ଦୁଇ ବର୍ଷ ତଳେ ସୁପ୍ରିମ କୋର୍ଟ କହିଥିଲେ ଯେ, ରାଜନୀତିରେ ଅପରାଧୀକରଣ ହେଉଛି ଗଣତନ୍ତ୍ର ପାଇଁ ସବୁଠାରୁ ବିପଜ୍ଜନକ ବିଷୟ। 2014 ସୁଦ୍ଧା ଦେଶରେ ବିଭିନ୍ନ ଅପରାଧୀକ ମାମଲାରେ ଜଡ଼ିତ ଥିବା ବିଧାୟକଙ୍କ ସଂଖ୍ୟା ଥିଲା 1581। ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପ୍ରକାଶ କରିଥିବା ଏହି ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ସ୍ବତନ୍ତ୍ର କୋର୍ଟମାନ ଗଠନ କରିଥିଲେ ଏବଂ ଏନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ। ଯେଉଁ ସବୁ ଜନପ୍ରତିନିଧି ସେ ସମୟରେ ରହିଥିଲେ ବା ପୂର୍ବରୁ ରହି ଆସିଥିବା ଜନପ୍ରତିନିଧି ଯେଉଁମାନେ ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବେ ସେମାନଙ୍କୁ ଜୀବନକାଳ ପାଇଁ ନିର୍ବାଚନରୁ ବାସନ୍ଦ କରିବା ଏବଂ ନେତାମାନଙ୍କ ନାଁରେ ଥିବା ଅପରାଧୀକ ମାମଲାର ବିଚାର ତ୍ବରାନ୍ବିତ କରିବାକୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରି କୋର୍ଟଙ୍କ ନିରପେକ୍ଷ ଉପଦେଷ୍ଟା (ଆମିକସ କ୍ୟୁରି) ଯେଉଁସବୁ ତଥ୍ୟ କୋର୍ଟକୁ ପ୍ରଦାନ କରିଥିଲେ ତାହା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଦେବା ଭଳି ଥିଲା। ପୂରା ଦେଶରେ ପୂର୍ବତନ ଓ ବର୍ତ୍ତମାନର ବିଧାୟକ ଓ ସାଂସଦଙ୍କୁ ମିଶାଇ ମୋଟ 4442 ଜଣ ନିର୍ବାଚିତ ପ୍ରତିନିଧିଙ୍କ ନାଁରେ ଅପରାଧୀକ ମାମଲା ବିଚାରାଧୀନ ରହିଥିଲା।
ଏମାନଙ୍କ ମଧ୍ୟରୁ 2556 ଜଣ ବର୍ତ୍ତମାନ ବିଭିନ୍ନ ରାଜ୍ୟ ବିଧାନସଭାରେ ବିଧାୟକ କିମ୍ବା ସାଂସଦ ଭାବେ ଲୋକପ୍ରତିନିଧି ରହିଛନ୍ତି। ଜଣେ ଜଣେ ଲୋକପ୍ରତିନିଧିଙ୍କ ବିରୁଦ୍ଧରେ ଏକାଧିକ ମାମଲା ରହିଛି, ଏବଂ ଏପରିକି ଗୋଟିଏ ଗୋଟିଏ ମାମଲାରେ ଏକାଧିକ ପ୍ରତିନିଧିଙ୍କ ସଂପୃକ୍ତି ରହିଛି, ଯେଉଁଥିରୁ ରାଜନୀତି କିପରି ଭାବେ ଅପରାଧର ବୁଢିଆଣୀ ଜାଲରେ ଛନ୍ଦି ହୋଇ ରହିଛି ତାହା ସ୍ପଷ୍ଟ ପ୍ରତୀୟମାନ ହେଉଛି! ଜଘଣ୍ୟ ଅପରାଧ ଘଟାଇ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଲୋକପ୍ରତିନିଧିଙ୍କ ସଂଖ୍ୟା ଦେଖିଲେ ଉତ୍ତର ପ୍ରଦେଶ ଏକ ନମ୍ବର ସ୍ଥାନରେ ରହିଛି। ଏହା ପଛକୁ ଦ୍ବିତୀୟ ସ୍ଥାନରେ ଥିବା ବିହାରରେ 30 ଜଣ ଏବେକାର ବିଧାୟକ ଏବଂ 43 ଜଣ ପୂର୍ବତନ ବିଧାୟକଙ୍କ ନାଁରେ ଅନୁରୂପ ମାମଲା ରହିଛି। ଆମିକସ କ୍ୟୁରିଙ୍କ ରିପୋର୍ଟ ମୁତାବକ 1983 ପରଠାରୁ ରାଜନୀତିରେ ଅପରାଧ ଘଟଣା ବଢିବା ସତ୍ତ୍ବେ ଅଧିକାଂଶ ଘଟଣାରେ ଅପରାଧୀକ ମାମଲା ରୁଜୁ କରାଯାଉ ନାହିଁ। ଟ୍ରାଏଲ କୋର୍ଟ ଦ୍ବାରା ଜାମିନ ରହିତ ୱାରେଣ୍ଟ ଜାରି ହେଉଥିଲେ ମଧ୍ୟ ଏହା କିପରି କାର୍ଯ୍ୟକାରୀ ହେଉଛି ତାହା ଜଣାପଡୁନାହିଁ। ଆଜୀବନ କାରାଦଣ୍ଡ ହୋଇଥିବା 413ଟି ମାମଲା ମଧ୍ୟରୁ ବର୍ତ୍ତମାନ ସାଂସଦ ଏବଂ ବିଧାୟକ ଥିବା ନେତାଙ୍କ ବିରୁଦ୍ଧରେ 147ଟି ପଂଜୀକୃତ ହୋଇଛି। ପଞ୍ଜାବରେ 1983ରେ ଘଟିଥିବା ଏକ ହତ୍ୟାକାଣ୍ଡର 36 ବର୍ଷ ପରେ ଏଥିରେ ସମ୍ପୃକ୍ତ ଥିବା ଜଣେ ନିର୍ବାଚିତ ଲୋକପ୍ରତିନିଧିଙ୍କ ନାମରେ ଗତବର୍ଷ ଅଭିଯୋଗ ଫର୍ଦ୍ଦ ରୁଜୁ ହେବା ଘଟଣା ହେଉଛି ରାଜନୀତିରେ ପଡୁଥିବା ଅପରାଧର ଖରାପ ପ୍ରଭାବ ଏକ ବଳିଷ୍ଠ ପ୍ରମାଣ !
ଦୁଇବର୍ଷ ତଳେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏହା ସ୍ପଷ୍ଟ କରି ଦେଇଥିଲେ ଯେ,''ଏହା ସତ୍ୟ ଯେ ପ୍ରମାଣ ନହେବା ଯାଏଁ ଅଭିଯୁକ୍ତଙ୍କୁ ଦୋଷୀ କୁହାଯାଇପାରିବ ନାହିଁ, ଏକଥା ବି ସତ ଯେଉଁମାନେ ସରକାରୀ ଶାସନ ବ୍ୟବସ୍ଥାରେ ପ୍ରବେଶ କରୁଛନ୍ତି ଏବଂ ଆଇନ ପ୍ରଣୟନରେ ସାମିଲ ହେଉଛନ୍ତି ସେମାନେ ସବୁ ପ୍ରକାର ଅଭିଯୋଗରୁ ମୁକ୍ତ ରହିବା ଉଚିତ'' ପ୍ରାର୍ଥୀଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ହେବାର ସମ୍ଭାବନା ଥିବା କଥାରେ ରାଜି ହୋଇ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀଠ, ଏହି ପ୍ରସଙ୍ଗ ନେଇ ପାର୍ଲାମେଣ୍ଚରେ ଆଲୋଚନା କରି ଏହାର ସମାଧାନ ସହ ତଦନୁଯାୟୀ ଏକ ଆଇନ ପ୍ରଣୟନ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ କେବଳ ସୁଚିନ୍ତିତ ପରାମର୍ଶ ଦେବା ବ୍ୟତୀତ ନ୍ୟାୟପାଳିକା ପାଖରେ ଅନ୍ୟ କିଛି ପନ୍ଥା ନାହିଁ। କାରଣ ଏହାକୁ ସାମ୍ବିଧାନିକ ବ୍ୟବସ୍ଥାରେ ପରିସର ମଧ୍ୟରେ ସୀମିତ ରହିବାକୁ ହିଁ ପଡ଼ିବ। ରାଜନୀତି ନାନାଦି ଅପରାଧୀକ କାର୍ଯ୍ୟକଳାପରେ ବୁଡ଼ି ରହିଥିବାରୁ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟ ଦୁର୍ନୀତିଗ୍ରସ୍ତ ହୋଇପଡୁଛି। ଚତୁର୍ଦ୍ଦଶ ଲୋକସଭାରେ ଅପରାଧିକ ପୃଷ୍ଠଭୂମି ଥିବା ସାଂସଦଙ୍କ ସଂଖ୍ୟା 24 ପ୍ରତିଶତ ଥିଲା। କ୍ରମଶଃ ଏହା ବୃଦ୍ଧି ପାଇ 30, ପରେ 34 ଏବଂ ଏହା ଆହୁରି ଅଧିକ ବୃଦ୍ଧି ପାଇ ବର୍ତ୍ତମାନର ଲୋକସଭାରେ 43 ପ୍ରତିଶତରେ ପହଞ୍ଚିଛି।
ହତ୍ୟା, ଅପହରଣ, ଦୁଷ୍କର୍ମ ଏବଂ ଅର୍ଥ ହେରଫେର ଏବଂ ଦେଶଦ୍ରୋହ ଭଳି ସଙ୍ଗୀନ ମାମଲାରେ ଅଭିଯୁକ୍ତ ଅନେକ ବ୍ୟକ୍ତି ବର୍ତ୍ତମାନ ଦେଶର ଆଇନ ପ୍ରଣେତା ଏବଂ ଶାସକ ସାଜିଛନ୍ତି। ଏହା ହିଁ ସବୁଠାରୁ ଚିନ୍ତାଜନକ ଘଟଣା ପାଲଟିଛି। ‘ସୁପ୍ରିମ କୋର୍ଟ’ ଦେଇଥିବା ପ୍ରସ୍ତାବ ଅନୁଯାୟୀ, ଅପରାଧୀମାନଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତାରୁ ବାରଣ କରିବା ସକାଶେ କାହିଁକି ଏଯାଏଁ ଆଇନ ପ୍ରଣୟନ ହୋଇନାହିଁ ବୋଲି ଜବାବ ରଖିବା ପାଇଁ ମାଡ୍ରାସ ହାଇକୋର୍ଟ ଗତ ମାସ ତୃତୀୟ ସପ୍ତାହରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ରାମବିଳାସ ପାଶ୍ବାନଙ୍କ ଭଳି ନେତାଙ୍କ ମତ ହେଲା ଅପରାଧୀଙ୍କ ଯୋଗୁଁ ରାଜନୈତିକ ଦଳଗୁଡ଼ିକ ଶକ୍ତିଶାଳୀ ହେଉଛନ୍ତି। ହେଲେ ସ୍ଥିତି ଏବେ ଏତେ ବିଗିଡି ଗଲାଣି ଯେ, ଅପରାଧୀମାନେ ରାଜନୈତିକ ଦଳ ସୃଷ୍ଟି କରିବାରେ ଲାଗିଛନ୍ତି। ଯଦି ବାହୁବଳ, ଅର୍ଥବଳ ଏବଂ ଭ୍ରଷ୍ଟାଚାରକୁ ଅଧାର କରି ରାଜନୀତି କରାଯାଏ ତେବେ ଗଣତନ୍ତ୍ର ତାର ମୂଲ୍ୟବୋଧ ହରାଇବ, ଏଭଳି ଅବସ୍ଥା ଦେଖି ରାଜନୈତିକ ଦଳଗୁଡ଼ିକ ଗଭୀର ଭାବେ ଏହାର ଆତ୍ମଚିନ୍ତନ କରିବା ଉଚିତ।
ଯେତେବେଳେ ଏକ ଦୁର୍ନୀତିଗ୍ରସ୍ତ ରାଜନୈତିକ ଦଳକୁ ଫୋପାଡି ଦେବାପାଇଁ ଲୋକଙ୍କ ମଧ୍ୟରେ ଦୃଢ ଇଚ୍ଛାଶକ୍ତି ଏବଂ ସଚେତନତା ଆସିବ ସେତେବେଳେ ହିଁ ପ୍ରକୃତ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇପାରିବ।