ହାଇଦ୍ରାବାଦ: ଭାରତ-ଆମେରିକା ମଧ୍ୟର ସମ୍ପର୍କ ଦୀର୍ଘ ସମୟ ଧରି ଉତ୍ଥାନ-ପତନ ଦେଇ ଗତି କରିଛି । 1950ରେ ଭାରତକୁ ବିରୋଧ କରିବାଠାରୁ ଆରମ୍ଭ କରି 2005ରେ ଭାରତର ସମର୍ଥକ ହେବା ପର୍ଯ୍ୟନ୍ତ ଭାରତ-ଆମେରିକା ମଧ୍ୟରେ ଏକ ଅପରିହାର୍ଯ୍ୟ ସହଭାଗିତା ରହିଛି । ଉଭୟ ଦେଶର ଶୀର୍ଷ ନେତା ଏହି ଭାରତ-ଆମେରିକାର ଏହି ସମ୍ବନ୍ଧକୁ ପ୍ରାକୃତିକ ବୋଲି କହିଛନ୍ତି । କାରଣ ଭଭୟ ରାଷ୍ଟ୍ର ବିଶ୍ବର ବୃହତ ଗଣତନ୍ତ୍ର ରାଷ୍ଟ୍ର ରୂପରେ ପରିଚିତ । ସମୟ ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏହି ସମ୍ପର୍କରେ ସୁଧାର ଆଣିଛି ।
ସଫ୍ଟୱେର, ଅନୁସନ୍ଧାନ ଏବଂ ଅନ୍ତରାଷ୍ଟ୍ରୀୟ ସହଯୋଗ କ୍ଷେତ୍ରରେ ଆମେରିକାରେ ଭାରତର ଯୋଗଦାନ ଗୁରୁତ୍ବପୂର୍ଣ୍ଣ ରହିଛି । ଏହାର ପ୍ରତିବଦଳରେ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା, ପରମାଣୁ ସହଯୋଗ ଏବଂ ଆତଙ୍କବାଦ ବିରୋଧୀ ଲଢେଇକୁ ନେଇ ଭାରତର ସମର୍ଥନ କରିଛି ଆମେରିକା ।
1998 ମସିହାରେ ଭାରତ ନିଜର ଦ୍ବିତୀୟ ପରମାଣୁ ପରୀକ୍ଷଣ କରିଥିଲା । ଯାହାର ପୃଷ୍ଠଭୂମିକୁ ନେଇ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ୱିଲ କ୍ଲିଣ୍ଟନ 2000 ମସିହାରେ ଭାରତ ଗସ୍ତରେ ଆସିଥିଲେ । ପରମାଣୁ ପରୀକ୍ଷଣକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ମଧ୍ୟ ଦେଖାଦେଇଥିଲା । ବ୍ୟାପକ ପରମାଣୁ ପରୀକ୍ଷଣ କଟକଣା ସନ୍ଧି ଉପରେ ହସ୍ତାକ୍ଷର କରିବା ପାଇଁ ଭାରତ ଉପରେ ଚାପ ପକାଇଥିଲେ କ୍ଲିନଟନ ପ୍ରଶାସନ । କିନ୍ତୁ ସେଥିରେ ସେ ସଫଳ ହୋଇପାରିନଥିଲେ । ତାଙ୍କର ଏହି ଯାତ୍ରା ସମୟରେ ଇଣ୍ଡୋ-ୟୁଏସ ସାଇନ୍ସ ଆଣ୍ଟ ଟେକନୋଲୋଜୀ ଫୋରମର ସ୍ଥାପନା କରାଯାଇଥିଲା । ସେପଟେ ଭାରତର ଅର୍ଥବ୍ୟବସ୍ଥା ଯେତେବେଳେ ସୁଧୁରିବାକୁ ଲାଗିଲା ଶୀତଳ ଯୁଦ୍ଧରେ ପାକିସ୍ତାନର ସାଥୀ ଥିବା ଆମେରିକା ଭାରତ ଆଡକୁ ଢଳିବାକୁ ଲାଗିଲା ।
ଏହାପରେ 2006 ମସିହାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ ଭାରତ ଗସ୍ତରେ ଆସିଥିଲେ । ଏହି ଯାତ୍ରା ସମୟରେ ବୁଶ ଏବଂ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସିଭିଲ ନ୍ୟୁକ୍ଲିୟ ଡିଲଡ ଢାଞ୍ଚାକୁ ଅନ୍ତିମ ରୂପରେଖ ଦେଇ ସୁରକ୍ଷା ଓ ଆର୍ଥିକ ସମ୍ବନ୍ଧ ବୃଦ୍ଧିକୁ ପ୍ରୋତ୍ସାହନ ଦେଇଥିଲେ । ଜୁଲାଇ 2007ରେ ଏହି ପରମାଣୁ ଚୁକ୍ତି ପୂରଣ ହୋଇଥିଲା ।
2007ରେ ଭାରତ ଆମେରିକା ମଧ୍ୟରେ ମେଙ୍ଗୋସ ଫର ମୋଟରସାଇକଲ ଚୁକ୍ତି ସ୍ବାକ୍ଷର ହୋଇଥିଲା । ଯାହା ଉଭୟ ଦେଶର ବାଣିଜ୍ୟିକ ସମ୍ବନ୍ଧକୁ ମଜବୁତ କରିଥିଲା । 2006ରେ ଭାରତ ଆମେରିକା ମଧ୍ୟରେ 45 ବିଲିୟନ ଡଲାର ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷର ହେଲା । ଧୀରେ ଧୀରେ ଏହା ବୃଦ୍ଧି ଘଟି 2010ରେ 70 ବିଲିୟନ ଡଲାରରେ ପହଞ୍ଚିଥିଲା ।
2010ରେ ଭାରତର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳ ଆମେରିକା ଯାଇଥିଲେ । ଏହି ସମୟରେ ଉଭୟ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ ରଣନୈତିକ ବୈଠକ ହୋଇଥିଲା । ଏହି ସମୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ହିଲେରୀ କ୍ଲିନଟନ ଭାରତକୁ ଭଲ ବନ୍ଧୁ ବୋଲି କହିଥିଲେ । ନଭେମ୍ବର 2010ରେ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ଭାରତ ଗସ୍ତରେ ଆସିଥିଲେ ଏବଂ ଜାତିସଙ୍ଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଥିଲେ । ଓବାମାଙ୍କ ଏହି ଯାତ୍ରାରେ ଆମେରିକା ଭାରତ ସହ 14.9 ବିଲିୟନ ଡଲାର ବାଣିଜ୍ୟିକ ଚୁକ୍ତି ପାଇଁ ଘୋଷଣା କରିଥିଲା । ଏହାପରେ 2015ରେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ପୁଣିଥରେ ଭାରତ ଆସିଥିଲେ ଓବାମା । ଏହି ସମୟରେ ଭାରତ ଏବଂ ଆମେରିକାର ସମ୍ପର୍କ ଆହୁରି ସୁଦୃଢ ହୋଇଥିଲା ।
2016 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯାତ୍ରା କରିଥିଲେ । ଏହି ସମୟରେ ଆମେରିକା ଭାରତକୁ ଏକ ପ୍ରମୁଖ ପ୍ରତିରକ୍ଷା ସହଭାଗିତା ରୂପରେ ଉପସ୍ଥାପିତ କରିଥିଲା । ଏହି ସମ୍ମାନ ଅନ୍ୟ କୌଣସି ଦେଶକୁ ମିଳିପାରିନାହିଁ । ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଗସ୍ତରେ ଭାରତ ଆମେରିକାର ସମ୍ପର୍କକୁ ନୂଆ ଉର୍ଜା ମିଳିବାର ଆଶା ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ