ଚଣ୍ଡିରଡ: ସେନାରୁ ବହିଷ୍କୃତ ହୋଇଥିବା ପୂର୍ବତନ ବିଏସଏଫ ଯବାନ ତେଜ ବାହାଦୂର ରବିବାର ଜନନାୟକ ଜନତା ପାର୍ଟି(ଜେଜେପି) ରେ ଯୋଗ ଦେଇଛନ୍ତି । ଜେଜେପି ନେତା ଦ୍ୟୁଶନ୍ତ ଚୌଟାଲାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ତେବେ ହରିୟାଣାରେ ବିଧାନସଭା ନିର୍ବାଚନକୁ ଆଉ କେଇଟା ଦିନ ଥିବା ବେଳେ ଜେଜେପି ତେଜ ବାହାଦୂରଙ୍କୁ ଦଳରେ ସାମିଲ କରିଛି । ଦଳ ତାଙ୍କୁ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ବିରୋଧରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।
ତେଜ ବାହାଦୂର ସେନାକୁ ଖରାପ ମାନର ଖାଦ୍ୟ ଯୋଗାଉଥିବା ନେଇ 2017ରେ ଅଭିଯୋଗ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସେନାରୁ ବହିଷ୍କୃତ କରାଯାଇଥିଲା । ଏହାପରେ ସେ 2019 ଲୋକସଭା ନିର୍ବାଚନରେ ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଥିଲେ । ପ୍ରଥମେ ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କିନ୍ତୁ ନାମାଙ୍କନର ଶେଷଦିନରେ ସମାଜବାଦୀ ପାର୍ଟି ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ହେଲେ ନିର୍ବାଚନ କମିଶନ ତାଙ୍କ ପ୍ରାର୍ଥୀପତ୍ର ନାକଚ କରିଦେଇଥିଲେ।