ଡେରାଡୁନ: ଉତ୍ତରାଖଣ୍ଡର କାର୍ବେଟ ଉଦ୍ୟାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ବେଶ ଚର୍ଚ୍ଚାକୁ ଆସିଛି ଏହି ପାର୍କ । ଏହା ସହିତ ଉକ୍ତ ଉଦ୍ୟାନ ଏବଂ ଏହା ସଲଗ୍ନ ଗ୍ରାମ ଗୁଡ଼ିକରେ ଥିବା ଯଥେଷ୍ଟ ସମସ୍ୟା ମଧ୍ୟ ସାମ୍ନାକୁ ଆସିଛି । ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ସାହାଯ୍ୟର ହାତ ବଢାଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ ଉତ୍ତରାଖଣ୍ଡର କାର୍ବେଟ ବ୍ୟାଘ୍ର ପ୍ରକଳ୍ପ ନିକଟରେ ଥିବା ଗ୍ରାମ ଗୁଡିକର ଉନ୍ନତି ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହା ଫଳରେ କାର୍ବେଟ ଏବଂ ରାଜାଜୀ ଟାଇଗର ରିଜର୍ଭ ନିକଟରେ ଥିବା ପ୍ରାୟ 35ଟି ଗ୍ରାମର ଉନ୍ନତି ହେବାର ସମ୍ଭାବନା ଦେଖାଦେଇଛି । ଏହି ଗ୍ରାମଗୁଡ଼ିକ ସଶକ୍ତିକରଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ସହାୟତା କରୁଥିବା ଜଣାପଡ଼ିଛି ।
ତେବେ ଏହି ଉଦ୍ୟାନରେ ଦୀର୍ଘ ସମୟ ଧରି ପଶୁ-ମଣିଷ ଲଢେଇର ମାମଲା ସାମ୍ନାକୁ ଆସିଥାଏ । ଏହି ଲଢେଇରେ ଅନେକ ମୂଲ୍ୟବାନ ଜୀବନ ଯାଇଥିବା ବେଳେ ପଶୁମାନଙ୍କ ମଧ୍ୟ ମୃତ୍ୟୁ ହୋଇଛି । କେବଳ ଜୀବନହାନୀ ହୋଇନାହିଁ, ଉଦ୍ୟାନରୁ ଜୀବଜନ୍ତୁମାନେ ବାରମ୍ବାର ବାହାରକୁ ଆସୁଥିବାରୁ ଗ୍ରାମବାସୀଙ୍କ ଫସଲ ମଧ୍ୟ ନଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ତେବେ ଏହି ଘଟଣା ଏବେ ବେଶ ଚିନ୍ତାଜନକ ବିଷୟ ପାଲଟିଛି । ବିଶେଷ କରି ଏହି କାର୍ବେଟ ଜାତୀୟ ଉଦ୍ୟାନକୁ ଲାଗି ରହିଥିବା ଗ୍ରାମରେ ଏହି ସମମ୍ୟା ଗୁରୁତର ଭାବେ ମୁଣ୍ଡ ଟେକିଛି । ଯାହାକୁ ନେଇ ଏବେ ସମସ୍ତେ ଚିନ୍ତିତ ।
ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । କାର୍ବେଟ ଏବଂ ରାଜାଜୀ ଉଦ୍ୟାନ ନିକଟରେ ଥିବା 35ଟି ଗ୍ରାମକୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହା ମାଧ୍ୟମରେ କେନ୍ଦ୍ର ସରକାର ପ୍ରତିଟି ଗ୍ରାମକୁ ଏହି ଅର୍ଥ ପ୍ରଦାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟରେ ସହାୟତା ମଧ୍ୟ କରିବେ ବୋଲି ଜଣାପଡ଼ିଛି ।
କାର୍ବେଟ ଜାତୀୟ ଉଦ୍ୟାନକୁ ଲାଗିଥିବା 25 ଟି ଗ୍ରାମ ଏବଂ ରାଜାଜୀ ବ୍ୟାଘ୍ର ପ୍ରକଳ୍ପକୁ ଲାଗିଥିବା 10ଟି ଗ୍ରାମକୁ ଏହି ସହାୟତା ମିଳିବ । ତେବେ ଏହି ଉନ୍ନତି ଦିଗରେ ସ୍ଥାନୀୟ ବାସିନ୍ଦା ଏବଂ ପ୍ରଶାସନର ସହାୟତା ନେବେ ସରକାର ।