ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀଙ୍କୁ ଆଉ ଏକ ଝଟକା । ଖାରଜ ହେଲା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ । ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଶନିବାର ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ପୂର୍ବରୁ ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲା । ଏବେ ରାଷ୍ଟ୍ରପତି ତା'ର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି । ବର୍ତ୍ତମାନ ବିନୟ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ପାରିବ । ଦୋଷୀଙ୍କ ରାଜକ୍ଷମା ଆବେଦନ ଖାରଜ ହେବାର ୧୪ ଦିନ ଭିତରେ ଏଭଳି କରିବାକୁ ପଡ଼ିଥାଏ । ଯଦି ଏହି ଯାଚିକା ଖାରଜ ହୋଇଯାଏ ତେବେ ବିନୟ ପାଖରେ ଆଇନ ବିକଳ୍ପ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଯିବ ।
ସୂଚନାଯୋଗ୍ୟ ଯେ, ନିର୍ଭୟା ମାମଲାର 4 ଦୋଷୀ ପବନ, ଅକ୍ଷୟ, ବିନୟ ଓ ମୁକେଶକୁ ଆଜି(ଫେବୃଆରୀ 1)ରେ ଫାଶୀ ଦଣ୍ଡ ଦେବା ପାଇଁ ନିର୍ଦ୍ଧାରିତ କରାଯାଇଥିଲା । କିନ୍ତୁ ବିନୟର ରାଜକ୍ଷମା ରାଷ୍ଟ୍ରପତିଙ୍କ ପାଖରେ ପଡିଥିବାରୁ ଗତକାଲି (ଶୁକ୍ରବାର) ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହି ଫାଶୀଦଣ୍ଡ ଉପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଥିଲେ ।
ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ