ନୂଆଦିଲ୍ଲୀ: ଫ୍ରାନ୍ସ ସହ ରାଫେଲ ଡିଲକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଶୁଣାଇବେ ରାୟ । ରାଫେଲକୁ ନେଇ ପୁନଃବିଚାର ସହ ରାହୁଲ ଗାନ୍ଧୀଙ୍କ ଅବମାନନା ମାମଲା ଉପରେ ଗୁରୁବାର ଅନ୍ତିମ ରାୟ ପ୍ରକାଶ ପାଇବ ।
ଗତ ବର୍ଷ ଡିସେମ୍ବର 14ରେ 36ଟି ରାଫେଲ ବିମାନକୁ ନେଇ ହୋଇଥିବା ବୁଝାମଣା ବିରୋଧରେ ଏକ ଯାଚିକା ଉପସ୍ଥାପନା କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ସୁପ୍ରିମକୋର୍ଟଙ୍କ କହିବାନୁସାରେ, ଏହି ଡିଲରେ କୌଣସି ସମସ୍ୟା ନାହିଁ, ଏହା ଦେଶର ହିତ ଉଦ୍ଦେଶ୍ୟରେ କରାଯାଉଛି । ସୁ୍ପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଯଶବନ୍ତ ସିହ୍ନା, ଅରୁଣ ସୌରୀ, ପ୍ରଶାନ୍ତ ଭୂଷଣ ଓ ଆପ୍ ନେତା ସଞ୍ଜୟ ସିଂହ ଏକ ପୁନଃବିଚାର ଯାଚିକା ଆବେଦନ କରିଥିଲେ ।
ଏହାସହ ରାଫେଲକୁ ନେଇ ସୁପ୍ରିମକୋର୍ଟକୁ ଅବମାନନା କରିଥିବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ପ୍ରକାଶଥାଉକି, ଗତ ବର୍ଷ ଅପ୍ରିଲ 10ରେ ରାଫେଲକୁ ନେଇ କୋର୍ଟ କିଛି ଦସ୍ତାବିଜ୍ ଉପସ୍ଥାପନା କରିବାକୁ କହିଥିଲେ । ଏହାକୁ ସରକାର ଗୋପନୀୟ ବୋଲି କହିଥିଲେ । କୋର୍ଟଙ୍କ ଏହି ଆଦେଶରେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ କହିଥିଲେ ଯେ, ‘ଚୌକିଦାର ଚୋର ହେ’ ।
ଏହି ମନ୍ତବ୍ୟକୁ ନେଇ ବିଜେପି ନେତ୍ରୀ ମିନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ଏକ ଅବମାନନା କେସ ଦାଖଲ କରିଥିଲେ । ବିବାଦ ବଢିବା ପରେ ଲୋକସଭା ନିର୍ବାଚନ ସମୟରେ ରାହୁଲ କ୍ଷମା ମଧ୍ୟ ମାଗିଥିଲେ । ତେବେ ଗୁରୁବାର ଏହି ମାମଲାକୁ ନେଇ ମଧ୍ୟ ରାୟ ପ୍ରକାଶ କରାଯିବ ।