ପ୍ରଜ୍ଞାଭିତ୍ତିକ ଅର୍ଥବ୍ୟବସ୍ଥାରେ, ଶିକ୍ଷା କ୍ଷେତ୍ରରେ ବିନିଯୋଗ ଓ ରଣକୌଶଳ ଉପରେ ହିଁ ଯେ କୌଣସି ଦେଶର ଉନ୍ନତି ଅପରିବର୍ତ୍ତନୀୟ ଭାବେ ନିର୍ଭରଶୀଳ । ମୋଟ ନାମଲେଖା ହାର (GER) ହେଉ କିମ୍ବା ବହୁ ପ୍ରତିଶତ ଯୁବା ବର୍ଗର ସାମର୍ଥ୍ୟକୁ ପ୍ରତିପାଦିତ କରିବା ହେଉ କିମ୍ବା ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବେ ଦେଶକୁ ରୂପାନ୍ତରିତ କରିବା ହେଉ, ଡିଗ୍ରୀ ପ୍ରଦାନ ନିମନ୍ତେ ରଣନୀତି ଏବଂ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ବ୍ୟବସ୍ଥାର ପରିବର୍ତ୍ତନଶୀଳତା କ୍ଷେତ୍ରରେ ସୁଯୋଗ ବୃଦ୍ଧିରେ ହିଁ ଏହାର ସମାଧାନ ନିହିତ । ବହୁ ପ୍ରତୀକ୍ଷିତ ଏକ ନୂତନ ଶିକ୍ଷା ନୀତି ମାଧ୍ୟମରେ ଶିକ୍ଷା ପଦ୍ଧତିରେ ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏକ ସୁଦୀର୍ଘ ବିଚାରବିମର୍ଶ ପ୍ରକ୍ରିୟା ପରେ, ଡକ୍ଟର କସ୍ତୁରୀରଙ୍ଗନଙ୍କ ଦିଗ୍ଦର୍ଶନରେ ପରିଚାଳିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ବାରା ଏହି ନୂତନ ନୀତିର ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଛି । ସାଧାରଣ ଲୋକଙ୍କଠାରୁ ମତାମତ ଓ ପ୍ରସ୍ତାବ ଆହ୍ବାନ କରି ଏହାର ଚିଠା ଦଲିଲକୁ ଏକ ସଂପ୍ରସାରିତ ସମୟସୀମା ଯାଏ ଉନ୍ମୁକ୍ତ କରାଯାଇଥିଲା । ପରିଶେଷରେ, ଏହି ନୀତିକୁ କେନ୍ଦ୍ରୀୟ କ୍ୟାବିନେଟ୍ ଅନୁମୋଦନ କରିଛି ଏବଂ ଖୁବ୍ ଶୀଘ୍ର ଏହାକୁ ସଂସଦରେ ଉପସ୍ଥାପନ କରାଯିବ ।
ବିଳମ୍ବିତ କିନ୍ତୁ ଅସ୍ବୀକୃତ ନୁହେଁ:
ବହୁ ବିଶାଳ ଲକ୍ଷ୍ୟହାସଲର ଅଭିଳାଷୀ ଏକ ଦେଶରେ ଏକ ନୂତନ ଶିକ୍ଷା ନୀତିକୁ ଚୂଡ଼ାନ୍ତ ରୂପରେଖ ଦେବା ଲାଗି ପ୍ରାୟ ତିନି ଦଶନ୍ଧି ସମୟ ଆବଶ୍ୟକ ହୋଇଥିବା କଥାକୁ ବିଶ୍ବାସ କରିବା କଷ୍ଟକର । ଏହି ସମୟ ମଧ୍ୟରେ ସାରା ବିଶ୍ବର ଅନେକ କ୍ଷେତ୍ରରେ ବହୁ ପରିବର୍ତ୍ତନ ହୋଇଯାଇଛି । କମ୍ପ୍ୟୁଟର ଚାଳିତ ଜ୍ଞାନକୌଶଳ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଛି, ଶକ୍ତିଶାଳୀ ଯୋଗାଯୋଗ ପଦ୍ଧତି ସ୍ଥାପିତ ହୋଇଛି ଏବଂ ଦୁଇଟି ସ୍ଥାନ ମଧ୍ୟରେ ଯାତ୍ରା କରିବା ସୁଗମ ହୋଇଛି । ଯୁବ ବର୍ଗର ଦୃଷ୍ଟିକୋଣରେ ଅପରିହାର୍ଯ୍ୟ ପରିବର୍ତ୍ତନ ପରିଲକ୍ଷିତ ହେବା ବିଷୟକୁ ସରକାର ଗୁରୁତ୍ବର ସହିତ ବିଶ୍ଲେଷଣ କରିଛନ୍ତି । ଅତି କମରେ ବର୍ତ୍ତମାନ ପାଇଁ ହେଲେ ବି ଆଜିକାଲିକା ପିଢ଼ିର ସ୍ବପ୍ନ ପୂରଣ ଦିଗରେ ଏହି କମିଟି ନୂତନ ଶିକ୍ଷା ନୀତି ପ୍ରଣୟନ ସମୟରେ ବିଶେଷ ଧ୍ୟାନ ପ୍ରଦାନ କରିଛନ୍ତି । ଉତ୍ତମ ଶିକ୍ଷାଲାଭ ନିମନ୍ତେ ଭାରତୀୟ ଯୁବକଯୁବତୀମାନେ ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଯିବାର ଧାରାକୁ ପ୍ରତିହତ କରିବା ଲାଗି ଏହି ନୂତନ ଶିକ୍ଷା ନୀତିରେ ଲକ୍ଷ୍ୟ ରଖାଯାଇଛି ।
ଶିକ୍ଷାର ମାଧ୍ୟମ ରୂପେ ମାତୃଭାଷା ଉପରେ ଗୁରୁତ୍ବାରୋପ :
ଏହି ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବା ସହିତ ସ୍କୁଲ/କଲେଜ/ବିଶ୍ବବିଦ୍ୟାଳୟ ସ୍ତରରେ ଅନେକ ପ୍ରୟୋଜନୀୟ ପରିବର୍ତ୍ତନ କରାଯିବ । ଏହି ପରିବର୍ତ୍ତନରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ସ୍କୁଲ୍ ସ୍ତରରେ ଅତି କମ୍ରେ 5ମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଯେତେଦୂର ସମ୍ଭବ ଆହୁରି ଉଚ୍ଚ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ ଲାଗି ସରକାର ପ୍ରସ୍ତାବ ଦେଇଛନ୍ତି । ତେଲୁଗୁଭାଷୀ ରାଜ୍ୟଗୁଡ଼ିକରେ ଲୋକପ୍ରିୟ ମାଧ୍ୟମିକ ଶିକ୍ଷା ଏଣିକି ବିଦ୍ୟାଳୟ ଶିକ୍ଷାର ଏକ ଅଂଶ ପାଲଟିଯିବ । ସଂପ୍ରତି କେନ୍ଦ୍ରୀୟ ଶିକ୍ଷା ପଦ୍ଧତିରେ ଏବଂ ଅନ୍ୟ କେତେକ ରାଜ୍ୟରେ ଏହି ବ୍ୟବସ୍ଥା ପ୍ରଚଳିତ । ନିଜସ୍ବ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥାକୁ ବିକଶିତ କରାଇବା ଦ୍ବାରା ଅନେକ କ୍ଷୁଦ୍ର ଦେଶ ବେଶ ଲାଭବାନ ହୋଇଛନ୍ତି । ଏ କ୍ଷେତ୍ରରେ ଜାପାନ, ଜର୍ମାନୀ, ଫ୍ରାନ୍ସ, କୋରିଆ, ଚୀନ ପ୍ରଭୃତି ଦେଶ ସର୍ବୋତ୍ତମ ଉଦାହରଣ ସାବ୍ୟସ୍ତ ହୋଇପାରନ୍ତି । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏସବୁ ଦେଶର ଗବେଷଣାଭିତ୍ତିକ ଯୋଗଦାନ ଅନ୍ୟ ଅନେକ ଦେଶ ତୁଳନାରେ ଖୁବ୍ ଆଗରେ ରହିଛି । ଏଭଳି ଅନୁଭୂତିରୁ ଆମେ ଶିକ୍ଷାଲାଭ କରିବା ଗୁରୁତ୍ବପୂର୍ଣ୍ଣ ।
ଉଚ୍ଚଶିକ୍ଷା ନିମନ୍ତେ ଉପଯୋଗୀ ଗୁଣାତ୍ମକ ପରିବର୍ତ୍ତନ ପ୍ରସ୍ତାବକୁ ସ୍ବୀକୃତି:
ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି କମିଟି ଦ୍ବାରା ପ୍ରସ୍ତାବିତ ଏବଂ କ୍ୟାବିନେଟ ଦ୍ବାରା ଅନୁମୋଦିତ ବ୍ୟାପକ ପରିବର୍ତ୍ତନଯୋଗୁଁ ଶିକ୍ଷାର୍ଥୀମାନେ ବହୁଗୁଣରେ ଲାଭବାନ ହେବା ସହିତ ଶିକ୍ଷାଲାଭ କରୁଥିବା ବିଷୟ ପରିବର୍ତ୍ତନ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ପାଇବେ । ପ୍ରାକ୍-ସ୍ନାତକ ଶିକ୍ଷା କାର୍ଯ୍ୟକ୍ରମର ଅବଧି ତିନି କିମ୍ବା ଚାରି ବର୍ଷ ଏବଂ ସ୍ନାତକୋତ୍ତର ଶିକ୍ଷା କାର୍ଯ୍ୟକ୍ରମର ଅବଧି ବର୍ଷେ କିମ୍ବା ଦୁଇ ବର୍ଷ ରହିବ ! ଚାରି ବର୍ଷିଆ ସ୍ନାତକ ଡିଗ୍ରୀ ହାସଲ ପରେ ଆଗ୍ରହୀ ଏବଂ ଉତ୍ସାହୀ ଛାତ୍ରଛାତ୍ରୀମାନେ ସିଧାସଳଖ ଗବେଷଣାରେ ଡିଗ୍ରୀ ହାସଲର ସୁଯୋଗ ଲାଭ ସହିତ ପିଏଚ୍ଡି କରିପାରିବେ । ସେହି ଏକା ସମୟରେ, ଚାରି ବର୍ଷିଆ ଡିଗ୍ରୀ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ହାତକୁ ନେଇଥିବା ନିଜ ନିଜର ପ୍ରକଳ୍ପ ବିଷୟରେ ଏକ ରିପୋର୍ଟ ଲେଖିବାର ଦକ୍ଷତା ହାସଲ କରିବା ଦିଗରେ ଏହି କାର୍ଯ୍ୟକ୍ରମରେ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଇଛି । ସଂପ୍ରତି ପ୍ରଚଳିତ ଶିକ୍ଷା ନୀତି ତୁଳନାରେ ଏହି ନୀତିରେ ପ୍ରସ୍ତାବିତ ଏକ ଗୁରୁତ୍ବପୂର୍ଣ୍ଣ ବ୍ୟତିକ୍ରମ ହେଲା ଯେ ଏଥିରେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାପକ ବିଷୟକୁ ଉନ୍ମୁକ୍ତ କରାଯାଇଛି । ତାହା ବି କେବଳ ସେମାନେ ପଢୁଥିବା ଅନୁଷ୍ଠାନରେ ନୁହେଁ, ବରଂ ଅନ୍ୟ ଶିକ୍ଷାନୁଷ୍ଠାନରେ ବି ଉପଲବ୍ଧ ବିଷୟ ଅଧ୍ୟୟନ କିମ୍ବା ଅତି କମ୍ରେ ଆଂଶିକ ଭାବରେ ଅଧ୍ୟୟନ ଲାଗି ସେମାନଙ୍କୁ ସୁଯୋଗ ମିଳିବ । ଯାହା କି ଆଜି ଯାଏ ଯୁବବର୍ଗ ପାଇଁ ଏକ ସ୍ବପ୍ନ ହୋଇ ରହିଥିଲା । ଏହି ନୀତିରେ ସନ୍ନିହିତ ଅବ୍ୟାହତ ପରିବର୍ତ୍ତନଶୀଳତା କାରଣରୁ କୌଣସି ପାଠ୍ୟକ୍ରମର ଏକ ଅଂଶ ବା ସାମଗ୍ରିକ ଭାବେ ପାଠ୍ୟକ୍ରମକୁ ଅନ୍ଲାଇନ୍ରେ ସଂପୂର୍ଣ୍ଣ କରାଯାଇପାରିବ ।
ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା କେନ୍ଦ୍ର ଗଠନ ଏବଂ ପ୍ରତିପୋଷଣ:
କୌଣସି ବିଶ୍ବବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇ ନଥିବା ସ୍ବୟଂଶାସିତ କଲେଜଗୁଡ଼ିକୁ ପ୍ରୋତ୍ସାହିତ କରିବା ସହିତ ଦେଶରେ ସକ୍ଷମ ଓ ଶକ୍ତିଶାଳୀ ଶିକ୍ଷା କେନ୍ଦ୍ର ସ୍ଥାପନ ନିମନ୍ତେ ସରକାରଙ୍କ ଉଦ୍ଦେଶ୍ୟ ଏହି ନୂତନ ଶିକ୍ଷା ନୀତିରେ ସାର୍ବଜନୀନ ଭାବେ ପ୍ରକାଶିତ ହୋଇଛି । ସ୍ବୟଂଶାସିତ ମାନ୍ୟତା ହାସଲ ଲାଗି କୌଣସି ଶିକ୍ଷାନୁଷ୍ଠାନ ଆକ୍ରେଡିଟେସନ୍ ବା ସ୍ବୀକୃତି କ୍ଷେତ୍ରରେ ଅଧିକ ଅଙ୍କ ହାସଲ କରିଥିବା ଉଚିତ । କେବଳ ଉତ୍ତମ ଯୋଗ୍ୟତାସଂପନ୍ନ ଶିକ୍ଷାଦାନ, ଉନ୍ନତ ଭିତ୍ତିଭୂମି ଏବଂ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣରେ ସୁସ୍ଥ ବ୍ୟବସ୍ଥା ପ୍ରଚଳିତ ହୋଇଥିଲେ ହିଁ କୌଣସି ଶିକ୍ଷାନୁଷ୍ଠାନ ଉତ୍ତମ ସ୍ବୀକୃତି ଅଙ୍କ ହାସଲ କରିପାରିବ । ଗତ ପାଞ୍ଚ ବର୍ଷ ଭିତରେ ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ସବୁ ଗୁଣମାନ ଭିତ୍ତିରେ ଶିକ୍ଷାଦାନ ବ୍ୟବସ୍ଥା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ସ୍ବୟଂଶାସନ ମାନ୍ୟତାର ସ୍ତର ବୃଦ୍ଧି ପାଇବା ସହିତ ସେମାନେ ସଶକ୍ତ ହୋଇଛନ୍ତି । ପୂର୍ବରୁ ‘ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଏମିନେନ୍ସ’ (IoE) ଯୋଜନାରେ ଏହି ସଶକ୍ତୀକରଣ ଦିଗରେ ଏକ ବୃହତ୍ ପଦକ୍ଷେପ ନିଆଯାଇଛି । ନାଳନ୍ଦା ଓ ତକ୍ଷଶିଳା କାଳରେ ରହିଥିବା ଭାରତୀୟ ସୁଖ୍ୟାତିକୁ ପୁନର୍ବାର ହାସଲ କରିବା ଲାଗି ଏହି ଯୋଜନା ଅନ୍ତର୍ଭୁକ୍ତ ଶିକ୍ଷାନୁଷ୍ଠାନ (IoE)କୁ କେତେକ କ୍ଷେତ୍ରରେ ବିଶ୍ବର ସର୍ବୋତ୍ତମ
ଶିକ୍ଷାନୁଷ୍ଠାନ ସହିତ ସମକକ୍ଷ ହେବା ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଏ ।
କୋଭିଡ୍ 19 ସଂକଟକୁ ଏକ ସୁଯୋଗରେ ପରିବର୍ତ୍ତନ କରିବାର ଲକ୍ଷ୍ୟ:
ନୂତନ ଶିକ୍ଷା ନୀତିରୁ ଉଦ୍ଧୃତ ପ୍ରୋତ୍ସାହନ ବଳରେ କୋଭିଡ୍ 19 ବିଶ୍ବବ୍ୟାପୀ ମହାମାରୀ ଜନିତ ସଂକଟକୁ ସରକାର ଏକ ସୁଯୋଗ ରୂପେ ଗ୍ରହଣ କରିବା ଉଚିତ । ସାରା ବିଶ୍ବରେ ଅନେକ ଶିକ୍ଷା ବ୍ୟବସ୍ଥାକୁ କୋଭିଡ 19 ପଙ୍ଗୁ କରିଦେଇଛି ଏବଂ ଗୋଟିଏ ଶିକ୍ଷାବର୍ଷ ନଷ୍ଟ ହୋଇଯିବାର ଆଶଙ୍କା ଉପୁଜିଛି । ବିଶ୍ବର ଯେ କୌଣସି ସ୍ଥାନରୁ ସ୍ବୀକୃତି ଓ ଆଦୃତି ହାସଲ ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ ଅବ୍ୟାହତ ରଖିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜ ନିଜର ତଥ୍ୟପ୍ରଦାନ ଓ ଯୋଗାଯୋଗ ଜ୍ଞାନକୌଶଳକୁ ବିକଶିତ କରାଇବା ଆବଶ୍ୟକ ହୋଇପଡ଼ିଛି । ଭିତ୍ତିଭୂମିର ଏଭଳି ବିକାଶ ସହିତ 2035 ମସିହା ସୁଦ୍ଧା ମୋଟ ନାମଲେଖା ହାର (GER)ରେ 50% ଅଭିବୃଦ୍ଧି ହାସଲ ପାଇଁ ରଖାଯାଇଥିବା ଲକ୍ଷ୍ୟ ହୁଏତ ଧାର୍ଯ୍ୟ ସମୟସୀମା ପୂର୍ବରୁ ହାସଲ କରାଯାଇପାରେ ! ଏଥିପାଇଁ ଅନ୍ଲାଇନ୍ ଶିକ୍ଷା ନିମନ୍ତେ ବିସ୍ତୃତ ବିଷୟବସ୍ତୁର ବିକାଶ ଦିଗରେ
ଲକ୍ଷ ଲକ୍ଷ ଶିକ୍ଷକଙ୍କୁ ପ୍ରଶିକ୍ଷିତ କରାଇବା ଆବଶ୍ୟକ । ସମୟ ଅନୁପଯୋଗୀ ନହେବା ସହିତ ଶିକ୍ଷାରେ ନୂତନ ଦିଗକୁ ଆପଣେଇ ନେବା ଲାଗି ଏବଂ ଦୂରବର୍ତ୍ତୀ ଶିକ୍ଷକ ରୂପରେ ନିଜକୁ ସ୍ଥାପିତ କରିବା ପାଇଁ ଶିକ୍ଷକମାନେ ବିଷୟବସ୍ତୁ ଓ ଶିକ୍ଷାଦାନରେ କୌଣସି ପ୍ରକାର ସାଲିସ କରିବା ଉଚିତ ନୁହେଁ । ଏକ ମହତ୍ ଉଦ୍ଦେଶ୍ୟରେ ଭାରତ ସରକାର ପ୍ରଣୟନ କରିଥିବା ନୂତନ ଶିକ୍ଷା ନୀତି ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଘନିଷ୍ଠ ଭାବରେ କାମ କରି ଏହାକୁ କାର୍ଯ୍ୟକାରୀ କରାଇବାର ମହତ୍ ଉଦ୍ଦେଶ୍ୟ ବେଶ୍ ପ୍ରଶଂସାଯୋଗ୍ୟ । ନୂତନ ଶିକ୍ଷା ନୀତିକୁ ଏକ ଯୁଗାନ୍ତକାରୀ ନୀତିରେ ପରିଣତ କରାଇବା ଦିଗରେ ଏହାକୁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଭାବରେ ବିଚାର କରିବା ଆବଶ୍ୟକ । ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବାର ପ୍ରଥମ 10 ବର୍ଷ ମଧ୍ୟରେ ଏହାର ସୁଫଳ ହାସଲ ହେବ ବୋଲି ଆଶାବାଦୀ ହୋଇ ଆମେ ଭବିଷ୍ୟତ ଉପରେ ଦୃଷ୍ଟିନିବଦ୍ଧ କରିପାରିବା ।
ପ୍ରଫେସର ଆପ୍ପା ରାଓ ପୋଦିଲେ, କୁଳପତି ଏବଂ ଜେ.ସି.ବୋଷ ଫେଲୋ
ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ, ହାଇଦ୍ରାବାଦ