (ଆସୋସିଏଟ୍ ପ୍ରଫେସର, ସ୍ବାମୀ ଶ୍ରଦ୍ଧାନନ୍ଦ କଲେଜ, ଦିଲ୍ଲୀ ବିଶ୍ବବିଦ୍ୟାଳୟ)