ଲକ୍ଷ୍ନୌ:ଦିପାବଳୀକୁ ଆଉ ଅଳ୍ପ ଦିନ ବାକି ରହିଛି । ଗୁରବାର ସଂଧ୍ୟା ଦୀପ ଆଲୋକରେ ଆଲୋକିତ ହେବ ଅଯୋଧ୍ୟା । ଅଯୋଧ୍ୟାରେ ଏଥର ଦୀପାବଳି ଗତ ଦୁଇ ବର୍ଷ ଅପେକ୍ଷା ଅଧିକ ଭବ୍ୟ ରହିବ । ଜନସାଧାରଣଙ୍କ ସହଯୋଗରେ ବୃହତ ଦୀପୋତ୍ସୋବ ପାଳନ ପାଇଁ ଉତ୍ତର ପ୍ରଦେଶ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥର ଦୀପାବଳି ପୋଲିସ ଥାନା ସହ ସରକାରୀ କୋଠାଗୁଡିକରେ ମଧ୍ୟ ଜଳିବ ଦୀପ । ସମଗ୍ର ଅଯୋଧ୍ୟାରେ 5 ଲକ୍ଷ ଦୀପ ଜଳାଯିବ । ଏଥି ମଧ୍ୟରୁ ଦୁଇ ଲକ୍ଷ ଦୀପ କେବଳ ଜନସଧାରଣଙ୍କ ସହଯୋଗରେ ଜଳାଯିବ ।
ଏହି ଦୀପୋତ୍ସବ ଆସନ୍ତା 24ରୁ 26 ତାରିଖ ଯାଏ ଚାଲିବ । ଏ ନେଇ ପୂର୍ବରୁ ମୁଖ୍ୟ ସଚିବ ଆରକେ ତିଓ୍ବାରୀ ଏବଂ ଡିଜିପି ଓପି ସିଂହ ଅଯୋଧ୍ୟା ପହଞ୍ଚି ଦୀପୋତ୍ସବ ସ୍ଥାନର ନିରୀକ୍ଷଣ କରିସାରିଛନ୍ତି । ଏଥର ଦୀପାବଳିର ଆୟୋଜନ ବହୁତ ଭବ୍ୟ ହେବ ବୋଲି ଡିଜିପି କହିଛନ୍ତି । ପ୍ରଥମ ଥର ଥାନାରେ ଦୀପ ଜଳାଯିବାକୁ ଥିବାରୁ ଏହି ଉତ୍ସବ ଅଧିକ ଖାସ ହୋଇଛି ।
ଅଯୋଧ୍ୟା ସବୁବେଳେ ହାଇ ଆର୍ଲଟ ଜୋନ ହୋଇଥିବାରୁ ଦୀପାବଳି ସମୟରେ ସରଯୁ ନଦୀ ସମେତ ସମସ୍ତ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜିତ ରହିବେ । ଅନ୍ୟପକ୍ଷେ ରାମ ଜନ୍ମଭୂମିକୁ ନେଇ ଚାଲିଥିବା ମାମଲାର ଶୁଣାଣି ସରିସାରିଛି । ଖୁବଶୀଘ୍ର ଏହାର ରାୟ ପ୍ରକାଶ ନେଇ ଆଶା କରାଯାଉଥିବା ବେଳେ ଏହା ପୂର୍ବରୁ ଅଯୋଧ୍ୟାରେ ଭବ୍ୟ ଦିପାବଳୀର ଆୟୋଜନ ଜନତାଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି ।