ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନ ବିଶ୍ବର ସର୍ବବୃହତ ଲିଖିତ ସମ୍ବିଧାନ ଭାବରେ ଜଣାଶୁଣା । ସମ୍ବିଧାନ ଭାରତର ଅଧିବାସୀମାନଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ସ୍ବାଧୀନ ଜୀବନଯାପନ କରିବାର ଅଧିକାର ପ୍ରଦାନ କରିଛି । 1946 ମସିହାରେ ସମ୍ବିଧାନ ପ୍ରଣୟନ ସଭା ଗଠିତ ହୋଇଥିବା ବେଳେ ସମ୍ବିଧାନକୁ ଲେଖିବା ପାଇଁ ମୋଟ 2ବର୍ଷ 11ମାସ 18 ଦିନ ସମୟ ଲାଗିଥିଲା । ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ନେତୃତ୍ବରେ ଅନ୍ୟ ସଭ୍ୟମାନଙ୍କ ଦ୍ବାରା ଏହି ସମ୍ବିଧାନ ପ୍ରଣୟନ କରାଯାଇଥିଲା । ହେଲେ ଏହି ସମ୍ବିଧାନ ପ୍ରଣୟନରେ 15 ଜଣ ମହିଳାଙ୍କର ଅବଦାନ ରହିଥିଲା । ସେମାନଙ୍କ ମଧ୍ୟରୁ ଆଠଜଣଙ୍କର ସମ୍ବିଧାନରେ ସ୍ବାକ୍ଷର ରହିଛି । ଯାହାକୁ ପରବର୍ତ୍ତୀ ପୀଢି ପ୍ରାୟ ଭୁଲି ଯାଇଛି କହିଲେ ଚଳେ । ସେହି ମହିୟସୀ ମହିଳାମାନଙ୍କ ମଧ୍ୟରେ ସୁଚେତା କୃପାଳିନୀ, ଅମ୍ମୁ ସ୍ବାମୀନାଥନ, ସରୋଜିନୀ ନାଇଡୁ, ବିଜୟଲକ୍ଷ୍ମୀ ପଣ୍ଡିତ, ଦୁର୍ଗାବାଇ ଦେଶମୁଖ, ରାଜକୁମାରୀ ଅମ୍ରିତ କୌର, ହଂସ ମେହେଟ୍ଟା, ବେଗମ ଏଜାଜ ରସୁଲ, ମାଳତୀ ଚୌଧୁରୀ, କମଳା ଚୌଧୁରୀ, ଲୀଲା ରାୟ, ଦାକ୍ଷ୍ୟାନୀ ଭେଲାୟୁଦ୍ଧନ, ରେଣୁକା ରାୟ, ଆନ୍ନି ମାସ୍କାରିନି ଓ ପୂର୍ଣ୍ଣିମା ବାନାର୍ଜୀ । ଏହି ମହିଳାମାନଙ୍କର ସମ୍ବିଧାନ ପ୍ରଣୟନରେ ବିଶେଷ ଅବଦାନ ରହିଥିଲା । ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ ....
1) ସୁଚେତା କୃପାଳିନୀ
ସୁଚେତା କୃପାଳିନୀ ହରିଆଣାରେ ଜନ୍ମଲାଭ କରିଥିଲେ । ସେ ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ରହିଥିଲେ । ଭାରତ ଛାଡ ଆନ୍ଦୋଳନରେ ତାଙ୍କର ଅବଦାନ ପାଇଁ ସେ ବିଶେଷ ପରିଚିୟ ହାସଲ କରିଥିଲେ । ସେ 1967 ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
2) ଅମ୍ମୁ ସ୍ବାମୀନାଥନ
ଅମ୍ମୁ ସ୍ବାମୀନାଥନ କେରଳର ପାଲଘାଟ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ 1946 ମସିହାର ସମ୍ବିଧାନ ପ୍ରଣୟନ ସଭାର ଏକ ସଦସ୍ୟ ରୂପେ କାର୍ଯ୍ୟ କରିଥିଲେ । ଏହାପରେ 1952 ମସିହାରେ ଲୋକସଭା ଓ 1954 ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
3) ସରୋଜିନୀ ନାଇଡୁ
ସରୋଜିନୀ ନାଇଡୁ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତର ପ୍ରଥମ ମହିଳା ଭାବେ ଜାତୀୟ କଂଗ୍ରେସର ସଭାପତି ଓ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । କବିତାରେ ଉତ୍କର୍ଷତା ପାଇଁ ସେ ‘ଦି ନାଇଟ ଆଙ୍ଗେଲ ଅଫ ଇଣ୍ଡିଆ’ ଭାବରେ ସର୍ବତ୍ର ପରିଚିତ ।
4) ବିଜୟଲକ୍ଷ୍ମୀ ପଣ୍ଡିତ
ବିଜୟଲକ୍ଷ୍ମୀ ପଣ୍ଡିତ 1900 ମସିହା ଅଗଷ୍ଟ 18 ତାରିଖରେ ଆହ୍ଲାବାଦ(ସଂପ୍ରତି ପ୍ରୟାଗରାଜ)ରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭଉଣୀ ଥିଲେ । 1936 ମସିହାରେ ବ୍ରିଟିଶ ବ୍ୟବସ୍ଥାପିକାକୁ ନିର୍ବାଚିତ ହୋଇଥିଲେ ଓ 1937 ମସିହାରେ ସ୍ବାୟତ୍ତ ଶାସନ ବ୍ୟବସ୍ଥା ତଥା ଜନସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ପ୍ରଥମ ଭାରତୀୟ ମହିଳା ଭାବେ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଥିଲେ ।
5) ଦୁର୍ଗାବାଇ ଦେଶମୁଖ
ଦୁର୍ଗାବାଇ ଦେଶମୁଖ 1909 ମସିହାରେ ରାଜମେହେନ୍ଦ୍ରୀ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ସାଂସଦ ତଥା ଯୋଜନା କମିଶନର ଭାବେ କାର୍ଯ୍ୟ କରିଥିଲେ । ଶିକ୍ଷାର ପ୍ରଚାର ପାଇଁ ତାଙ୍କୁ 1971 ମସିହାରେ ‘ନେହେରୁ ସାକ୍ଷରତା ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କୁ 1975 ମସିହାରେ ଭାରତର ଦ୍ବିତୀୟ ବେସାମରିକ ଆୱାର୍ଡ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା ।
6)ରାଜକୁମାରୀ ଅମ୍ରିତ କୌର
ରାଜକୁମାରୀ ଅମ୍ରିତ କୌର 1889 ମସିହାରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଠାରେ ଜନ୍ମଗ୍ରହଣ କରିଥିଲେ । ଅମ୍ରିତ କୌର ଭାରତର ପ୍ରଥମ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ । ଏହି ପଦରେ ସେ 10 ବର୍ଷ ରହିଥିଲେ । ସେ ଅଖିଳ ଭାରତୀୟ ଆୟୁଃବିଜ୍ଞାନ ସଂସ୍ଥାନ(ଏଆଇଆଇଏମଏସ)ର ପ୍ରତିଷ୍ଠାତା ରହିଥିଲେ ।
7)ହଂସ ମେହେଟ୍ଟା
ହଂସ ମେହେଟ୍ଟା ଏକାଧାରାରେ ଜଣେ ଶିକ୍ଷାବିତ୍, ଲେଖକ ଓ ସାମାଜିକ କର୍ମୀ ଥିଲେ । ସେ ଗୁଜୁରାଟୀ ଭାଷାରେ ଅନେକ ଶିଶୁଧର୍ମୀ ପୁସ୍ତକ ରଚନା କରିଛନ୍ତି । ସେ ଅନେକ ଇଂରାଜୀ ଗଳ୍ପର ଗୁଜୁରାଟୀ ଅନୁବାଦ ମଧ୍ୟ କରିଛନ୍ତି ।
8) ବେଗମ ଏଜାଜ ରସୁଲ
ବେଗମ ଏଜାଜ ରସୁଲ ଏକମାତ୍ର ମୁସଲିମ ମହିଳା ଭାବେ ସମ୍ବିଧାନ ପ୍ରଣୟନରେ ଅବଦାନ ରଖିଥିଲେ । ପରବର୍ତ୍ତୀ ସମୟରେ 1952 ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହା ସହ 1969ରୁ 1990 ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ବିଧାୟକ ରହିଥିଲେ । ସମାଜସେବାରେ ଉତ୍କର୍ଷତା ପାଇଁ ତାଙ୍କୁ 2000 ମସିହାରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।
9) ମାଳତୀ ଚୌଧୁରୀ
ମାଳତୀ ଚୌଧୁରୀ 1904 ମସିହାରେ ପୂର୍ବ ବଙ୍ଗଳା(ବର୍ତ୍ତମାନର ବାଂଲାଦେଶ)ରେ ଜନ୍ମଗ୍ରହଣ କରିଥିଲେ । ସେ ନିଜ ସ୍ବାମୀ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସହ ମିଶି ଉତ୍କଳ ସମାଜବାଦୀ କର୍ମୀ ସଂଘ ଗଠନ କରିଥିଲେ । ପରବର୍ତ୍ତୀ ସମୟରେ ଏହା ସର୍ବଭାରତୀୟ କଂଗ୍ରେସ ସମାଜବାଦୀ ପାର୍ଟିର ପ୍ରାନ୍ତୀୟ ଶାଖାରେ ପରିବର୍ତ୍ତିତ ହୋଇଥିଲା ।
10) କମଳା ଚୌଧୁରୀ
କମଳା ଚୌଧୁରୀ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ । ସେ ଗାନ୍ଧୀଙ୍କ ଦ୍ବାରା ଆହୂତ 1930 ମସିହାର ଆଇନ ଅମାନ୍ୟ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେ 70 ଦଶକରେ ଲୋକସଭାର ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ।
11) ଲୀଲା ରାୟ
ଲୀଲା ରାୟ ଆସାମରେ ଜନ୍ମଗ୍ରହଣ କରିଥିଲେ । ସେ 1921 ମସିହାରେ ବେଥୁନି କଲେଜରୁ ସ୍ନାତକ ହାସଲ କରିଥିଲେ ଓ ପରବର୍ତ୍ତୀ ସମୟରେ ଅଲ ବେଙ୍ଗଲ ୱିମେନ୍ସ ସଫରେଜ କମିଟିର ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ କାର୍ଯ୍ୟକରିଥିଲେ ।
12)ଦାକ୍ଷ୍ୟାନୀ ଭେଲାୟୁଦ୍ଧନ
ଦାକ୍ଷ୍ୟାନୀ ଭେଲାୟୁଦ୍ଧନ 1912 ମସିହାରେ କୋଚିନ ଠାରେ ଜନ୍ମଗ୍ରହଣ କରିଥିଲେ । ସେ 1945 ମସିହାରେ କୋଚିନ ଲେଜିସଲେଟିଭ କାଉନସିଲକୁ ମନୋନୀତ ହୋଇଥିଲେ । ସେ ଭାରତର ଏକମାତ୍ର ଦଳିତ ମହିଳା ଭାବେ 1946 ମସିହାରେ ସମ୍ବିଧାନ ପ୍ରଣୟନ ସଭାକୁ ନିର୍ବାଚିତ ହୋଇଥିଲେ ।
13) ରେଣୁକା ରାୟ
ରେଣୁକା ରାୟ ଜଣେ ସାମାଜିକ କର୍ମୀ ଥିଲେ । ସେ କେନ୍ଦ୍ରୀୟ ବ୍ୟବସ୍ଥାପିକା ସଭାରେ ସଦସ୍ୟତା ସହିତ 1943ରୁ 1946 ପର୍ଯ୍ୟନ୍ତ ପ୍ରୋଭିଜିନାଲ ପାର୍ଲାମେଣ୍ଟର ସଦସ୍ୟ ରହିଥିଲେ । ଏହା ସହିତ 1952ରୁ 1957 ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ବିଧାନସଭାର ରିଲିଫ ଓ ପୁନଃଥଇଥାନ ବିଭାଗର ମନ୍ତ୍ରୀ ରହିଥିଲେ ।
14) ଆନ୍ନି ମାସ୍କାରିନି
ଆନ୍ନି ମାସ୍କାରିନି କେରଳର ଥିରୁଅନନ୍ତପୁରମରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମ ମହିଳା ଭାବରେ ଟ୍ରାଭନକୋର ରାଜ୍ୟ କଂଗ୍ରେସରେ ଯୋଗ ଦେବା ସହ ରାଜ୍ୟ କାର୍ଯ୍ୟକାରିଣୀର ଅଂଶ ବିଶେଷ ହୋଇଥିଲେ । ସେ 1951ର ସାଧାରଣ ନିର୍ବାଚନରେ ଲୋକସଭାକୁ ନିର୍ବାଚିତ ହୋଇ କେରଳର ପ୍ରଥମ ମହିଳା ସାଂସଦ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।
15) ପୂର୍ଣ୍ଣିମା ବାନାର୍ଜୀ
ପୂର୍ଣ୍ଣିମା ବାନାର୍ଜୀ ଭାରତୀୟ ଜାତୀୟ କଂଗ୍ରେସର ଆହ୍ଲାବାଦ କମିଟିର ସମ୍ପାଦକ ରହିଥିଲେ । ସେ ଉତ୍ତରପ୍ରଦେଶର ଅଗ୍ରଣୀ ମହିଳା ଭାବରେ 1930-1940 ମଧ୍ୟରେ ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ।