ନୂଆଦିଲ୍ଲୀ: ଦେଶର ଇତିହାସରେ ଆଜିର ଦିନ ବେଶ ମହତ୍ବପୂର୍ଣ୍ଣ ଦିନ ଭାବରେ ଲିପିବଦ୍ଧ ହୋଇ ରହିବ । ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିର ଦିନ ବେଶ ଐତିହାସିକ ଓ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶିଳାନ୍ୟାସ ପରେ ନିଜ ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶରେ ଏବେ ଭାରତୀୟତାର ବିଚାର ସହିତ ନୂଆ ସଂସଦ ଭବନ ନିର୍ମାଣ ହେବାକୁ ଯାଉଛି । ଆମେ ଦେଶବାସୀ ମିଳିମିଶି ସଂସଦ ଭବନର ନିର୍ମାଣ କରିବୁ । ଯେବେ ଭାରତ ନିଜ ସ୍ବାଧୀନତାର 75 ପୂର୍ତ୍ତି ଅବସରରେ ଉତ୍ସବ ପାଳନ କରିବ, ସେତେବେଳେ ଏହି ସଂସଦ ଭବନ ଏହାର ପ୍ରେରଣା ହେବ । ପିଏମ ମୋଦି କହିଛନ୍ତି ଯଦି ଆମେ ନିଜ ଗଣତନ୍ତ୍ରର ଗୁଣଗାନ କରିବୁ ତାହେଲେ ସେଦିନ ଆଉ ଦୂର ନାହିଁ ଯେବେ ବିଶ୍ବ କହିବ ' ଭାରତ ଗଣତନ୍ତ୍ରର ଜନନୀ' ।
ପିଏମ ମୋଦି କହିଛନ୍ତି, ଆମେ ଭାରତବାସୀ ସଂକଳ୍ପ ନେବା ଉଚିତ ଯେ ଆମ ପାଇଁ ଦେଶର ଚିନ୍ତା ନିଜ ଚିନ୍ତା ହେବା ଦରକାର । ଦେଶର ସମ୍ବିଧାନ ଆମ ପାଇଁ ସର୍ବଶ୍ରେଷ୍ଠ ହେବ । ଦେଶର ଅଖଣ୍ଡତା ସର୍ବୋପରି ହେବ । ତେବେ ସମସ୍ତେ 2047 ପାଇଁ ସଂକଳ୍ପ ନେବାକୁ ଅପିଲ କରିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି ସେହି କ୍ଷଣ କେବେ ବି ଭୁଲିହେବ ନାହିଁ, ଯେବେ ପ୍ରଥମ ଥର 2014ରେ ମୁଁ ସଂସଦଭବନ ଆସିଥିଲି । ସେତେବେଳେ ଏହାକୁ ମୁଁ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲି । ବର୍ତ୍ତମାନର ସଂସଦ ଭବନ ସ୍ବାଧୀନତାର ଆନ୍ଦୋଳନ, ସ୍ବତନ୍ତ୍ର ଭାରତ, ସ୍ବାଧୀନ ଭାରତର ପ୍ରଥମ ସରକାର ଓ ସମ୍ବିଧାନର ରଚନା କରିଛି ବୋଲି କହିଛନ୍ତି ମୋଦି ।