ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର । ଏନଡିଏ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ଆଜି ଅପରାହ୍ନରେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସପ୍ତମଥର ପାଇଁ ସେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
17 ତମ ବିଧାନସଭାର 37 ତମ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ବିହାରବାସୀଙ୍କ ନେତୃତ୍ବ ନେବେ । ଗତକାଲି ନବ ନିର୍ବାଚିତ ଏନଡିଏ ବିଧାୟକମାନେ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଥିଲେ ।
ଏନଡିଏ ବୈଠକ ସରିବା ପରେ ନୀତିଶ କୁମାର ରାଜଭବନ ଯାଇଥିଲେ । ପରେ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟିବା ସହ ବିହାରରେ ସରକାର ଗଢିବାକୁ ଦାବି ରଖିଥିଲେ । ଏହାପରେ ନୀତିଶ କୁମାରଙ୍କୁ ବିହାରରେ ସରକାର ଗଠନ ପାଇଁ ରାଜ୍ୟପାଳ ସହମତି ପ୍ରକାଶ କରିଛନ୍ତି । ଆଜି ଅପରାହ୍ନରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାସହ ଖୁବଶୀଘ୍ର ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ସେ ନୀତିଶ କୁମାର ରବିବାର କହିଛନ୍ତି ।
ବିଜେପି, ଜେଡିୟୁ, ହମ୍ ଏବଂ ଭିଆଇପିର ନବନିର୍ବାଚିତ 125 ବିଧାୟକଙ୍କୁ ନେଇ ବୈଠକ ବସିଥିଲା । ନୀତିଶ କୁମାରଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ । ଏନଡିଏର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ସେ ଏହି ବୈଠକରେ ଯୋଗ ଦେଇଥିଲେ ।
ବିଜେପି ନେତା ସୁଶୀଲ ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଏନଡିଏ ବିଧାୟକ ଦଳ ବୈଠକ ପୂର୍ବରୁ ପାଟନାରେ ଉଭୟ ବିଜେପି ଓ ଜେଡିୟୁ ପକ୍ଷରୁ ପୃଥକ ଭାବେ ଅନ୍ୟ ଏକ ବୈଠକ କରାଯାଇଥିଲା ।
ଗତ ଶୁକ୍ରବାର ବିହାର କ୍ୟାବିନେଟ ଭଙ୍ଗ କରିବା ସହ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନୀତିଶ କୁମାର । ଏହାପରେ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିହାର ରାଜ୍ୟପାଳ ।
ସୂଚନାଥାଉକି, ବିହାର ବିଧାନସଭା ନିର୍ବାଚନରେ ଏନଡିଏ ବିପୁଳ ବିଜୟ ହାସଲ କରିଛି । ନିର୍ବାଚନରେ ବିଜେପି 74 ଟି ବିଧାନସଭା ଆସନରୁ ବିଜୟୀ ହୋଇଥିବା ବେଳେ ଜେଡିୟୁ 43ଟି ଆସନରୁ ବିଜୟୀ ହୋଇଛି । ସେହିଭଳି ଏନଡିଏର ଅନ୍ୟ ସହଯୋଗୀ ବାକି ଥିବା 8ଟି ଆସନରୁ ବିଜୟୀ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ