କୋଲକାତା: ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ରହିଆସିଥିବା ପ୍ରଭାବଶାଳୀ ନେତା ଶୁଭେନ୍ଦୁ ଅଧିକାରୀ ସବୁଦିନ ପାଇଁ ତୃଣମୂଳ କଂଗ୍ରେସକୁ କହିବାକୁ ଯାଉଛନ୍ତି ଅଲବିଦା । ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଅଧିକାରୀଙ୍କ ବିଦ୍ରୋହୀ ଆଭିମୁଖ୍ୟ ଦଳ ପାଇଁ କୌଣସି ବଡ ଝଟକାରୁ କମ୍ ନୁହେଁ ।
ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶୁଭେନ୍ଦୁ ପଦ୍ମ ଧରିବା ନେଇ ଯେଉଁ ସସପେନ୍ସ ଲାଗିରହିଥିଲା ସେଥିରୁ ପରଦା ଉଠିବା ନେଇ ସଙ୍କେତ ମିଳୁଛି । ଅଧିକାରୀଙ୍କୁ ମଙ୍ଗଳବାର ଜେଡ୍ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯିବା ପରେ ଦୋହଲିଯାଇଛି ଟିଏମସି । ସେପଟେ ବିଜେପି ନେତା ମୁକୁଲ ରାୟ ମଧ୍ୟ ସଙ୍କେତ ଦେଇସାରିଛନ୍ତି ଯେ ଅଧିକାରୀ ଆଗାମୀ କିଛିଦିନ ମଧ୍ୟରେ ଦଳରେ ସାମିଲ ହେବେ । ଏହାରି ମଧ୍ୟରେ ଖବର ମିଳିଛି ଯେ ଡିସେମ୍ବର 19ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମେଦିନାପୁର ଗସ୍ତରେ ଯିବେ । ତେବେ ଶାହଙ୍କ ଉପସ୍ଥିତିରେ ଶୁଭେନ୍ଦୁ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ ଶୁଭେନ୍ଦୁ ବିଜେପିରେ ସାମିଲ ହେବା ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେବେ । ଏହାରି ମଧ୍ୟରେ ତାଙ୍କୁ Z ସୁରକ୍ଷା ମିଳିଛି । ଏବେ ଶୁଭେନ୍ଦୁଙ୍କ ସୁରକ୍ଷାରେ ସିଆରପିଏଫ ଯବାନ ମୁତୟନ ରହିବେ । ନନ୍ଦିଗ୍ରାମର ଭୂମି ଅଧିଗ୍ରହଣ ଆନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ଶୁଭେନ୍ଦୁ । ଏହି ଆନ୍ଦୋଳନ ବଳରେ 2011ରେ କ୍ଷମତାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଟିଏମସିରେ ମତଭେଦ ଯୋଗୁଁ ଗତ ମାସ ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ଶୁଭେନ୍ଦୁ । ଏହା ପରେ ସେ ବିଜେପିରେ ସାମିଲ ହେବେ ବୋଲି ଜୋର ଧରିଥିଲା ଚର୍ଚ୍ଚା । ଏହାରି ମଧ୍ୟରେ ଅଧିକାରୀଙ୍କୁ ମନାଇବାକୁ ଟିଏମସି ପକ୍ଷରୁ ଅନେକ ଥର ପ୍ରୟାସ କରାଯାଇଥିଲା । ହେଲେ ସେତେବେଳକୁ ବିଦ୍ରୋହୀ ଆଭିମୁଖ୍ୟ ଆପଣାଇ ସାରିଥିଲେ ଅଧିକାରୀ ।