ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ମୋବାଇଲ ସେବା ଯୋଗାଇବା ପରେ ଆତଙ୍କୀ କାର୍ଯ୍ୟକଳାପ ବଢିବାର ଆଶଙ୍କା ରହିଛି । ଏହା ସହ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି ହେବା ନେଇ ଆଶଙ୍କା ରହିଛି । ଏହାକୁ ନେଇ ସେନାକୁ ସତର୍କତା ଅବଲମ୍ବନ କରିଛି ।
ସୁରକ୍ଷାକର୍ମୀଙ୍କ ଅନୁମାନ ମୁତାବକ ଗତ 2 ମାସ ଧରି ସ୍ଥାନୀୟ ଯୁବପିଢୀ ଆତଙ୍କୀ ରାସ୍ତାରେ ଚାଲିବା ସମ୍ଭବପର ନଥିଲା । କାରଣ ମୋବାଇଲ ସେବା ବନ୍ଦ ଥିଲା । ଗୁଇନ୍ଦା ବିଭାଗ ଆଶଙ୍କା କରୁଛି ଯେ ଏବେ ଆତଙ୍କୀ ଭର୍ତ୍ତି ଅଭିଯାନ ବୃଦ୍ଧି ପାଇବ । ଏଥିଯୋଗୁଁ ସୁରକ୍ଷାକର୍ମୀଙ୍କୁ ଆଗୁଆ ସତର୍କ କରାଯାଉଛି । ଏପରିକି କିଛି ଆତଙ୍କୀ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଅନ୍ତରାଷ୍ଟ୍ରୀୟ ସୀମା ଏବଂ ନିୟନ୍ତ୍ରଣରେଖାରେ ଲଗାତାର ଅନୁପ୍ରବେଶକାରୀ ପ୍ରବେଶ କରିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଅଧିକ ସେନା ମୁତୟନ କରାଯାଇଛି । ଦକ୍ଷିଣ କାଶ୍ମୀରର ସମସ୍ତ ଆତଙ୍କିତ ପ୍ରଭାବିତ ଅଞ୍ଚଳରେ ସୂଚନା ସଞ୍ଚାରକୁ ମଜବୁତ କରାଯାଇଛି । ମଝିରେ ମୋବାଇଲ ସେବାକୁ ବନ୍ଦ କରିବା ଫଳରେ ଗୁଇନ୍ଦା ବିଭାଗକୁ ମଧ୍ୟ ସୂଚନା ଦେବା ପାଇଁ ଅସୁବିଧା ହେଉଥିଲା । ଏବେ କିନ୍ତୁ ନେଟୱର୍କକୁ ମଜବୁତ କିରବା ଫଳରେ ସେନାଙ୍କୁ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସହଜ ହେବ ।