ପାଟନା: ବିହାର ପୋଲିସରେ ସାମିଲ ହେବେ ଟ୍ରାନ୍ସଜେଣ୍ଡର । ଅନ୍ୟାନ୍ୟ ସରକାରୀ ସେବା ଭଳି ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେବା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବା ମଧ୍ୟ ରାଜ୍ୟ ସରକାରଙ୍କ ସମ୍ମୁଖରେ ବିଚାର କରାଯାଉଥିଲା । ବିହାର ପୋଲିସର ନିର୍ଦ୍ଦିଷ୍ଟ ଆବଶ୍ୟକତା ଏବଂ କର୍ତ୍ତବ୍ୟକୁ ଦୃଷ୍ଟିରେ ରଖି ଏଥିରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବ । ତେବେ ବିହାର ସରକାରଙ୍କ ଏହି ନିଷ୍ପତ୍ତିକୁ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପ୍ରଶଂସା କରିଛନ୍ତି ।
ବିହାର ପୋଲିସ ସଂଗଠନରେ ଥିବା କନଷ୍ଟେବଳ ଏବଂ ପୋଲିସର ପଦବୀ ପାଇଁ କିନ୍ନର, କୋଥୀ, ହିଜେଣ୍ଡା ଏବଂ ଟ୍ରାନ୍ସଜେଣ୍ଡର ଯେକେହି ନିଯୁକ୍ତ ହୋଇପାରିବେ । କନଷ୍ଟେବଳଙ୍କ ପାଇଁ ନିଯୁକ୍ତ କର୍ତ୍ତୃପକ୍ଷ ପୋଲିସ ଅଧୀକ୍ଷକ ଏବଂ ଡେପୁଟି ଇନ୍ସପେକ୍ଟର ପୋଲିସର ନିଯୁ୍କ୍ତ ଲାଗି ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ପଦବୀର ଅଧିକାରୀ ହେବେ। କନଷ୍ଟେବଳ ଏବଂ ଇନ୍ସପେକ୍ଟରଙ୍କ ଅଧୀନରେ ସିଧାସଳଖ ନିଯୁକ୍ତି ପାଇଁ ଯଥାକ୍ରମେ 41 ଏବଂ 10 ପୋଷ୍ଟ ବାହାରିବ ।
ବିହାର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଖୁସି ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଆମେ ମଧ୍ୟ ମୁଖ୍ୟ ସ୍ରୋତରେ ଯୋଗ ଦେଇ ବିହାରର ଲୋକଙ୍କୁ ସେବା କରିବାରେ ସମର୍ଥ ହେବୁ । ସରକାର ନେଇଥିବା ନିଷ୍ପତ୍ତି ଏକ ବହୁତ ଭଲ ନିଷ୍ପତ୍ତି ବୋଲି ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଲୋକମାନେ କହିଛନ୍ତି । ସମାଜର ସମସ୍ତ ବର୍ଗର ପ୍ରତିନିଧିତ୍ୱ ସରକାରୀ ସେବାରେ ରହିବା ଉଚିତ ଏବଂ ଏହା ପୋଲିସରେ ଅଧିକ ଆବଶ୍ୟକ । ଅନ୍ୟାନ୍ୟ ସରକାରୀ ସେବା ପରି ବିହାର ପୋଲିସରେ ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ନିଯୁକ୍ତି ପାଇଁ ଏକ ନୀତିଗତ ନିଷ୍ପତ୍ତି ନେବାକୁ ପଡିବ ବୋଲି ଗୃହ ବିଭାଗର ରିଜର୍ଭ ଶାଖାର ଚିଠି ମାଧ୍ୟମରେ ଜଣାଯାଇଛି ।
ବିହାର ପୋଲିସରେ ଯେପରି ବିଭିନ୍ନ ବାଟାଲିୟନ ଅଛି, ସେହିଭଳି ଟ୍ରାନ୍ସଜେଣ୍ଡର ପାଇଁ ଏକ ଅଲଗା ବାଟାଲିୟନ ମଧ୍ୟ ଗଠନ କରାଯିବା ଉଚିତ । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବିହାର ସରକାରୀ ଚାକିରିରେ ବିଶେଷ କରି ପୋଲିସରେ 2% ସଂରକ୍ଷଣ ଦିଆଯିବା ଉଚିତ ବୋଲି ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟା ରେଶମା ପ୍ରସାଦ କହିଛନ୍ତି । ନିଯୁକ୍ତି ମିଳିବା ପ୍ରସଙ୍ଗରେ ପ୍ରିୟା କହିଛନ୍ତି, "ଆମେ ପାଠ ପଢିଥିଲୁ, ହେଲେ ଚାକିରୀ ମିଳିବ ବୋଲି ଜାଣିନଥିଲୁ । ତେବେ ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ ବାହାର କରି ନିଯୁକ୍ତି ପାଇବା ପାଇଁ ଚେଷ୍ଟା କରିବୁ । ଯେଉଁମାନେ ଭଲ ପାଠ ପଢି ଚାକିରୀ କରିବାକୁ ଚାହୁଁଥିଲେ ସେମାନଙ୍କ ଆଶା ଏବେ ପୂରଣ ହେବ ।" ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
'ଟ୍ରାନ୍ସଜେଣ୍ଡର ହେଉଛି ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ। କାହା ସହିତ କୌଣସି ପ୍ରକାରର ଭେଦଭାବ ରହିବା ଉଚିତ୍ ନୁହେଁ । ଆମେ ପୋଲିସ ବିଭାଗରେ ଟ୍ରାନ୍ସଜେଣ୍ଡର ତିଆରି କରିବୁ ଏବଂ ସେମାନଙ୍କୁ ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିହାର ଡିଜିପି ଏସକେ ସିଘଂଲ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ