ନୂଆଦିଲ୍ଲୀ: ବିଶ୍ବ ମହାମାରୀ କୋରୋନାରେ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଆମେରିକା ରହିଥିବାବେଳେ, ଦ୍ବିତୀୟରେ ବ୍ରାଜିଲ ଓ ତୃତୀୟରେ ଭାରତ ରହିଛି । କିନ୍ତୁ ବିଗତ କିଛି ଦିନ ଧରି ଯଦି ଦେଖାଯାଏ ଭାରତରେ କୋରୋନା ସଂକ୍ରମଣ ମାମଲା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯଦି ଏହିଭଳି ଭାବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଏ, ତେବେ ବେଶି ଦିନ ଲାଗିବନି ଆମେରିକାକୁ ପଛରେ ପକେଇବାକୁ ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 48 ହଜାର 661ଟି କୋରୋନା ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 705 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ରବିବାର ସକାଳ ସୁଦ୍ଧା ଦେଶରେ 13 ଲକ୍ଷ 85 ହଜାର 522ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେଥିମଧ୍ୟରୁ 4 ଲକ୍ଷ 67 ହଜାର 882ଟି ମାମଲା ସକ୍ରିୟ ଥିବାବେଳେ, 8 ଲକ୍ଷ 85 ହଜାର 577 ଜଣ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ 32 ହଜାର 6 ଶହ 23 ଜଣ ମୃତ୍ୟୁବରଣ କରିଛନ୍ତି ।