ପାଟନା: ବିହାରରେ ବର୍ତ୍ତମାନ ଆଗାମୀ ନିର୍ବାଚନ ଅପେକ୍ଷା ଚର୍ଚ୍ଚାରେ ରହିଛି ଲାଲୁ ଲାଡଲାଙ୍କ ଲଢେଇ। ରାଜ୍ୟ ରାଜନୀତିର ପାଣିପାଗକୁ ସରଗରମ କରିଛି ଆରଜେଡି ବିବାଦ। ଟିକେଟ୍ ବଣ୍ଟାକୁ ନେଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ସାମନା ସାମନି ହୋଇଛନ୍ତି।
ଖବର ଅନୁସାରେ ଲାଲୁଙ୍କ ବଡ ପୁଅ ତେଜ ପ୍ରତାପ ଦଳର ପ୍ରମୁଖ ପ୍ରାର୍ଥୀଙ୍କ ବିରୋଧରେ ସ୍ବାର୍ଥୀନ ପ୍ରାର୍ଥୀଙ୍କୁ ଛିଡା କରାଇବେ ବୋଲି ଘୋଷଣା କରି ତୁମ୍ବିତୋଫାନ ସୃଷ୍ଟି କରିଛନ୍ତି । ଏହାସହ ସେ ଏବେ ଧିରେ ଧିରେ ଉଗ୍ର ହେଉଛନ୍ତି । ନିକଟରେ ସେ ଆରଜେଡିକୁ ସହଯୋଗ ନକରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। କର୍ମୀଙ୍କୁ ସେ କହିଛନ୍ତି ଯେ ଏହି ନିର୍ବାଚନରେ ଦଳକୁ ଉଚିତ ଶିକ୍ଷା ମିଳିଲେ ହିଁ ଦଳ ସୁଧୁରିବ। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଲାଲୁ ଓ ପତ୍ନୀ ରାବିଡି ଦେବୀ।
ଦୁଇ ପୁଅଙ୍କ ଲଢେଇ ଆରଜେଡି ପାଇଁ ବିବାଦ ଛିଡା କରିଛି। ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ଥିବାବେଳେ ଏହାର ସମାଧାନ ନେଇ ଉଭୟ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ପୁଅକୁ ବୁଝାଇବା ପାଇଁ ପିତା ଲାଲୁ ଓ ମାଆ ରାବିଡି ଦେବୀ ଲଗାତାର ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଏହାର କୌଣସି ପ୍ରଭାବ ତେଜ ପ୍ରତାପଙ୍କ ଉପରେ ପଡ଼ୁନଥିବା ଦେଖିବାକୁ ମିଳିଛି ।
ତେବେ ଘଟଣାର ଆରମ୍ଭ ହୋଇଥିଲା ସିଟ୍ ବଣ୍ଟା ଘୋଷଣା ହେବା ପରେ। ବିଶେଷ କରି ପତ୍ନୀ ଐଶ୍ବର୍ଯ୍ୟାଙ୍କୁ ଛାଡପତ୍ର ମାମଲାରେ ପରିବାର ଲୋକେ ବିରୋଧ କରିବା ପରେ ତେଜ ଉଗ୍ର ହୋଇଉଠିଛନ୍ତି। ଏହାସହ ଲାଲୁଙ୍କ ଜେଲ ଯିବା ପରେ ସାନ ଭାଇ ତେଜସ୍ବୀ ଯାଦବ ଦଳର ଉତ୍ତରାଧିକାରୀ ଭାବେ ନିଜକୁ ଘୋଷଣା କରିଥିଲେ। ଏହା ତେଜଙ୍କ କ୍ରୋଧ ଆହୁରି ବଢାଇଥିଲା।
ଏହାପରେ ସିଟ୍ ବଣ୍ଟାରେ ତେଜସ୍ବୀ ନିଜ ଇଚ୍ଛାରେ ପ୍ରାର୍ଥୀ ଘୋଷଣା କରିବା ପରେ ଏହା ନିଆଁରେ ଘିଅ ଢାଳିବା ସଦୃଶ ହୋଇଥିଲା। କେତେକ ଆସନର ତେଜ ପ୍ରତାପ ନିଜ ପସନ୍ଦର ପ୍ରାର୍ଥୀ ଦେବାକୁ ଚାହୁଁଥିଲେ ମଧ୍ୟ ଦଳ ଏହାକୁ ଗ୍ରହଣ କରିନଥିବାରୁ ସେ ଏବେ ଦଳ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଜହାନାବାଦ ଏବଂ ଶିବହର ଆସନ ପାଇଁ ତେଜ ପ୍ରତାପ ସ୍ବାଧୀନ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ସାରଣ ଆସନରୁ ସେ ତାଙ୍କ ଶ୍ବଶୂରଙ୍କ ବିରୋଧରେ ଲଢିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଦୁଇ ଭାଇଙ୍କ ମଧ୍ୟରେ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ନିଜ ଭାଇ ତେଜସ୍ବୀଙ୍କ କୌଣସି ପରାମର୍ଶକୁ ସେ ଗ୍ରହଣ କରୁନାହାନ୍ତି। ଏପରିକି ଦଳର ପ୍ରମୁଖ ତଥା ବରିଷ୍ଠ ନେତାଙ୍କ ବିରୋଧରେ ବିଷେଦଗାର ଜାରି ରଖିଛନ୍ତି । ତେବେ ଏପରି ଘଟଣାରେ ଦଳୀୟ ନେତା ଚିନ୍ତାରେ ପଡିଛନ୍ତି । କର୍ମୀଙ୍କୁ ସହଯୋଗ ନକରିବାକୁ ତେଜ ପ୍ରତାପ ଉସୁକାଉଥିବାରୁ ବରିଷ୍ଠ ନେତା କ୍ଷୁବ୍ଧ ହୋଇଛନ୍ତି । ଦଳର ନିଷ୍ପତ୍ତି ବିରୋଧରେ ଯାଇ ସେ ଏବେ ସଭା ଆୟୋଜନ କରୁଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ନେତା ଦାବି କରିଛନ୍ତି ।