ମୁମ୍ବାଇ: କୋରୋନା ଆତଙ୍କରେ ଥରହର ଏସିଆର ସବୁଠାରୁ ବଡ ବସ୍ତି ଧରାବୀ । ଦିନକୁ ଦିନ ଏଠାରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର 12ଟି ନୂଆ ମାମଲା ସାମନାକୁ ଆସିଛି ।
ଏହାସହ ଧରାବୀରେ ଏବେ ଯାଏଁ ମୋଟ 179ଟି କୋରୋନା ପଜିଟିଭ ସ୍ପଷ୍ଟ ହୋଇଛି । ଏଥିରୁ 12 ଜଣଙ୍କର ମୃତ୍ୟୁ ହୋଇଛି । ସୋମବାର 12ଟି ପଜିଟିଭ ସହ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ବ୍ରିହନ ମୁମ୍ବାଇ ପୌରପରିଷଦ ସୂଚନା ଦେଇଛି ।
ତେବେ ଧରାବୀ ବସ୍ତିରେ ସଂକ୍ରମଣ ରୋକିବା ପୋଲିସ ଓ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ । କାରଣ ଏଠାରେ ଅନେକ ଲୋକ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରନ୍ତି । ସେମାନେ ଫେରିବା ଫଳରେ ବସ୍ତିରେ ସଂକ୍ରମଣ ବଢିବାରେ ଲାଗିଛି । ଏହାସହ ଏତେ ବଡ ବସ୍ତିରେ ସଂକ୍ରମଣ ରୋକିବା ପ୍ରଶାସନ ପାଇଁ କାଠିକାର ପାଠ ପାଲଟିଛି ।
ତେବେ ବସ୍ତିବାସିନ୍ଦା ନିଜ ଉଦ୍ୟମରେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ବସ୍ତିର ପ୍ରତି ପ୍ରବେଶ ଦ୍ବାରରେ ସାନିଟାଇଜର ଚ୍ୟାମ୍ବର ଖୋଲାଯାଇଛି । ବାହାରୁ ଆସୁଥିବା ଲୋକେ ପ୍ରଥମେ ଏଠାରେ ନିଜକୁ ସାନିଟାଇଜ କରି ପରେ ବସ୍ତି ଭିତରେ ପ୍ରବେଶ କରୁଛନ୍ତି । ଏହାସହ ସମସ୍ତ ଲୋକଙ୍କ ପାଖରେ ସବୁପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚିବାର ବ୍ୟବସ୍ଥା ହୋଇଛି । ଫଳରେ କେହି ବାହାରକୁ ଯିବାର ଆବଶ୍ୟକ ପଡୁନାହିଁ । ଏପରି କରିବା ଦ୍ବାରା ସଂକ୍ରମଣର ଭୟ ଧିରେ ଧିରେ କମିବ ବୋଲି ସୋସାଇଟିର ଚେୟାରମେନ ମହମ୍ମଦ ଆଲାମ ଶେଖ କହିଛନ୍ତି ।
ସୌଜନ୍ୟ@ANI