ଗାନ୍ଧୀନଗର: ଆସନ୍ତା 24 ତାରିଖରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରୋଡ ଶୋକୁ ବିବିଧତାରେ ଏକତା ନାମରେ ନାମିତ କରାଯାଇଛି । ଏହି ରୋଡ ଶୋ ଭାରତର ସାଂସ୍କୃତିକ ବିବିଧତାକୁ ପ୍ରତିଫଳିତ କରୁଥିବାରୁ ଏପରି ନାମକରଣ କରାଯାଇଛି ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସରକାରୀ ଗସ୍ତ ଦିନ 12.30ରୁ ଆରମ୍ଭ ହେବ । ଅହମ୍ମଦାବାଦ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏହାପରେ ଦିନ 1ଟା ସମୟରେ ରୋଡ ଶୋ ଆରମ୍ଭ ହେବ । ରୋଡ ଶୋରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବିଶ୍ବର ବୃହତମ କ୍ରିକେଟ ଷ୍ଟାଡିୟମକୁ ଉଦଘାଟନ କରିବେ ।
ପରବର୍ତ୍ତୀ ସମୟରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ସାବରମତିର ଗାନ୍ଧୀ ଆଶ୍ରମ ପରିଦର୍ଶନ କରିବେ । ଏହାପରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 3.10 ସୁଦ୍ଧା ଅହମ୍ମଦାବାଦ ଉଭୟ ବିମାନବନ୍ଦର ଦେଇ ଆଗ୍ରା ପ୍ରତ୍ୟାବର୍ତ୍ତନ କରିବେ । ସେଠାରେ ତାଜମହଲ ଦେଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ଏକ ଉଚ୍ଚସ୍ତରୀୟ ବ୍ୟବସାୟିକ ବୈଠକ ଅନୁଷ୍ଠିତ ହେବ ।
ସେହିପରି ଟ୍ରମ୍ପଙ୍କ ଗସ୍ତକୁ ଆମ ପାଇଁ ସମ୍ମାନ ବୋଲି ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କହିଛନ୍ତି । ଏହି ଗସ୍ତରେ ଭାରତ ଓ ଆମେରିକାର ସୁରକ୍ଷା ବାହିନୀ ନିୟୋଜିତ ରହିଥିବା ସେ ପ୍ରକାଶ କରିଛନ୍ତି । ସେହିଭଳି ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଓ ବ୍ୟବସ୍ଥା କରୁଥିବା ନେଇ ସେ ଉଲ୍ଲେଖ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ