ହାଇଦ୍ରାବାଦ: ମଣିଷ ମାତ୍ରକେ ପ୍ରତି ମୂହୂର୍ତ୍ତରେ ରହିଥାଏ କିଛ ନା କିଛି ଆବଶ୍ୟକତା । ଯାହାକୁ ପୂରଣ କରିବା ପାଇଁ କାହିଁ କେଉଁ କାଳରୁ ବ୍ୟବହାର ହୋଇ ଆସୁଛି ପ୍ରାକୃତିକ ସମ୍ପଦ । ତେବେ ଏହି ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଏକପ୍ରକାର ଆମ ପରିବେଶକୁ ନଷ୍ଟ କରିବା ଆରମ୍ଭ କରିଦେଇଛି । ପ୍ରଭାବରେ ସ୍ବଳ୍ପ ବୃଷ୍ଟି ଓ ଅମ୍ଳ ବୃଷ୍ଟି ପରି ସମସ୍ୟା ଦେଖାଦେଉଛି ।
ତେବେ ଜାଳେଣି ବା ଇନ୍ଧନ ପାଇଁ ଚିରାଚରିତ ଭାବେ ବ୍ୟବହାର ହେଉଛି ପ୍ରାକୃତିକ ଗ୍ୟାସ ଓ କୋଇଲା ଆଦି ଖଣି । ଏହା ଆମ ଆବଶ୍ୟକତାକୁ ପୂରଣ ତ କରୁଛି ହେଲେ ଅପରପାର୍ଶ୍ବରେ ପ୍ରକୃତିରେ ସୃଷ୍ଟି କରୁଛି ଅପୂରଣୀୟ କ୍ଷତି । ସାଥିରେ ବଢିବାରେ ଲାଗୁଛି ପାରିପାର୍ଶ୍ବିକ ତାପମାତ୍ରା । ପ୍ରକୃତିରେ ସୃଷ୍ଟି ହେଉଥିବା ଏହି କ୍ଷତିର ପୂରଣ ପାଇଁ ବୈଜ୍ଞାନିକମାନେ ଖୋଜି ବାହାର କରିଛନ୍ତି ଏକ ଏପରି ପ୍ରକ୍ରିୟା ଯେଉଁଥିରେ ସୂର୍ଯ୍ୟକିରଣରୁ ପ୍ରସ୍ତୁତ କରାଯାଇପାରିବ ସ୍ବଚ୍ଛ ଇନ୍ଧନ ।
ଏଏସ୍ୟୁ ବାୟୋଡିଜାଇନ ସେଣ୍ଟରର କିଛି ଗବେଷକଙ୍କ କହିବା ଅନୁଯାୟୀ ବ୍ୟବହାରଯୋଗ୍ୟ ସ୍ବଚ୍ଛ ଓ ଦୀର୍ଘସ୍ଥାୟୀ ଇନ୍ଧନ ପ୍ରସ୍ତୁତ କରିବ ପାଇଁ ନୂଆ ଟେକ୍ନୋଲୋଜିର ବ୍ୟବହାର କରାଯାଇପାରେ । ଏଥିରେ ସୂର୍ଯ୍ୟାଲୋକ ଦ୍ବାରା ପରିଚାଳିତ ଦୁଇଟି ସେମିକଣ୍ଡକ୍ଟର ଓ କାଟାଲିଟିକ ମ୍ୟାଟେରିଆଲକୁ ବ୍ୟବହାର କରି ରାସାୟନିକ ପ୍ରତିକ୍ରିୟା ଘଟାଇ ସ୍ବଚ୍ଛ ଇନ୍ଧନ ପ୍ରସ୍ତୁତ କରାଯାଇପାରିବ ।
ଏହି ପ୍ରକ୍ରିୟାକୁ ନେଇ ଜର୍ଣ୍ଣାଲ ଅଫ୍ ଆମେରିକାନ କେମିକାଲ ସୋସାଇଟି(ଜେଏସିଏସ୍)ରେ ଲେଖକ ବ୍ରାଏନ ୱାଡ୍ସୱୋର୍ଥ, ଆନା ବେଲର, ଡାଏନା ଖୁସନଟଡିନୋଭା, ଏଡଗର ରେୟାସ କ୍ରୁଜ ଓ ଅନୁରୂପି ଲେଖକ ଗ୍ୟାରୀ ମୋର ଏକ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।
ତେବେ ଏକ ନୂତନ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି କି ପରୀକ୍ଷଣରେ ବ୍ୟବହୃତ ପ୍ରାଥମିକ କଣିକା ମଧ୍ୟରେ ହେଉଥିବା ସୂକ୍ଷ୍ମ ପ୍ରତିକ୍ରିୟାରୁ ନିର୍ଗତ ଫଳାଫଳ ଏହି ପ୍ରକ୍ରିୟାକୁ ସରଳତାର ସହ ବୁଝିବା ପାଇଁ ସାହାଯ୍ୟ କରିବ । ଏହାର ଫଳାଫଳ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରି କିପରି ଗୁଣାତ୍ମକ ପରିମାଣରେ ଇନ୍ଧନ ସୃଷ୍ଟି କରି ହେବ ତାହା ଉପରେ ମଧ୍ୟ ଗୁରୁତ୍ବାରୋପ କରେ । ଅନ୍ୟପଟେ ଏହି ପ୍ରକ୍ରିୟାରେ ନିର୍ଗତ ହାଇଡ୍ରୋଜେନ ଓ ସ୍ବଳ୍ପ ପରିମାଣର କାର୍ବନ ଅଂଶ ଭବିଷ୍ୟତରେ ଜୀବାସ୍ମ ଇନ୍ଧନ ପାଇଁ ମୁଖ୍ୟ ସ୍ରୋତ ଯଥା କାର୍ବନ ବିହୀନ ଇନ୍ଧନ, ପ୍ଲାଷ୍ଟିକ ଓ ବିଲ୍ଡିଂ ମ୍ୟାଟେରିଆଲ ଆଦିର ବ୍ୟବହାର ଦିଗରେ ପଥ ପରିଷ୍କାର କରିବ ।
ଜାଣନ୍ତୁ କ’ଣ ଏହି ପ୍ରକ୍ରିୟା :
- ପରିବେଶ ପାଇଁ କାର୍ବନଯୁକ୍ତ ଇନ୍ଧନ କ୍ଷତିକାରକ ହୋଇଥିବା ବେଳେ ଏହି ନୂତନ ପ୍ରକ୍ରିୟା ଦ୍ବାରା ସୂର୍ଯ୍ୟକିରଣ ବ୍ୟବହାରରେ ପ୍ରସ୍ତୁତ ହୋଇପାରିବ କାର୍ବନ ବିହୀନ ଇନ୍ଧନ । ତେବେ ଏହି ପ୍ରକ୍ରିୟାରେ ବ୍ୟବହୃତ ଉପକରଣ ଉଭୟ ପ୍ରାଚୀନ ଓ ପରିମାଣରେ ପ୍ରଚୁର । ସେ ହେଉଛି ସୂର୍ଯ୍ୟାଲୋକ । କାର୍ବନ ବିହୀନ ଇନ୍ଧନ ପ୍ରସ୍ତୁତିରେ ସୂର୍ଯ୍ୟାଲୋକର ଭୂମିକାକୁ ନେଇ ବିଗତ କିଛି ଦିନ ହେବ କରାଯାଇଥିବା ପରୀକ୍ଷଣ ଆଧାରରେ ଏହାର ବ୍ୟବହାରକୁ ସ୍ଥିର କରାଯାଇଥିଲା ।
- ପ୍ରଥମେ ଫୋଟୋଭୋଲାଟାଇକ(ପିଭି) ଡିଭାଇସ ବା ସୋଲାର ସେଲ ଏକତ୍ରିତ ଭାବେ ସୂର୍ଯ୍ୟକିରଣକୁ ଶୋଷି ଥାଆନ୍ତି । ଏହାପରେ ଶୋଷିତ ସୂର୍ଯ୍ୟକିରଣର ଶକ୍ତିକୁ ସିଧାସଳଖ ଇଲେକ୍ଟ୍ରିସିଟିରେ ପରିଣତ କରାଇଥାଏ । ପ୍ରକ୍ରିୟାରେ କମ୍ ଖର୍ଚ୍ଚରେ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନ କୌଶଳ ଫୋଟୋଭୋଲାଟାଇକ୍କୁ ଏକ ଆକର୍ଷଣୀୟ ଶକ୍ତିର ଉତ୍ସ ରୂପେ ବିବେଚିତ କରାଏ । ମୁଖ୍ୟତଃ ସୂର୍ଯ୍ୟକିରଣ ଅଧିକ ପାଉଥିବା ରାଜ୍ୟ ଯଥା ଆରିଜୋନାରେ ଏହି ଡିଭାଇସର ବ୍ୟବହାରରେ ଯେତିକି ଶକ୍ତି ଉତ୍ପାଦନ କରାଯାଇପାରିବ ତାହା ରାଜ୍ୟର ହଜାର ହଜାର ଘରକୁ ଆଲୋକିତ କରିପାରିବ ।
- କିନ୍ତୁ ଫୋଟୋଭୋଲାଟାଇକ୍ର ବ୍ୟବହାରରେ ସୂର୍ଯ୍ୟକିରଣରୁ ଶକ୍ତି ଉତ୍ପନ୍ନ ଯଥେଷ୍ଟ ନୁହେଁ । କାରଣ ନବୀକରଣଯୋଗ୍ୟ ସମ୍ବଳ ଯଥା ସୂର୍ଯ୍ୟକିରଣ ଓ ପବନ ସବୁବେଳେ ଉପଲବ୍ଧ ହେବ ବୋଲି କୌଣସି ଠିକଣା ନଥାଏ । ତେଣୁ ସମୟାନୁକ୍ରମେ ପ୍ରାକୃତିକ ସମ୍ବଳକୁ ଭବିଷ୍ୟତ ପାଇଁ ବ୍ୟବହାର କରାଗଲେ ଏହା ମାନବିକ ଆବଶ୍ୟକତାକୁ ଅନେକଂଶରେ ସମୟ ପୂର୍ବରୁ ପୂରଣ କରିବାରେ ସକ୍ଷମ ହେବ ।
- ଅନ୍ୟ ଶବ୍ଦରେ କହିବାକୁ ଗଲେ ପ୍ରକୃତିର ସାମାନ୍ୟ ସାହାଯ୍ୟ ନେଇ ସୂର୍ଯ୍ୟକିରଣ ସହାୟତାରେ ବୈଜ୍ଞାନିକମାନେ ସ୍ବଚ୍ଛ ଓ କାର୍ବନମୁକ୍ତ ଇନ୍ଧନ ପ୍ରସ୍ତୁତ କରିପାରିଛନ୍ତି । ଅନ୍ୟପଟେ ଏହା ସିଦ୍ଧ କି ଭବିଷ୍ୟତରେ ମଧ୍ୟ ଶକ୍ତି କ୍ଷେତ୍ରରେ ଆବଶ୍ୟକତା ପୂରଣ ପାଇଁ ମଣିଷ ଇନ୍ଧନର ବ୍ୟବହାର କରିବ । ମୁଖ୍ୟତଃ ଯାନବାହନ ଚଳାଚଳ ପାଇଁ ଏହାର ବ୍ୟବହାର ଭବିଷ୍ୟତରେ ମଧ୍ୟ ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ଏପରି ଉଦ୍ଭାବନ କରାଯାଇଛି ଯାହା ଆଗାମୀ ଦିନରେ ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିବା ସହ ବ୍ୟବହାରଯୋଗ୍ୟ କାର୍ବନମୁକ୍ତ ଇନ୍ଧନ ଯୋଗାଇପାରିବ ।
ଜାଣନ୍ତୁ ପ୍ରକ୍ରିୟାରେ ବ୍ୟବହୃତ ସୋଲାର ଫ୍ଲେୟାର କ’ଣ :
- ସୂର୍ଯ୍ୟକିରଣକୁ ଶକ୍ତିରେ ପରିଣତ କରିବା କିଛି ନୂଆ କଥା ନୁହେଁ । କାହିଁ କେଉଁ କାଳରୁ ଉଦ୍ଭିଦମାନେ ଆଲୋକ ସଂଶ୍ଲେଷଣ ମାଧ୍ୟମରେ ସୂର୍ଯ୍ୟକିରଣରୁ ଶକ୍ତି ଉତ୍ପାଦନ କରୁଥିଲେ । ବୈଜ୍ଞାନିକମାନଙ୍କ ଦ୍ବାରା ଉଦ୍ଭାବନ ହୋଇଥିବା ଏହି ପ୍ରକ୍ରିୟାରେ ସୂର୍ଯ୍ୟକିରଣର ବ୍ୟବହାରରେ ସ୍ବତଃ ଭାବେ ଅନେକ ରସାୟନିକ ପ୍ରକ୍ରିୟା ସଙ୍ଗଠିତ ହୋଇଥାଏ । ଯାହା ଖାଦ୍ୟ ସ୍ବରୂପ କାର୍ବନମୁକ୍ତ ସ୍ବଚ୍ଛ ଇନ୍ଧନ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ।
- ବର୍ତ୍ତମାନେ ଏନେଇ କରାଯାଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୁଏ କି ପ୍ରଥମେ ସେମିକଣ୍ଡକ୍ଟର ପୃଷ୍ଠ ଦ୍ବାରା ସୂର୍ଯ୍ୟକିରଣ ଶୋଷଣ ହୋଇଥାଏ । ପରେ ଏହି ସୂର୍ଯ୍ୟକିରଣ କିଛି ରସାୟନିକ ପ୍ରକ୍ରିୟା ସାହାଯ୍ୟରେ ସେମିକଣ୍ଡକ୍ଟର ପ୍ଲେଟରେ ଶକ୍ତି ସଂରକ୍ଷଣ କରିଥାଏ । ସଂରକ୍ଷିତ ଶକ୍ତି ପରବର୍ତ୍ତୀ ଅବସ୍ଥାରେ କାଟାଲିଷ୍ଟ ସ୍ତରକୁ ସ୍ଥାନାନ୍ତରିତ ହୋଇଥାଏ ଏବଂ ପରିଶେଷରେ କେମିକାଲ କାଟାଲିଷ୍ଟ ପ୍ରକ୍ରିୟା ସମାପନ ହୋଇ କାର୍ବନମୁକ୍ତ ସ୍ବଚ୍ଛ ଇନ୍ଧନ ପ୍ରସ୍ତୁତ ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ